ଧାନ ବିଲରୁ ମୁଣ୍ଡବିହୀନ ଅଜଣା ମୃତଦେହ ଠାବ ଘଟଣା: ଶବ ଚିହ୍ନଟ ପରେ ଉଦ୍ଧାର ଓ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ଥାନା ଅନ୍ତର୍ଗତ ଲଡୁଗାଁ-ସୁପାଡ ରାସ୍ତାର ବିଅରବାର ନିକଟସ୍ଥ ଏକ ଚାଷ ଜମିରେ ଗୁରୁବାର ଜଣେ ଅଚିହ୍ନା ଯୁବକଙ୍କ ମୁଣ୍ଡ ବିହୀନ ମୃତଦେହ ଠାବ ହୋଇଥିଵା ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ତେବେ ଶୁକ୍ରବାର ଘଟଣା ସ୍ଥଳରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ,ଧର୍ମଗଡ଼ ଉପଖଣ୍ଡ ପୋଲିସ ଅଧିକାରୀ ଭର୍ସିତା ଆଡେପୁ ପହଞ୍ଚି ଥିଲେ। ଏବଂ ସାଇଣ୍ଟିଫିକ ଟିମ୍ ଓ ସନ୍ଧାନୀ କୁକୁର ସାହାଯ୍ୟରେ ତଦନ୍ତ କୁ ଯୋରଦାର କରିଥିଲେ। ତେବେ ମୃତ ଯୁବକ ଜଣକ ଲଡୁଗାଁ ଗ୍ରାମର ରାଜୁ ବାଗ ବୋଲି ତାଙ୍କର ପରିବାର ଲୋକେ ଚିହ୍ନଟ କରିଥିବାବେଳେ ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଅଭିଯୋଗ ଅନୁଯାୟୀ, ଲଡୁଗାଁ ଗ୍ରାମର ରାଜୁ ବାଗ ଗତ ଦୁଇ ଦିନ ହେବ ଘରକୁ ଫେରି ନଥିବା ବେଳେ ତାଙ୍କର ଶାରୀରିକ ଗଠନ ଓ ପୋଷାକ ଏବଂ ଅନ୍ୟାନ୍ୟ ସାମଗ୍ରୀରୁ ପରିବାର ଲୋକେ ରାଜୁ ବୋଲି ସ୍ପଷ୍ଟ ହେଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇ ଫିଙ୍ଗି ଦେଇଥିବା ଅଭିଯୋଗ ଆଣିଛନ୍ତି। ଅନ୍ୟପଟେ ପୋଲିସ ମଧ୍ୟ ପ୍ରାଥମିକ ତଦନ୍ତ ଓ ମୃତଦେହଟି ମୁଣ୍ଡବିହୀନ ଥିବାରୁ ହତ୍ୟା ସନ୍ଦେହ କରୁଛି। ଶୁକ୍ରବାର ଦିର୍ଘ ସମୟ ଧରି ପୋଲିସ କଟାମୁଣ୍ଡ ଖୋଜାଖୋଜି କରିଥିବା ବେଳେ ସାଇଣ୍ଟିଫିକ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଛି। ଏବଂ ସନ୍ଧାନୀ କୁକୁର ସାହାଯ୍ୟରେ ବହୁ ଖୋଜାଖୋଜି ପରେ ମଧ୍ୟ କଟା ମୁଣ୍ଡ ଖୋଜିବାରେ ପୋଲିସ ସଫଳ ହୋଇପାରି ନାହିଁ। ସନ୍ଧ୍ୟାରେ ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ଖୋଜା ଖୋଜି କରିବାରୁ କଟା ମୁଣ୍ଡର କୌଣସି ସନ୍ଧାନ ମିଳିନାହିଁ l ଅନ୍ୟପଟେ ଯେ ପର୍ଯ୍ୟନ୍ତ କଟା ମୁଣ୍ଡ ମିଲି ନାହିଁ ସେପର୍ଯ୍ୟନ୍ତ ଶବ ଉଠାଇ ଦେବୁ ନାହିଁ ବୋଲି ମୃତକଙ୍କ ପରିବାର ଲୋକେ ଅଡ଼ି ବସିଥିବା ବେଳେ ଘଟଣା ସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିଲା। ପୋଲିସ ଦୀର୍ଘ ସମୟ ପରେ ଚାଷ ଜମିରୁ ମୃତଦେହ ଉଦ୍ଧାର କରି ଭବାନୀପାଟଣା କୁ ପଠାଇ ଦେଇଥିବା ଜଣାପଡିଛି। ଅନ୍ୟପଟେ ପୋଲିସ, ଅଗ୍ନିଶମ ବାହିନୀର ସାହାଯ୍ୟରେ ନିକଟସ୍ଥ ନାଲାରେ ଖୋଜାଖୋଜି ଯୋରଦାର କରିଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପଛରେ କେଉଁ କାରଣ ରହିଛି ପୋଲିସ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ। ତେବେ ଘଟଣାର ଦୁଇ ଦିନ ପରେ ମଧ୍ୟ ପୋଲିସ କଟା ମୁଣ୍ଡ ଖୋଜିବାରେ ସଫଳ ହେଇ ନଥିବା ବେଳେ ପୋଲିସ ପାଇଁ ଏହା ଏକ ଚ୍ୟାଲେଞ୍ଜ ହୋଇପଡିଛି। ଏଣେ ଘଟଣା ପରେ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟିଲା ଓ ମୃତଦେହ ଏଠାକୁ ଆସିଲା, ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୋଲିସର ତଦନ୍ତ ପରେ ଘଟଣାର ପ୍ରକୃତ ରହସ୍ୟ ଉନ୍ମୋଚନ ହେବ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.