କଳାହାଣ୍ଡି ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ୨୯ତମ ଗୁରୁ ଦିବସ ସମାରୋହ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ସି.ଟି. ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଭବାନୀପାଟଣା ସ୍ଥିତ ଅମଲା ଭବନ ଠାରେ ୨୯ତମ ପବିତ୍ର ଗୁରୁ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରତ୍ୟେକ ବର୍ଷ ଭଳି ଏହି ବର୍ଷ ମଧ୍ୟ ସୌଜନ୍ୟ ତଥା ଆତିଥ୍ୟ ଭାର ଲାଞ୍ଜିଗଡ଼ ବ୍ଲକ ସି.ଟି. ପ୍ରାଥମିକ ଶିକ୍ଷକ ସଂଘ ବହନ କରିଥିଲା। କଳାହାଣ୍ଡି ଜିଲ୍ଲା ସି.ଟି ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଲବ ଦୁର୍ଗାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭବାନୀପାଟଣା ଉପଜିଲ୍ଲାପାଳ ପ୍ରଭାତ ପରିଡ଼ା, ସ୍ବତନ୍ତ୍ର ଅତିଥି ଭାବେ କଳାହାଣ୍ଡି ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଲୋକନାଥ ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ସ୍ବାଧୀନ ପାତ୍ର, ସମ୍ମାନୀତ ଅତିଥି ଭାବେ ରାଜ୍ୟ ସି.ଟି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ପ୍ରଦୀପ କୁମାର ସାହୁ, ବରିଷ୍ଠ ସାମ୍ବାଦିକ ଲଳିତ କାନୁନଗୋ, ଅବସରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସିଦ୍ଧାନ୍ତ ନନ୍ଦ, କାଳିନ୍ଦୀ ପଟ୍ଟନାୟକ ପ୍ରମୁଖ ସଞ୍ଚାସିନ ଥିଲେ। ଏଥିରେ ଜିଲ୍ଲାର ୧୩ଟି ବ୍ଲକରୁ ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।‌ କାର୍ଯ୍ୟକ୍ରମର ଆରମ୍ଭରେ ଭାରତର ପୂର୍ବତନ ରାଷ୍ଟ୍ରପତି ତଥା ମହାନ ଶିକ୍ଷାବିତ୍ ଡକ୍ଟର ସର୍ବପଲ୍ଲୀ ରାଧାକୃଷ୍ଣନଙ୍କ ତୈଳଚିତ୍ରରେ ମାଲ୍ୟାର୍ପଣ କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହା ସହିତ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।‌ ସଭାରେ ଉପସ୍ଥିତ ଅତିଥି ଓ ବକ୍ତାମାନେ ସମାଜ ଗଠନରେ ଗୁରୁ ବା ଶିକ୍ଷକମାନଙ୍କର ଅତୁଳନୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ଶିଶୁର ପ୍ରାଥମିକ ଶିକ୍ଷା ହିଁ ତାର ଭବିଷ୍ୟତର ମୂଳଦୁଆ ସଦୃଶ, ତେଣୁ ପ୍ରାଥମିକ ଶିକ୍ଷକମାନଙ୍କର ଦାୟିତ୍ୱ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା। ଏହି ଅବସରରେ ଜିଲ୍ଲାରେ ପ୍ରାଥମିକ ଶିକ୍ଷାରେ ଶିଶୁଙ୍କ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଏବଂ ଶିଶୁ ଅଧିକାର ସୁରକ୍ଷା ଆଇନ କାର୍ଯ୍ୟକାରୀ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହି ଜିଲ୍ଲା ସ୍ତରୀୟ ଉତ୍ସବ ଅବସରରେ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଏବଂ ନିଷ୍ଠାର ସହ ସେବା ଯୋଗାଇଦେଇ ଅବସର ଗ୍ରହଣ କରିଥିବା ବରିଷ୍ଠ ଓ ଆଦର୍ଶ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସଂଘ ପକ୍ଷରୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମକୁ ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ମାଝୀ ପରିଚାଳନା କରିଥିବାବେଳେ ଜିଲ୍ଲା ସି.ଟି ଶିକ୍ଷକ ସଂଘ ଉପ ସଭାପତି ଭୃକୁଟି ଗୌଡ଼, ଲାଞ୍ଜିଗଡ଼ ସି.ଟି ପ୍ରାଥମିକ ଶିକ୍ଷକ ସଂଘ ସଭାପତି ଅନିଲ କୁମାର ତ୍ରିପାଠୀ, ସାଧାରଣ ସମ୍ପାଦକ ମନୋଜ ମହାକୁଡ଼, ଧନଞ୍ଜୟ ପାଣୀଗ୍ରାହୀ, ସୁଶିଲ ଦାସ, ଜଗତରାମ ଶବର, ବିଭୁତି ଭୁଷଣ ତାଣ୍ଡି, ସ୍ମୃତି ରଞ୍ଜନ ରଥ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ସମସ୍ତଙ୍କୁ ସଂଗଠନ ସମ୍ପାଦକ ଧନଞ୍ଜୟ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.