ବାଲେଶ୍ଵର ବଜାରରେ ପିଆଜ ଦରରେ ଲାଗିଲା ନିଆଁ 

• ପିଆଜ କିଲୋ ୭୦ ଟଙ୍କା ଛୁଇଁଲା,

• ଖାଉଟିଙ୍କ ଆଖିରେ ଲୁହ

• ହୋଟେଲ୍‌ଠୁ ଘର ଯାଏଁ ପଡ଼ିଲା ପ୍ରଭାବ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ଵର ବଜାରରେ ପିଆଜ ଦର ଏବେ ସାଧାରଣ ଖାଉଟିଙ୍କ ଚିନ୍ତା ବଢ଼ାଇଛି। ପିଆଜ କିଲୋ ପିଛା ୭୦ ଟଙ୍କା ଛୁଇଁଥିବାରୁ ଘରୋଇ ରୋଷେଇ ବଜେଟ୍‌ ଉପରେ ଏହାର ସିଧା ପ୍ରଭାବ ପଡ଼ିଛି। ଏହାକୁ ନେଇ ଜିଲ୍ଲାର ଖାଉଟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି। ଦୈନନ୍ଦିନ ରୋଷେଇରେ ଅତ୍ୟାବଶ୍ୟକ ପିଆଜର ଦର ବଢ଼ିବାରୁ ଅନେକ ପରିବାର ଆବଶ୍ୟକତା ଅନୁଯାୟୀ ନୁହେଁ, ହିସାବ କରି ପିଆଜ କିଣିବାକୁ ବାଧ୍ୟ ହେଉଛନ୍ତି। ତରକାରି, ଡାଲମା, ମାଛ-ମାଂସ ସମେତ ବିଭିନ୍ନ ଖାଦ୍ୟ ପ୍ରସ୍ତୁତିରେ ପିଆଜର ବ୍ୟବହାର ହେଉଥିବାରୁ ଏହି ଦରବୃଦ୍ଧିର ପ୍ରଭାବ କେବଳ ଗୋଟିଏ-ଦୁଇଟି ଖାଦ୍ୟରେ ସୀମିତ ରହୁ ନାହିଁ। ଦୈନିକ ରୋଷେଇ ଖର୍ଚ୍ଚରେ ଛୋଟ ଛୋଟ ବୃଦ୍ଧି ମାସ ଶେଷରେ ଘରୋଇ ବଜେଟ୍‌ ଉପରେ ବଡ଼ ଚାପ ସୃଷ୍ଟି କରୁଛି।

ଇତିମଧ୍ୟରେ ଚିନି ଦର ବୃଦ୍ଧି ମଧ୍ୟ ବଜାରରେ ପ୍ରଭାବ ପକାଇଛି। ଚିନି ମହଙ୍ଗା ହେବାରୁ ମିଠା ଓ କେକ୍‌ ଭଳି ଖାଦ୍ୟ ସାମଗ୍ରୀର ଦର ବଢ଼ିଥିବା ବେଳେ, ଏବେ ପିଆଜ ଦରବୃଦ୍ଧି ଘରେ ଘରେ ଚିନ୍ତାର କାରଣ ହୋଇଛି।

ପିଆଜ ଦରବୃଦ୍ଧିର ସିଧା ପ୍ରଭାବ ହୋଟେଲ, ଢାବା ଓ ଛୋଟ ଛୋଟ ଖାଦ୍ୟ ବ୍ୟବସାୟ ଉପରେ ମଧ୍ୟ ପଡ଼ିଛି। ରୋଷେଇରେ ପିଆଜର ଅଧିକ ବ୍ୟବହାର ହେଉଥିବାରୁ ବ୍ୟବସାୟୀଙ୍କ ଖର୍ଚ୍ଚ ବଢ଼ିଛି। ଆଗକୁ ଏହାର ପ୍ରଭାବ ଖାଦ୍ୟ ଦର ଉପରେ ପଡ଼ିବାର ଆଶଙ୍କା ରହିଛି। ତେବେ ପ୍ରାଥମିକ ପର୍ଯ୍ୟାୟରେ ଅନେକ ହୋଟେଲରେ ଖାଦ୍ୟ ସହିତ ମାଗଣାରେ ଦିଆ ଯାଉଥିବା କଞ୍ଚା ପିଆଜ ପରିବେଷଣ ବନ୍ଦ କରି ଦିଆଯାଇଛି।

କଳିଙ୍ଗ ନଗର ନିବାସୀ ମମତା ମହାନ୍ତି ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି, “ତେଲ, ଲୁଣ, ଚିନି ସବୁ ମହଙ୍ଗା ହେଲାଣି। ପିଆଜ ଦର ଏବେ ଦୁଇଗୁଣାରୁ ଅଧିକ ହେଲା। ବାଧ୍ୟ ହୋଇ ପିଆଜ ବ୍ୟବହାର କମାଉଛୁ। ସରକାର ଦର ନିୟନ୍ତ୍ରଣ ଦିଗରେ ଅବିଳମ୍ବେ ଚିନ୍ତା କରିବା କଥା।”

ସେହିପରି ଚୁନଭାଟି କଲୋନୀରେ ରହୁଥିବା ତନୁଶ୍ରୀ ନାୟକ କହିଛନ୍ତି, “ପିଆଜ ଦର ଆକାଶଛୁଆଁ ହୋଇଥିବାରୁ କେମିତି ତରକାରି କରିବା ସେନେଇ ଚିନ୍ତା ରହୁଛି। ବିନା ପିଆଜରେ ଆମିଷ ରୋଷେଇ ସମ୍ଭବ ନୁହେଁ। ତେଣୁ ଚେଷ୍ଟା କଲେ ବି ବ୍ୟବହାର ବେଶୀ କମାଇବା ସମ୍ଭବ ହେଉନାହିଁ। ସହରରେ କିଏ ୬୦ ଟଙ୍କା ତ କିଏ ୭୦ ଟଙ୍କାରେ ବିକ୍ରି କରୁଛି। ତା’ ଉପରେ କାହାର ନଜର ନାହିଁ।”

ସହରର ଜନୈକ ପିଆଜ ବ୍ୟବସାୟୀଙ୍କ କହିବା କଥା ହେଲା, “ଦର ଆମ ହାତରେ ନଥାଏ। ଗୋଦାମରୁ ଯେଉଁ ଦରରେ ପିଆଜ ଆସେ, ସେହି ହିସାବରେ ଆମେ ବିକ୍ରି କରୁ। ଏବେ ପିଆଜ ଆସିବା ବହୁତ କମିଛି। ବନ୍ୟା ଯୋଗୁଁ ଯୋଗାଣ ପ୍ରଭାବିତ ହୋଇଥିବା କୁହାଯାଉଛି। ପିଆଜ ଯୋଗାଣ ସ୍ୱାଭାବିକ ହେଲେ ହିଁ ଦର କମିବ।”

ପିଆଜ ଭଳି ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀର ଦର ଏଭଳି ବଢ଼ି ଚାଲିଲେ ଏହାର ସିଧା ପ୍ରଭାବ ନିମ୍ନ ଓ ମଧ୍ୟବିତ୍ତ ପରିବାର ଉପରେ ପଡ଼ିବ ବୋଲି ଖାଉଟି ମହଲରେ ଚିନ୍ତା ପ୍ରକାଶ ପାଇଛି। ବଜାରରେ ପିଆଜ ଦର ନିୟନ୍ତ୍ରଣ, ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ କରିବା ସହ କଳାବଜାର ଉପରେ ନଜର ରଖିବାକୁ ଖାଉଟିମାନେ ଦାବି କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.