ବର୍ଷା ଆଶାରେ ଆକାଶକୁ ଅନେଇ ବସିଛନ୍ତି ନର୍ଲାର ଚାଷିକୂଳ

ଆସନ୍ନ ମରୁଡିର ପଦଧ୍ୱନୀ: ସାହାରା ସାଜିଛି ମୋଟର ପମ୍ପ, ଚାଷୀ ମୁଣ୍ଡରେ ଚଡକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ଏକ ଅଣ ଜଳସେଚିତ ଅଞ୍ଚଳ ହୋଇଥିବା ବେଳେ ଏଠିକାର ଚାଷୀ ଚାଷ କାର୍ଯ୍ୟ ପାଇଁ ବର୍ଷାପାଣି ଉପରେ ସମ୍ପୁର୍ଣ୍ଣ ଭାବରେ ନିର୍ଭର କରିଥାନ୍ତି। ଆଉ ଭଲ ବର୍ଷା ହେଲେ ତ ଠିକ୍। ନହେଲେ ମରୁଡିର କଷାଘାତରେ ଚାଷୀଙ୍କ ମେରୁଦଣ୍ଡ ଦୋହଲି ପଡିଥାଏ। ନର୍ଲା ରେ ୨୦୧୬ ରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା । ୨୦୧୭ ଓ ୨୦୧୮ ରେ ପ୍ରବଳ ବନ୍ୟା ହୋଇ ଚାଷ କ୍ଷୟକ୍ଷତି ହୋଇଥିଲା। ୨୦୧୯ ଓ ୨୦୨୦ ମସିହାରେ ବର୍ଷା ଠିକ୍ ଅନୁପାତରେ ହୋଇଥିଲା। ହେଲେ ବାରମ୍ବାର ଲଘୁଚାପ ଜନିତ ବନ୍ୟା ଓ ଚକଡା ରୋଗ ଯୋଗୁଁ ଅନେକ ଚାଷୀ ନୟାନ୍ତ ହୋଇ ପଡିଥିଲେ। ଗତ ଚାରି ବର୍ଷ ଧରି ଭଲ ବର୍ଷା ଯୋଗୁଁ ନର୍ଲା ଅଞ୍ଚଳର ଧାନ ଚାଷ ମଧ୍ୟ ଭଲ ହୋଇଥିବାରୁ ଧାନ ବିକ୍ରୟ କରି ଅଞ୍ଚଳର ଚାଷୀକୁଳ ଭଲ ଦୁଇ ପଇସା ପାଇଥିଲେ ସେମାନଙ୍କର କଷ୍ଟ ଅର୍ଜିତ ଚାଷରୁ। ନର୍ଲା ଅଞ୍ଚଳ ଅଣ ଜଳ ସେଚିତ ଅଞ୍ଚଳକୁ ବର୍ଷାର ଲୁଚକାଳି ଖେଳ ଦାଉ ସାଧୁଛି ଚାଷୀଙ୍କୁ। ଚଳିତ ବର୍ଷ ଆରମ୍ଭରୁ ଭଲ ବର୍ଷା ହୋଇଥିବା ବେଳେ କେତେକ ବିଲରେ ଧାନ କେଣ୍ଡା କେଣ୍ଡା ହୋଇ ପାଚିବା ଆରମ୍ଭ ହୋଇଛି ତ ଆଉ କେତେକ ଜମିରେ ଧାନ କେଣ୍ଡା ବାହାରି ଫୁଲ ଧରିଛି। କ୍ଷେତରେ ପାଣି ନାହିଁ। ଜମି ସବୁ ସୁଖି ଫାଟି ଆଁ କଲାଣି। ଆଉ ଗୋଟାଏ ସପ୍ତାହ ବର୍ଷା ନହେଲେ ମରୁଡି ସୁନିଶ୍ଚିତ ବୋଲି ଚାଷୀ ମୁଣ୍ଡରେ ହାତ ଦେଇ ବସିଲାଣି। ଚଳିତ ବର୍ଷ ଚାଷକାର୍ଯ୍ୟ ଆରମ୍ଭରୁ ଭଲ ବର୍ଷା ହୋଇଥିବାରୁ ଅନେକ ଚାଷୀ ଚଳିତ ବର୍ଷ ଫସଲ ବୀମା ମଧ୍ୟ କରିନଥିବା ଜଣାପଡିଛି। ବର୍ଷା ଅଭାବରେ ବର୍ତ୍ତମାନ ଧାନ ଚାଷର ପରିସ୍ଥିତି ଯାହା ହେଲାଣି ଯଦି ଏହି ସପ୍ତାହକ ମଧ୍ୟରେ ବର୍ଷା ନହୁଏ ତାହେଲେ ପରେ ଅମୃତ ବର୍ଷା ହେଲେ ମଧ୍ୟ ଆଉ ଧାନଚାଷ ସଫଳ ହେବାର ସମ୍ଭାବନା ନାହିଁ ବୋଲି ଅନୁଭବି ଚାଷୀ ମାନେ ମତବ୍ୟକ୍ତ କରିଛନ୍ତି। ଅନେକ ଘାତ ପ୍ରତିଘାତ, ରୋଗ, ପୋକ ଦାଉରୁ ଦୁଇରୁ ତିନିଥର ଔଷଧ ସିଞ୍ଚନ କରି ଧନ ଫସଲକୁ ଶେଷ ପର୍ଯ୍ୟନ୍ତ ନେଇଆସି ଧାନ ଅମଳ କରିବା ବେଳକୁ ମରୁଡିର ପଦଧ୍ୱନୀ ନର୍ଲା ଅଞ୍ଚଳର ଚାଷୀ କୂଳକ ଚିନ୍ତାରେ ପକାଇଛି। ବହୁମୂଲ୍ୟ ଦେଇ ବଜାରରୁ ଧାନ ବିହନ କଣି ଅନେକ ଖର୍ଚ୍ଚାନ୍ତ ହୋଇ ଚାଷ କରିଥିଲେ ଚାଷୀ। ବ୍ୟାଙ୍କ୍ ଓ ମହାଜନୀ ପାଖରୁ ଋଣ କରଜ କରି ଚାଷ କରି ଅନେକ ଆଶା ନେଇ ଚାଷ କରିଥିବା ବେଳେ ଏବେ ଇନ୍ଦ୍ର ଦେବତା ଠକି ଦେବାକୁ ବସିଛନ୍ତି। କୁଟୁମ୍ବ ପ୍ରତିପୋଷଣ କରିବା ପାଇଁ କେମିତି ବର୍ଷକର ଆୟ କରିବ। ଧାର, କରଜ କେମିତି ଶୁଝିବ ଏଇ ଚିନ୍ତାରେ ଚାଷୀ ମର୍ମାହତ ହୋଇପଡିଛନ୍ତି। ଧାନ କେଣ୍ଡା କେଣ୍ଡା ହୋଇ ଫଳି କ୍ଷେତରେ ଲହଡି ମାରୁଛି। ଫସଲ ପାଚିବାକୁ ଯାଉଥିବା ସମୟରେ ବର୍ଷାର ଲୁଚକାଳୀ ଖେଳ ଚାଷୀଙ୍କୁ ନୟାନ୍ତ କରି ପକାଇଛି। ନିଜ ଜମିର ଆଖ ପାଖରେ ରହିଥିବା ପୁଷ୍କରିଣୀ, କୂଅ, ନାଳ ପ୍ରଭୃତି ସ୍ଥାନରୁ ମୋଟର ପମ୍ପ ଯୋଗେ ପାଣି ଉଠାଇ ଫସଲ ବଞ୍ଚାଇବାର ଆପ୍ରାଣ ଉଦ୍ୟମ କରୁଛି ଚାଷୀ। ହେଲେ ଯେଉଁ ଚାଷୀ ମାନଙ୍କ କ୍ଷେତ ପାଖରେ ସେ ସବୁର ସୁବିଧା ନାହିଁ। ସେମାନେ କର୍ମକୁ ଆଦରି ଇନ୍ଦ୍ର ଦେବତାଙ୍କୁ ଭରଷା କରି ବସିଛନ୍ତି। କାଳେ ବର୍ଷା ଟିକେ ହୋଇଯାଆନ୍ତା। ଫଳରେ ସେମାନଙ୍କ ଫସଲ ଗଣ୍ଡାକ ପାଚି ଯାଆନ୍ତା। ଅକ୍ଟୋବର ୧୦ ତାରିଖ ପୂର୍ବରୁ ମଧ୍ୟ ଠିକ ଏମିତି ପରିସ୍ଥିତି ସୃଷ୍ଟି ହୋଇଥିଲା। ହେଲେ ଅକ୍ଟୋବର ୧୩ ଓ ୧୪ ତାରିଖ ଦୁଇଦିନ ସଂଧ୍ୟା ୬ ଟା ସମୟରେ ଭଲ ବର୍ଷା ଟିକକ ହେବାରୁ ଫସଲ ରକ୍ଷା ହୋଇ ଯାଇଥିଲା। ଏବେ ମଧ୍ୟ ଭଲ ବର୍ଷା ଗୋଟାଏ ହେଲେ ଧାନ ପାଚି ଯାଇ ପାରନ୍ତା ବୋଲି ଚାଷୀ ଆଶା କରି ଆକାଶକୁ ଅନାଇ ବସିଛି। ଅକ୍ଟୋବର ୨୬ ରେ ଏକ ବଡ ଧରଣର ବାତ୍ୟା ହେଵ ବୋଲି ପାଣିପାଗ ବିଭାଗ ଘୋଷଣା ତ କରିଛି। ହେଲେ ଦେଖାଯାଉ ଇନ୍ଦ୍ର ଦେବଙ୍କ କୃପା କେବେ ହେଉଛି?

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.