ବାହାର ରାଜ୍ୟକୁ ଦାଦନ ଶ୍ରମିକ ଚାଲାଣ ପୂର୍ବରୁ ସିନାପାଲି ପୁଲିସର ଚଢ଼ାଉ

ଓଡ଼ିଆ ବାର୍ତ୍ତା/ ନୂଆପଡା (ରିଖିରାମ ଦଳ): ସିନାପାଲି ଗୋଡାଲ ଛକରୁ ୬ ଜଣ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଚାଲାଣ ଅଭିଯୋଗରେ ୨ ଜଣ ଦାଦନ ସର୍ଦ୍ଦାରଙ୍କୁ ଗିରଫ କରିଛି ପୁଲିସ। ଉଦ୍ଧାର ଶ୍ରମିକମାନଙ୍କୁ ଆନ୍ଧ୍ରପ୍ରଦେଶର ବିଜୟୱାଡାକୁ ନେବାକୁ ଯୋଜନା ହୋଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ସିନାପାଲି ଥାନା ଅଧୀନ ବୈଗାପଡ଼ାର ନରେଶ ସାହୁ (୨୭) ଓ ରାଣୀମୁଣ୍ଡାର ଭେଟୁ ଚିନ୍ଦା (୪୦)। ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ପୋଲିସ ସୂଚନା ଅନୁସାରେ, ଏଏସ୍‌ଆଇ ନେତ୍ରାନନ୍ଦ ସେନାପତିଙ୍କ ନେତୃତ୍ୱରେ ପୁଲିସ ଟିମ୍ ପାଟ୍ରୋଲିଂ କରୁଥିଲା। ଏହି ସମୟରେ ଗୋଡାଲ ଛକରେ କିଛି ଶ୍ରମିକଙ୍କୁ ବାହାର ରାଜ୍ୟକୁ ନେବା ପାଇଁ ଏକତ୍ରିତ କରାଯାଇଥିବା ନେଇ ସୂଚନା ମିଳିଥିଲା। ସୂଚନା ପାଇ ପୁଲିସ ଟିମ୍ ଗୋଡାଲ ଛକରେ ପହଞ୍ଚି ଯାଞ୍ଚ କରିଥିଲା। ସେଠାରେ ୬ ଜଣ ପୁରୁଷ ଶ୍ରମିକ ବସ୍‌କୁ ଅପେକ୍ଷା କରିଥିବା ଦେଖାଯାଇଥିଲା। ପଚରାଉଚରାରୁ ସେମାନଙ୍କୁ ବିଜୟୱାଡା ନେବା ପାଇଁ ଯୋଜନା ହୋଇଥିବା ଜଣାପଡ଼ିଥିଲା। ବାହାର ରାଜ୍ୟକୁ ଯିବା ପୂର୍ବରୁ ପୁଲିସ ସମସ୍ତ ଶ୍ରମିକଙ୍କୁ ଅଟକାଇ ଉଦ୍ଧାର କରିଥିଲା। ଶ୍ରମିକମାନଙ୍କ ସହ ଥିବା ନରେଶ ଓ ଭେଟୁଙ୍କୁ ପୋଲିସ କାବୁ କରି ଥାନାକୁ ଆଣିଥିଲା। ପ୍ରାଥମିକ ତଦନ୍ତରେ ଅଧିକ ରୋଜଗାରର ପ୍ରଲୋଭନ ଦେଖାଇ ଶ୍ରମିକମାନଙ୍କୁ ବିଜୟୱାଡା ନେବାକୁ ଯୋଜନା ହୋଇଥିବା ନେଇ ପୁଲିସ ତଦନ୍ତ କରୁଛି। ଯାଞ୍ଚ ସମୟରେ ଶ୍ରମିକ ଚାଲାଣ ସମ୍ପର୍କିତ ଆବଶ୍ୟକ ବୈଧ କାଗଜପତ୍ର ଅଭିଯୁକ୍ତମାନେ ଦେଖାଇପାରିନଥିବା ପୁଲିସ ପକ୍ଷରୁ କୁହାଯାଇଛି। ଏହି ଘଟଣାରେ ସିନାପାଲି ଥାନାରେ ମାମଲା ରୁଜୁ ହୋଇଛି। ଚାଲାଣ ପଛରେ ଆଉ କୌଣସି ଦଲାଲ କିମ୍ବା ବ୍ୟକ୍ତିଙ୍କ ସମ୍ପୃକ୍ତି ରହିଛି କି ନାହିଁ, ଶ୍ରମିକମାନଙ୍କୁ କେଉଁଠାରେ ଓ କେଉଁ କାମରେ ନିୟୋଜିତ କରାଯାଇଥାନ୍ତା ସେନେଇ ପୁଲିସ ତଦନ୍ତ ଜାରି ରଖିଛି। ସିନାପାଲି ଥାନା ଅଧିକାରୀ ମହେଶ୍ବର ପାଣିଗ୍ରାହୀଙ୍କ ସୂଚନା ଅନୁସାରେ, ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.