ଦଶମ ବର୍ଷରେ ପହଞ୍ଚିଲା ‘ଓଡ଼ିଆ ବିଭବ’: ୧୯,୦୦୦ ବହି, ୩୦ ଲକ୍ଷ ପୃଷ୍ଠାର ଡିଜିଟାଲ ଭଣ୍ଡାର; ସ୍ୱତନ୍ତ୍ର ପରିଚାଳନା ଦଳ ଆବଶ୍ୟକ: ସୃଜନିକା

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଆ ଭାଷା ଓ ସାହିତ୍ୟର ଡିଜିଟାଲ ଐତିହ୍ୟକୁ ସୁରକ୍ଷିତ ରଖିବାରେ ଅଗ୍ରଣୀ ଡିଜିଟାଲ ପ୍ଲାଟଫର୍ମ ‘ଓଡ଼ିଆ ବିଭବ’ ଏବେ ଏକ ଗୁରୁତ୍ୱପୂର୍ଣ୍ଣ ସନ୍ଧିକ୍ଷଣରେ ପହଞ୍ଚିଛି। ଏହାର ଭବିଷ୍ୟତ ବିକାଶ, ପରିଚାଳନା ଓ ସ୍ଥାୟିତ୍ୱକୁ ନେଇ ‘ସୃଜନିକା’ ପକ୍ଷରୁ ଆଶଙ୍କା ପ୍ରକାଶ ସହ କିଛି ସମସ୍ୟା, ସମାଧାନ ଓ ପ୍ରସ୍ତାବ ରଖାଯାଇଛି। ଅଳ୍ପ ଦିନ ମଧ୍ୟରେ ‘ଓଡ଼ିଆ ବିଭବ’ ୱେବସାଇଟ୍ ଦଶମ ବର୍ଷରେ ପ୍ରବେଶ କରିବ। ଏହି ସମୟ ମଧ୍ୟରେ ପୁରୁଣା ଡିଜିଟାଲ ସାମଗ୍ରୀ ସହ ପ୍ରାୟ ୧୯,୦୦୦ ବହି ଓ ୩୦ ଲକ୍ଷରୁ ଅଧିକ ପୃଷ୍ଠା ଏହି ଡିଜିଟାଲ ସଂଗ୍ରହରେ ସାମିଲ ହୋଇଛି। ତେବେ ସଂଗ୍ରହର ପରିସର ବଢ଼ିବା ସହ ଏହାର ବୈଷୟିକ ଓ ପରିଚାଳନାଗତ ଆବଶ୍ୟକତା ମଧ୍ୟ ବୃଦ୍ଧି ପାଇଛି।

‘ସୃଜନିକା’ ପକ୍ଷରୁ କୁହାଯାଇଛି ଯେ, ବର୍ଦ୍ଧିତ ସାମଗ୍ରୀ ପାଇଁ ଏବେ ଏକ ନୂଆ ଢାଞ୍ଚାର ୱେବସାଇଟ୍ ଆବଶ୍ୟକ। ଏଥିପାଇଁ କାମ ଆଗେଇଛି ଏବଂ ‘ଓଡ଼ିଆ ବିଭବ’ର ଦଶମ ବର୍ଷ ଆରମ୍ଭ ଅବସରରେ ନଭେମ୍ବର ୧୭ ତାରିଖରେ ନୂଆ ୱେବସାଇଟ୍ ଉନ୍ମୋଚନ କରିବାର ଯୋଜନା ରହିଛି। ଏହା ଏକ ଆଧୁନିକ, ସର୍ଚ୍ଚଯୋଗ୍ୟ ଓ ମେଟାଡାଟା ସମୃଦ୍ଧ ଡିଜିଟାଲ ଲାଇବ୍ରେରୀର ଭିତ୍ତି ଭାବେ କାମ କରିବ ବୋଲି ସୃଜନିକା ପକ୍ଷରୁ ଆଶା ପ୍ରକାଶ କରାଯାଇଛି।

ନୂଆ ୱେବସାଇଟ୍ ପାଇଁ ପେଷାଦାର ବୈଷୟିକ ସହାୟତା ସହ ଅଧିକ ଶକ୍ତିଶାଳୀ ୱେବ୍ ହୋଷ୍ଟିଂର ଆବଶ୍ୟକତା ରହିଛି। ଏଥିପାଇଁ ଅଧିକ ଖର୍ଚ୍ଚ ହେବା ସ୍ୱାଭାବିକ। ସୃଜନିକା ପକ୍ଷରୁ କୁହାଯାଇଛି ଯେ, ମୂଳ ‘ଓଡ଼ିଆ ବିଭବ’ ୱେବସାଇଟ୍ ସୃଜନିକାର କର୍ମୀମାନେ ଅତ୍ୟନ୍ତ କମ୍ ଖର୍ଚ୍ଚରେ ବିକଶିତ କରିଥିଲେ ଏବଂ ଡିଜିଟାଇଜେସନ୍ ସମେତ ଏହାର ସମସ୍ତ ଖର୍ଚ୍ଚ ଏପର୍ଯ୍ୟନ୍ତ ସୃଜନିକା ବହନ କରିଆସୁଛି।

ଅନ୍ୟପକ୍ଷରେ, ବଢ଼ୁଥିବା ଡିଜିଟାଇଜେସନ୍ ଓ ୱେବସାଇଟ୍ ପରିଚାଳନାର ଚାପ ମଧ୍ୟରେ ସୃଜନିକାର ଲୋକବଳ ଓ ସାମର୍ଥ୍ୟ କମିବା ମଧ୍ୟ ଏକ ବଡ଼ ସମସ୍ୟା ଭାବେ ଦେଖାଦେଇଛି। ତେଣୁ ‘ଓଡ଼ିଆ ବିଭବ’ର ଦୀର୍ଘମିଆଦୀ ପରିଚାଳନା ପାଇଁ ଏକ ସ୍ୱତନ୍ତ୍ର ଦଳ ଗଠନ ଜରୁରୀ ବୋଲି ସୃଜନିକା ପକ୍ଷରୁ ମତ ପ୍ରକାଶ ପାଇଛି।

ଆରମ୍ଭରୁ ‘ଓଡ଼ିଆ ବିଭବ’କୁ ଏକ ସ୍ୱତନ୍ତ୍ର ପରିଚିତି ଦେବା ସହ ବିଭିନ୍ନ ବ୍ୟକ୍ତି ଓ ଦଳଙ୍କୁ ଏହା ସହ ଯୋଡ଼ିବା, ଡିଜିଟାଲ ସାମଗ୍ରୀ ସଂଯୋଜନ, ଖର୍ଚ୍ଚ ପରିଚାଳନା ଓ ଅନ୍ୟାନ୍ୟ ଦାୟିତ୍ୱ ବଣ୍ଟନ କରିବାର ଯୋଜନା ରହିଥିଲା। ଏବେ ଏହି ଯୋଜନାକୁ କାର୍ଯ୍ୟକାରୀ କରିବାର ସମୟ ଆସିଛି ବୋଲି ସୃଜନିକା ମତ ଦେଇଛି।

‘ଓଡ଼ିଆ ବିଭବ’ର ପରିଚାଳନା ଦାୟିତ୍ୱ ନେବାକୁ କିଛି ବିକଳ୍ପ ପ୍ରସ୍ତାବ ମଧ୍ୟ ଆସିଥିବାର ସୂଚନା ମିଳିଛି। ଶିକ୍ଷା ଓ କୃତ୍ରିମ ବୁଦ୍ଧିମତା(ଏଆଇ) କ୍ଷେତ୍ରର କିଛି ବ୍ୟବସାୟିକ ପ୍ରତିଷ୍ଠାନ ଏହାକୁ ହାତକୁ ନେବାକୁ ଆଗ୍ରହ ପ୍ରକାଶ କରିଥିଲେ ମଧ୍ୟ ଏହି ବିକଳ୍ପ ‘ସୃଜନିକା’ ପାଇଁ ଏପର୍ଯ୍ୟନ୍ତ ଗ୍ରହଣୀୟ ହୋଇନାହିଁ। ତେବେ ଭବିଷ୍ୟତରେ ଏହାକୁ ସମ୍ପୂର୍ଣ୍ଣ ଏଡ଼ାଇ ଦିଆଯାଇପାରିବ କି ନାହିଁ, ସେ ନେଇ ମଧ୍ୟ ନିଶ୍ଚିତତା ନାହିଁ।

*ବାଲେଶ୍ୱର, ରାଉରକେଲାରେ ଡିଜିଟାଇଜେସନ୍ ଯୋଜନା*

‘ସୃଜନିକା’ ପକ୍ଷରୁ ଆହୁରି କୁହାଯାଇଛି ଯେ, ଆଗାମୀ ଦିନରେ କେବଳ ୱେବସାଇଟ୍ ବିକାଶ ନୁହେଁ, ଓଡ଼ିଶାର ବିଭିନ୍ନ ସ୍ଥାନରେ ଥିବା ପୁରୁଣା ପୁସ୍ତକ ଓ ପତ୍ରପତ୍ରିକାର ଡିଜିଟାଇଜେସନ୍ କାମକୁ ମଧ୍ୟ ଆଗେଇ ନେବା ଆବଶ୍ୟକ। ବିଶେଷକରି ରାଉରକେଲା ଓ ବାଲେଶ୍ୱର ଭଳି ସ୍ଥାନରେ ରହିଥିବା ବହୁମୂଲ୍ୟ ସାହିତ୍ୟିକ ସାମଗ୍ରୀ ଡିଜିଟାଇଜ୍ କରିବା ପାଇଁ ଏକ ସୁସଂଗଠିତ ଦଳ ଆବଶ୍ୟକ ବୋଲି କୁହାଯାଇଛି।

‘ସୃଜନିକା’ର ଆହ୍ୱାନ, ‘ଓଡ଼ିଆ ବିଭବ’ର ଭବିଷ୍ୟତକୁ ନେଇ ଆଗ୍ରହୀ ବ୍ୟକ୍ତି ଓ ସଂଗଠନଗୁଡ଼ିକ ନିଜର ସମ୍ପୃକ୍ତି, ଆଗ୍ରହ ଓ ସହଯୋଗର ଦିଗ ସମ୍ପର୍କରେ ମତ ରଖନ୍ତୁ, ଯାହା ଆଧାରରେ ଏକାଠି ହୋଇ ଆଗାମୀ ଯୋଜନା ପ୍ରସ୍ତୁତ କରାଯାଇପାରିବ।

‘ଓଡ଼ିଆ ବିଭବ’ର ଭବିଷ୍ୟତ ଏବେ ଏକ ନିର୍ଣ୍ଣାୟକ ମୋଡ଼ରେ। ଏହାକୁ ଆହୁରି ଶକ୍ତିଶାଳୀ ଡିଜିଟାଲ ଐତିହ୍ୟ ଭଣ୍ଡାରରେ ପରିଣତ କରିବାକୁ ସମୂହ ସହଯୋଗ ଓ ସୁସଂଗଠିତ ପରିଚାଳନା ହିଁ ମୁଖ୍ୟ ଆବଶ୍ୟକତା ବୋଲି କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.