ଓଡ଼ିଆ ବାର୍ତ୍ତା/ ସଇଁତଲା (ରମାକାନ୍ତ ରାଜପଲିଆ): ଓଡ଼ିଶା ସରକାରଙ୍କ ‘ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା’ର ତୃତୀୟ ପର୍ଯ୍ୟାୟ ଅଧିନରେ ଆଜି ସଇଁତଲା ବ୍ଲକର କୁମ୍ଭାରୀ, ଗଣ୍ଡପତ୍ରାପାଲି, ବୁଢ଼ାବାହାଲ ଓ ଝିଙ୍କିଡୁଙ୍ଗୁରି ସ୍ଥିତ ପ୍ରାଥମିକ ବିଦ୍ୟାଳୟର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଅଞ୍ଚଳର ଜନସାଧାରଣ ଏହି ଯୋଜନାର ପ୍ରଶଂସା ସହ ରାଜ୍ୟ ସରକାରଙ୍କ ନିକଟରେ ଏନେଇ କୃତଜ୍ଞତା ଜ୍ଞାପନ କରିଛନ୍ତି| ଏହି ଉପଲକ୍ଷେ ଝିଙ୍କିଡୁଙ୍ଗୁରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟିତ୍ରୀ ରେଣୁବିକା ଭୋଇଙ୍କ ଅଧ୍ୟକ୍ଷତା ଓ ଛନଛଡ଼ା ସିଆରସିସି ପ୍ରମୋଦ କୁମାର ବୁଡ଼େକଙ୍କ ସଂଯୋଜନାରେ ସଭା ଅନୁଷ୍ଠିତ ହୋଇଥିଲା| ଜିଲ୍ଲା ପରିଷଦ ସଭ୍ୟ ହିମାଞ୍ଚଳ ବୁଡ଼େକ ମୁଖ୍ୟ ଅତିଥି, ସାଂସଦ ପ୍ରତିନିଧି ଅକ୍ଷୟ ରଣା, ଟିଟିଲାଗଡ଼ ବିଧାୟକଙ୍କ ପ୍ରତିନିଧି ବିମଲ ଶର୍ମା, ଝିଙ୍କିଡୁଙ୍ଗୁରି ସରପଞ୍ଚ ପୁଷ୍ପାଞ୍ଜଳି ମାଝୀ, ସମିତି ସଭ୍ୟା ଗୀତାଞ୍ଜଳି ଖଣ୍ଡଗିରି, ସିଆରସିସି ଟିକେଶ୍ୱର ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ| ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଏବଂ ଗ୍ରାମାଞ୍ଚଳର ପିଲାମାନଙ୍କୁ ଉନ୍ନତମାନର ଶିକ୍ଷା ପ୍ରଦାନ କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ଯାହା ଆଗାମୀ ଦିନରେ ‘ବିକଶିତ ଓଡ଼ିଶା’ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ବକ୍ତାଗଣ ମତ ପ୍ରକାଶ କରିଥିଲେ| ଶେଷରେ ଝିଙ୍କିଡୁଙ୍ଗୁରି ସିଆରସିସି ଜୟଶଙ୍କର ଶତପଥି ଧନ୍ୟବାଦ ଅର୍ପଣ କରିଥିଲେ| ଝିଙ୍କିଡୁଙ୍ଗୁରି ପଞ୍ଚାୟତର ବିଭିନ୍ନ ଗ୍ରାମରୁ ବହୁ ସଂଖ୍ୟାରେ ଜନସାଧାରଣ ସଭାରେ ସାମିଲ ହୋଇଥିଲେ| ପ୍ରାଥମିକ ବିଦ୍ୟାଳୟ ପରିଚାଳନା ସମିତି କର୍ମକର୍ତ୍ତା, ଆଞ୍ଚଳିକ ସାଧନ କେନ୍ଦ୍ର ଅଧିନ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ ଓ ଗ୍ରାମବାସୀ କାର୍ଯ୍ୟକ୍ରମ ଆୟୋଜନରେ ସହଯୋଗ କରିଥିଲେ|






