ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ସ୍ମୃତିରେ ପ୍ରଗତି ଶିକ୍ଷାନୁଷ୍ଠାନରେ ଶୋକସଭା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ପ୍ରଗତି ଶିକ୍ଷାନୁଷ୍ଠାନ ପକ୍ଷରୁ ପ୍ରଗତି କନ୍ସେପ୍ଟ ସ୍କୁଲ୍‌ର ଆକ୍ଟିଭିଟି ହଲ୍‌ଠାରେ ବିଶିଷ୍ଟ ଶିକ୍ଷାବିତ୍‌ ସ୍ୱର୍ଗତ ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ସ୍ମୃତିରେ ଏକ ଶୋକସଭା ଆୟୋଜିତ ହୋଇଥିଲା। ତାଙ୍କର ଶିକ୍ଷାକ୍ଷେତ୍ର ପ୍ରତି ଅବଦାନ, ମୂଲ୍ୟବୋଧ ଏବଂ ସମାଜ ପ୍ରତି ତାଙ୍କର ଅମୂଲ୍ୟ ଅବଦାନକୁ ସ୍ମରଣ କରି ଉପସ୍ଥିତ ସମସ୍ତେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଶୋକସଭାରେ ପ୍ରଗତି ଶିକ୍ଷାନୁଷ୍ଠାନର ସଚିବ ଇଞ୍ଜିନିୟର ଅଜୟ ପଣ୍ଡା ନେତୃତ୍ୱ ପ୍ରଦାନ କରି ସ୍ୱର୍ଗତ ପ୍ରଫେସର ବେହେରାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ତାଙ୍କର ମହାନ ଅବଦାନ, ଆଦର୍ଶ ଓ ସମାଜ ପ୍ରତି ରହିଥିବା ଅବିସ୍ମରଣୀୟ ପ୍ରଭାବକୁ ସେ ସ୍ମରଣ କରିଥିଲେ।କାର୍ଯ୍ୟକ୍ରମକୁ ପ୍ରଗତି କନ୍ସେପ୍ଟ ସ୍କୁଲ୍‌ର ଅଧ୍ୟକ୍ଷ ଚିନ୍ମୟ ଗୁରୁ ସଂଚାଳନ କରିଥିଲେ ଏବଂ ସ୍ୱର୍ଗତ ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ଜୀବନଯାତ୍ରା ଉପରେ ଏକ ସ୍ୱତନ୍ତ୍ର ପାୱାରପଏଣ୍ଟ୍‌ ପ୍ରସ୍ତୁତି ପ୍ରଦର୍ଶନ କରିଥିଲେ। ଏଥିରେ ପ୍ରଫେସର ବେହେରାଙ୍କ ଶିକ୍ଷାଜୀବନ, ଶିକ୍ଷାକ୍ଷେତ୍ରରେ ତାଙ୍କର ଅବଦାନ ଏବଂ ସମାଜ ଉପରେ ତାଙ୍କର ଗଭୀର ପ୍ରଭାବ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ, ବିଶିଷ୍ଟ ଶିକ୍ଷାବିତ୍‌ ଡ. ଅଜୟ ମିଶ୍ର, ପ୍ରଗତି ଶିକ୍ଷାନୁଷ୍ଠାନର, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, ପ୍ରଗତି ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଶେଷଦେବ ମୁଣ୍ଡ, ପ୍ରଗତି ଡ଼ିଗ୍ରୀ କଲେଜର ଅଧ୍ୟକ୍ଷ ଦିଗେଶ୍ୱର ବେମାଲ, KSVP ର ସଦସ୍ୟବୃନ୍ଦ, ପ୍ରଗତି ଶିକ୍ଷାନୁଷ୍ଠାନର ସମସ୍ତ ଅଧ୍ୟାପକ ଅଧ୍ୟାପିକା, ଶିକ୍ଷକ-ଶିକ୍ଷୟିତ୍ରୀ, ଶିକ୍ଷାନୁଷ୍ଠାନର ସଦସ୍ୟ ଏବଂ ଅନ୍ୟାନ୍ୟ ଶୁଭେଚ୍ଛୁମାନେ ଯୋଗଦେଇ ସ୍ୱର୍ଗତ ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ସହ ଜଡ଼ିତ ସ୍ମୃତି ଓ ଅନୁଭୂତି ବାଣ୍ଟିଥିଲେ। ଶେଷରେ ସମସ୍ତେ ସ୍ୱର୍ଗତ ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ପବିତ୍ର ଆତ୍ମାର ସଦ୍‌ଗତି ଓ ଚିରଶାନ୍ତି କାମନା କରିଥିଲେ। “ସ୍ୱର୍ଗତ ପ୍ରଫେସର ଗୋପବନ୍ଧୁ ବେହେରାଙ୍କ ମହାନ ଆତ୍ମାର ସଦ୍‌ଗତି ହେଉ। ତାଙ୍କର ଅମର ସ୍ମୃତି ଓ ଆଦର୍ଶ ସମସ୍ତଙ୍କୁ ସଦା ପ୍ରେରଣା ଦେଉ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.