୧୨.୩୩ ଲକ୍ଷ ଟଙ୍କା ସରକାରୀ ଅର୍ଥ ହେରଫେର ଅଭିଯୋଗ: ବାଣୁଆଗୁଡା ପଞ୍ଚାୟତର ପୂର୍ବତନ ଡାଟା ଏଣ୍ଟ୍ରି ଅପରେଟର ଓ ଗ୍ରାମ ମେଟ୍‌ ଗିରଫ

ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ୍‌ ଅନ୍ତର୍ଗତ ବାଣୁଆଗୁଡ଼ା ଗ୍ରାମପଞ୍ଚାୟତରେ ୧୨ ଲକ୍ଷ ୩୩ ହଜାର ୪୩୫ ଟଙ୍କା ସରକାରୀ ଅର୍ଥ ହେରଫେର ଓ ଆତ୍ମସାତ୍‌ ଅଭିଯୋଗରେ ଦୁଇ ଜଣଙ୍କୁ ଭିଜିଲାନ୍ସ ଗିରଫ କରିଛି। ଗିରଫ ଦୁଇ ଜଣ ହେଲେ ବାଣୁଆଗୁଡ଼ା ପଞ୍ଚାୟତର ପୂର୍ବତନ ସହକାରୀ ତଥ୍ୟ ପ୍ରବେଶ ଅଧିକାରୀ ତଥା ପୂର୍ବତନ ଗ୍ରାମ ରୋଜଗାର ସେବକ ଜି. ଶଙ୍କର ଏବଂ ଉକ୍ତ ପଞ୍ଚାୟତର ଗ୍ରାମ ମେଟ୍‌ ଲାଇଖନ ନାୟକ। ଶଙ୍କର ବର୍ତ୍ତମାନ ଲମତାପୁଟ ବ୍ଲକ୍‌ରେ ସହକାରୀ ତଥ୍ୟ ପ୍ରବେଶ ଅଧିକାରୀ ଭାବେ କାର୍ଯ୍ୟରତ ଅଛନ୍ତି। ଭିଜିଲାନ୍ସର ପ୍ରେସ୍‌ ବିଜ୍ଞପ୍ତି ଅନୁଯାୟୀ, ବାଣୁଆଗୁଡ଼ା ପଞ୍ଚାୟତରେ ସରକାରୀ ଅନୁଦାନରେ ହାତକୁ ନିଆଯାଇଥିବା ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପରେ ଅନିୟମିତତା ହୋଇଥିବା ଅଭିଯୋଗ ରହିଛି। ଜମିରେ କୌଣସି କାମ ନକରି ମିଥ୍ୟା କାଗଜପତ୍ର ଓ ରେକର୍ଡ ପ୍ରସ୍ତୁତ କରି ପ୍ରକଳ୍ପ କାର୍ଯ୍ୟ ସମ୍ପନ୍ନ ହୋଇଥିବା ଦର୍ଶାଯାଇଥିଲା। ଏହିପରି ଚାରିଟି ପ୍ରମୁଖ ପ୍ରକଳ୍ପ ସହ ଜଡ଼ିତ ଅର୍ଥ ହେରଫେର ଅଭିଯୋଗରେ ଦୁଇ ଜଣଙ୍କ ସମ୍ପୃକ୍ତି ଥିବା ଭିଜିଲାନ୍ସ ଦର୍ଶାଇଛି। ଏହି ଘଟଣାରେ କୋରାପୁଟ ଭିଜିଲାନ୍ସ ଥାନାରେ ୨୩ ଅକ୍ଟୋବର ୨୦୨୬ରେ ମାମଲା ନମ୍ବର ୨୩ ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତା (ବିଏନ୍‌ଏସ୍‌)ର ଧାରା ୩୧୬(୫), ୩୩୬(୩), ୩୪୦(୨), ୩୪୪ ଓ ୬୧(୨) ଅନୁଯାୟୀ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଉଭୟଙ୍କୁ ଜୟପୁରସ୍ଥିତ ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତିଙ୍କ ଅଦାଲତକୁ ଚାଲାଣ କରାଯାଇଛି। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.