ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଯାତ୍ରୀମାନଙ୍କ ସୁବିଧା ବୃଦ୍ଧି କରିବା ଲକ୍ଷ୍ୟରେ, ପୂର୍ବ ତଟ ରେଳପଥ ୨୮ ସେପ୍ଟେମ୍ବର ୨୦୨୬ ଠାରୁ ପରୀକ୍ଷାମୂଳକ ଭାବେ ନର୍ଲା ରୋଡ୍ ଷ୍ଟେସନରେ ଟ୍ରେନ୍ ନଂ ୧୭୪୮୨/୧୭୪୮୧ ବିଳାସପୁର-ତିରୁପତି-ବିଳାସପୁର ଦ୍ୱି-ସାପ୍ତାହିକ (ସାପ୍ତାହିକ ଦୁଇଥର ଚାଲୁଥିବା) ଏକ୍ସପ୍ରେସ ର ରହଣି ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛି। ୨୭ ସେପ୍ଟେମ୍ବର ୨୦୨୬ରେ ତିରୁପତିରୁ ଛାଡ଼ୁଥିବା ଟ୍ରେନ୍ ନଂ ୧୭୪୮୨ ତିରୁପତି-ବିଲାସପୁର ଦ୍ୱି-ସାପ୍ତାହିକ ଏକ୍ସପ୍ରେସ୍, ନର୍ଲା ରୋଡ୍ ଷ୍ଟେସନରେ ୨୮ ସେପ୍ଟେମ୍ବର ୨୦୨୬ ଦିନ ୧୦:୦୮ ଘଟିକାରେ ପହଞ୍ଚିବ ଏବଂ ୧୦:୧୦ ଘଟିକାରେ ବିଲାସପୁର ଅଭିମୁଖେ ଯାତ୍ରା ଆରମ୍ଭ କରିବ। ସେହିଭଳି ୨୯ ସେପ୍ଟେମ୍ବର ୨୦୨୬ରେ ବିଲାସପୁରରୁ ଛାଡ଼ୁଥିବା ଟ୍ରେନ୍ ନଂ ୧୭୪୮୧ ବିଲାସପୁର-ତିରୁପତି ଦ୍ୱି-ସାପ୍ତାହିକ ଏକ୍ସପ୍ରେସ୍, ନର୍ଲା ରୋଡ୍ ଷ୍ଟେସନରେ ୨୧:୩୮ ଘଟିକାରେ ପହଞ୍ଚିବ ଏବଂ ୨୧:୪୦ ଘଟିକାରେ ତିରୁପତି ଅଭିମୁଖେ ଯାତ୍ରା ଆରମ୍ଭ କରିବ। ଗତ ୪ ବର୍ଷ ଧରି ରେଳବାଇ କତ୍ତୃପକ୍ଷ ଙ୍କୁ ପୂର୍ବରୁ ରହଣୀ ରହିଥିବା ଏକ୍ସପ୍ରେସ ଟ୍ରେନ ଗୁଡିକର ପୁନଃ ରହଣୀ ନିମନ୍ତେ ଅନୁରୋଧ ପତ୍ର ଦେଇ ନିରାଶ ହେବା ପରେ ନର୍ଲା ସ୍ୱାଭିମାନ ମଞ୍ଚ ଗତ ଜୁଲାଇ ୧ ତାରିଖ ରେ ନର୍ଲାରୋଡ ଷ୍ଟେସନରେ ରେଳରୋକ ଆନ୍ଦୋଳନ କରିଥିଲା। ଏଥିରେ ଅଞ୍ଚଳର ସମସ୍ତ ରାଜନୈତିକ ଦଳର ନେତୃବୃନ୍ଦ, ବୁଦ୍ଧିଜିବୀ, ଯୁବ ସମାଜ, ମହିଳା ଗୋଷ୍ଠୀ ଓ ଜନସାଧାରଣ ସାମିଲ ହୋଇଥିଲେ। ହେଲେ ଅଞ୍ଚଳବାସୀଙ୍କ ମୁଖ୍ୟ ଦାବୀ ରହିଥିବା ବିଶାଖାପାଟଣା-ନିଜାମୁଦ୍ଦିନ ସମତା ସୁପର ଫାଷ୍ଟ ଏକ୍ସପ୍ରେସ ଟ୍ରେନ ରହଣୀ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ରେଳବାଇ ଉଚ୍ଚ କତୃପକ୍ଷ ନିରାଶ କରି ଥିବାରୁ ଅଞ୍ଚଳ ବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।





