ବସ୍ତା-ବାଲିଆପାଳ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଧାନସଭାରେ ଦାବି ଉଠାଇଲେ ବିଧାୟିକା

ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନରେ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର; ୪୧.୯୩ କୋଟି ଟଙ୍କା ବ୍ୟୟରେ ୧୦ଟି ଜଳନିଷ୍କାସନ ପ୍ରକଳ୍ପ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ବାରମ୍ବାର ବନ୍ୟା, ଲଗାଣ ବର୍ଷା ଓ ଜଳବନ୍ଦୀ ସମସ୍ୟା ଯୋଗୁଁ ବାଲେଶ୍ୱର ଜିଲ୍ଲାର ବସ୍ତା ଓ ବାଲିଆପାଳ ବ୍ଲକରେ ଚାଷଜମିର ବ୍ୟାପକ କ୍ଷତି ହେଉଥିବାବେଳେ ଏହାର ସ୍ଥାୟୀ ସମାଧାନ ପାଇଁ ବିଧାନସଭାରେ ଏକ ସମନ୍ୱିତ ମାଷ୍ଟର ପ୍ଲାନ୍ ପ୍ରସ୍ତୁତି ଦାବି ଉଠାଇଛନ୍ତି ବସ୍ତା ବିଧାୟିକା ସୁବାସିନୀ ଜେନା। ଗୁରୁବାର ବିଧାନସଭାରେ ତାଙ୍କ ପ୍ରଶ୍ନର ଉତ୍ତର ରଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଭୟ ବ୍ଲକରେ ଜଳନିଷ୍କାସନ ଓ ଜଳସେଚନ ପାଇଁ ଚାଲିଥିବା ବିଭିନ୍ନ ପ୍ରକଳ୍ପ ଏବଂ ସରକାରୀ ପଦକ୍ଷେପ ସମ୍ପର୍କରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ବିଧାୟିକା ଶ୍ରୀମତୀ ଜେନା ଜାଣିବାକୁ ଚାହିଁଥିଲେ ଯେ, ବସ୍ତା ଓ ବାଲିଆପାଳ ବ୍ଲକର କୃଷିଜମିର ସୁରକ୍ଷା ପାଇଁ ପଞ୍ଚାୟତୱାରୀ ଜଳନିଷ୍କାସନ ଓ ବାସ୍ତବ ଜଳସେଚନ ସ୍ଥିତିର ଆକଳନ କରାଯାଇଛି କି ନାହିଁ। ଏଥିସହିତ ସୁବର୍ଣ୍ଣରେଖା ନଦୀ ସମେତ ଅନ୍ୟାନ୍ୟ ଜଳଉତ୍ସକୁ ଆଧାର କରି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ, କେନାଲ ଓ ଡ୍ରେନେଜ୍ ବ୍ୟବସ୍ଥାର ନବୀକରଣ, ଜଳ ସଂରକ୍ଷଣ ଏବଂ ବନ୍ୟାଜଳର ଶୀଘ୍ର ନିଷ୍କାସନକୁ ସାମିଲ କରି ଏକ ପଞ୍ଚାୟତଭିତ୍ତିକ ଓ ସମୟସୀମା ନିର୍ଦ୍ଧାରିତ ‘ବସ୍ତା ସମନ୍ୱିତ ବନ୍ୟା ନିୟନ୍ତ୍ରଣ, ଜଳନିଷ୍କାସନ ଓ ଜଳସେଚନ ମାଷ୍ଟର ପ୍ଲାନ୍’ ପ୍ରସ୍ତୁତ କରିବାକୁ ସରକାର ପଦକ୍ଷେପ ନେବେ କି ବୋଲି ସେ ପ୍ରଶ୍ନ କରିଥିଲେ।

ଉତ୍ତରରେ ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ଉଭୟ ବ୍ଲକର କୃଷିଜମିରେ ଫସଲହାନି ଓ ଜଳସେଚନ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଜଳସମ୍ପଦ ବିଭାଗ ପକ୍ଷରୁ ଏପର୍ଯ୍ୟନ୍ତ ପଞ୍ଚାୟତୱାରୀ ଆକଳନ କରାଯାଇନାହିଁ। ତେବେ ଜଳବନ୍ଦୀ ଅଞ୍ଚଳରୁ ଜଳ ନିଷ୍କାସନ ଏବଂ ସୁବର୍ଣ୍ଣରେଖା ନଦୀକୁ ସଂଯୋଗ କରୁଥିବା ପ୍ରାକୃତିକ ନାଳଗୁଡ଼ିକର ପୁନରୁଦ୍ଧାର ପାଇଁ ଡ୍ରେନେଜ୍ ସଂସ୍ଥା ପକ୍ଷରୁ ପର୍ଯ୍ୟାୟକ୍ରମେ କାର୍ଯ୍ୟ କରାଯାଉଛି। ସରକାରୀ ତଥ୍ୟ ଅନୁଯାୟୀ, ବସ୍ତା ଓ ବାଲିଆପାଳ ବ୍ଲକରେ ପ୍ରାୟ ୪୧.୯୩ କୋଟି ଟଙ୍କା ବ୍ୟୟ ଅଟକଳରେ ୧୦ଟି ପ୍ରମୁଖ ନାଳ ଖନନ ଓ ଜଳନିଷ୍କାସନ ପ୍ରକଳ୍ପ ହାତକୁ ନିଆଯାଇଛି। ଏଥିମଧ୍ୟରୁ ଅକ୍ଟୋବର ୨୦୨୬ ସୁଦ୍ଧା ପ୍ରାୟ ୨୯.୯୯ କୋଟି ଟଙ୍କା ବ୍ୟୟ ହୋଇଛି। ମୋଟ ୧୦ଟି ପ୍ରକଳ୍ପ ମଧ୍ୟରୁ ୭ଟିର କାର୍ଯ୍ୟ ଶେଷ ହୋଇଥିବାବେଳେ ଅବଶିଷ୍ଟ ୩ଟି ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ସମ୍ପୂର୍ଣ୍ଣ ହୋଇଥିବା ୭ଟି ପ୍ରକଳ୍ପ ପାଇଁ ୧,୮୫୯.୮୦ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି।

ବସ୍ତା ବ୍ଲକରେ ଦୁଧହଂସା ଓ ଦାଣ୍ଡିକା ନାଳର ଉନ୍ନତିକରଣ, ମାଟିଆଶୂଳରୁ ଜାତୀୟ ରାଜପଥ-୬୦ ପର୍ଯ୍ୟନ୍ତ ବନ୍ୟାଜଳ ନିଷ୍କାସନ ଏବଂ ହାତୀମରା ନାଳର ପୁନରୁଦ୍ଧାର ଭଳି ୩ଟି ପ୍ରକଳ୍ପ ସମ୍ପୂର୍ଣ୍ଣ ହୋଇଛି। ସେହିପରି ବାଲିଆପାଳ ବ୍ଲକରେ ଗଡ଼ଖାଲ ଓ କଚୁଆ ନାଳର ଉନ୍ନତିକରଣ, କୁମ୍ଭାରୀ ନାଳ ପ୍ରଣାଳୀର ଉନ୍ନତିକରଣ, ପାଞ୍ଚୁପାଲି ନାଳ ପ୍ରଣାଳୀର ଉନ୍ନତିକରଣ ଏବଂ ଡେମୁରିଆ, ବାଲିକୁଟି ଓ ଇଟାପଟୁଆ ନାଳର ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି। ଅନ୍ୟପକ୍ଷରେ, ଉଭୟ ବ୍ଲକରେ ଆଉ ୩ଟି ବୃହତ୍ ଜଳନିଷ୍କାସନ ପ୍ରକଳ୍ପର କାର୍ଯ୍ୟ ଚାଲିଛି। ସେଗୁଡ଼ିକ ହେଲା ପଳପଳା ନାଳ ଓ ଲିଙ୍କ୍ ଡ୍ରେନ୍‌ର ପୁନରୁଦ୍ଧାର, ପେଜଗଳା ନାଳର ପୁନରୁଦ୍ଧାର ସହ ସ୍ଲୁଇସ୍‌ର ଉନ୍ନତିକରଣ ଏବଂ କୁଶଡିହା ନାଳର ଉନ୍ନତିକରଣ। ଜଳସେଚନ କ୍ଷେତ୍ରରେ ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ମାଧ୍ୟମରେ ବସ୍ତା ବ୍ଲକର ୫ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ୩୩ଟି ଗ୍ରାମର ୨,୧୪୮.୦୦୧ ହେକ୍ଟର ଚାଷଜମିକୁ ଜଳସେଚନ ସୁବିଧା ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଆଶା ପ୍ରକାଶ କରିଛନ୍ତି ଯେ, ଚାଲୁ ରହିଥିବା ନାଳ ଖନନ ଓ ପୁନରୁଦ୍ଧାର ପ୍ରକଳ୍ପଗୁଡ଼ିକ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେଲେ ବସ୍ତା ଓ ବାଲିଆପାଳ ଅଞ୍ଚଳର ଦୀର୍ଘଦିନର ଜଳବନ୍ଦୀ ସମସ୍ୟା ହ୍ରାସ ପାଇବା ସହ ଚାଷୀମାନେ ଉପକୃତ ହେବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.