ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ନର୍ଲାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସବିଆଇ) ଆଞ୍ଚଳିକ ମୁଖ୍ୟ କାର୍ଯ୍ୟାଳୟ ତରଫରୁ କଳାହାଣ୍ଡି ଜିଲ୍ଲା ନର୍ଲାର ପେସିଫିକ ପବ୍ଲିକ ସ୍କୁଲ, ପି.ଏମ. ଜବାହରଲାଲ ନେହେରୁ ନବୋଦୟ ବିଦ୍ୟାଳୟ ଏବଂ ଅଗ୍ନିଶମ ବିଭାଗ କ୍ୟାମ୍ପସରେ ମୋଟ ୧୨,୦୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା। ଭାରତୀୟ ଷ୍ଟେଟ ବ୍ୟାଙ୍କ ନର୍ଲା ଶାଖାର ଶାଖା ପରିଚାଳକ ଲମ୍ବୋଦର ସିଂ ଙ୍କ ନେତୃତ୍ୱରେ ଆୟୋଜିତ ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅତିଥି ଭାବରେ ବିଶିଷ୍ଟ ପରିବେଶବିତ୍ତ ତଥା ମହାଶକ୍ତି ଫାଉଣ୍ଡେସନର ବୋର୍ଡ ସଦସ୍ୟ ବୀରେନ୍ଦ୍ର ପଧାନ, ପ୍ରକାଶ ସାହୁ, ଯୁବ ନେତା ଦୀପୁ ପାତ୍ର, ପେସିଫିକ ପବ୍ଲିକ ସ୍କୁଲର ନିର୍ଦ୍ଦେଶକ ପ୍ରଶାନ୍ତ ନାୟକ, ସ୍ୱେଚ୍ଛାସେବୀ ଲୁଲୁ ପଟ୍ଟନାୟକ, ନର୍ଲା ଅଗ୍ନିଶମ ବିଭାଗ ଅଧିକାରୀ ବୃନ୍ଦ ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ପୃକ୍ତ ବିଦ୍ୟାଳୟ ଗୁଡ଼ିକର ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ/ଶିକ୍ଷୟିତ୍ରୀ, ଭାରତୀୟ ଷ୍ଟେଟ ବ୍ୟାଙ୍କ ନର୍ଲା ଶାଖାର କର୍ମଚାରୀ ମାନେ ଯୋଗଦେଇଥିବା ବେଳେ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ମାନେ ଉପସ୍ଥିତ ରହି ଏଥିରେ ସହଯୋଗ କରିଥିଲେ। ବିଦ୍ୟାଳୟ ପରିସରରେ ଫଳ ଦାୟକ, ଔଷଧୀୟ ତଥା ଛାୟାଦାୟୀ ବୃକ୍ଷ ଏବଂ ରାସ୍ତା କଡ଼ରେ ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇଥିଲା। ଏହି ପଦକ୍ଷେପ ପରିବେଶ ସୁରକ୍ଷା ସହିତ ବିଦ୍ୟାଳୟ ପରିବେଶକୁ ସବୁଜ ଓ ସୁନ୍ଦର କରିବାରେ ସହାୟକ ହେବ। କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅତିଥିମାନେ ବୃକ୍ଷ ରୋପଣର ଗୁରୁତ୍ୱାରୋପ କରି କହିଥିଲେ ଯେ, ବର୍ତ୍ତମାନ ସମୟରେ ଜଳବାୟୁ ପରିବର୍ତ୍ତନ ଓ ପରିବେଶ ପ୍ରଦୂଷଣର ମୁକାବିଲା ପାଇଁ ଅଧିକରୁ ଅଧିକ ବୃକ୍ଷ ରୋପଣ ସହିତ ରୋପିତ ବୃକ୍ଷ ଗୁଡ଼ିକର ଯତ୍ନ ନେବା ଆବଶ୍ୟକ। ବୃକ୍ଷ କେବଳ ପରିବେଶର ସନ୍ତୁଳନ ରକ୍ଷା କରେ ନାହିଁ। ଏହା ଆମକୁ ଶୁଦ୍ଧ ବାୟୁ, ଛାୟା, ଫଳ ଓ ଅନ୍ୟାନ୍ୟ ଉପକାର ପ୍ରଦାନ କରିଥାଏ।ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ରୋପିତ ବୃକ୍ଷ ଗୁଡ଼ିକର ନିୟମିତ ଯତ୍ନ ନେବା ସହିତ ନିଜ ଅଞ୍ଚଳରେ ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ପାଇଁ ଅନ୍ୟମାନଙ୍କୁ ସଚେତନ କରିବାକୁ ସଂକଳ୍ପ ନେଇଥିଲେ। ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ର ଏହି ପଦକ୍ଷେପକୁ ବିଦ୍ୟାଳୟ କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ, ଅଭିଭାବକ ଓ ସ୍ଥାନୀୟ ଲୋକମାନେ ସ୍ୱାଗତ କରିଥିଲେ। ଏଭଳି ପରିବେଶ ମୁଖୀ କାର୍ଯ୍ୟକ୍ରମକୁ ମହାଶକ୍ତି ଫାଉଣ୍ଡେସନ ତରଫରୁ ପରିଚାଳନା କରାଯାଇଥିଲା। ଆଗାମୀ ଦିନରେ ମଧ୍ୟ ଏହି ପରିବେଶ ସୁରକ୍ଷା ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ବଳବତ୍ତର ରହୁ ବୋଲି ଉପସ୍ଥିତ ଜନ ସାଧାରଣ ଅନୁରୋଧ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.