ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ପାଳିତ ହେଲା ଇନ୍ଦିରା ଗାନ୍ଧୀଙ୍କ ୧୦୯ତମ ଜୟନ୍ତୀ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ୧୦୯ତମ ଜୟନ୍ତୀ ଶନିବାର ପୂର୍ବାହ୍ନ ୧୦ଟାରେ ପାଳିତ ହୋଇଯାଇଛି। ଜିଲ୍ଲା କଂଗ୍ରେସ ସଭାପତି ସତ୍ୟଶିବ ଦାସଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସ୍ମୃତିସଭାରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସମେତ ଯୁବ, ଛାତ୍ର ଓ ମହିଳା କଂଗ୍ରେସର ବହୁ କର୍ମୀ ଯୋଗ ଦେଇଥିଲେ। ଏହି ଅବସରରେ ଉପସ୍ଥିତ ନେତା ଓ କର୍ମୀମାନେ ଶ୍ରୀମତୀ ଗାନ୍ଧୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ସଞ୍ଜିବ କୁମାର ଗିରି, ପ୍ରଦେଶ କଂଗ୍ରେସ କମିଟିର ସମ୍ପାଦକ ତୁଷାରକାନ୍ତି ତପସ୍ୱୀ, ଜିଲ୍ଲା କଂଗ୍ରେସ ଉପସଭାପତି ସରୋଜ କୁମାର ଲେଙ୍କା, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉର୍ମିଳା ମାଝୀ, ଏସ୍‌ସି ସେଲ୍‌ର ଜିଲ୍ଲା ସଭାପତି ବିଧାନ ଜେନା, ପ୍ରଦେଶ ମହିଳା କଂଗ୍ରେସ ସମ୍ପାଦିକା ପ୍ରତିମା ପଣ୍ଡା, ଟାଉନ୍ କଂଗ୍ରେସ ସଭାପତି ଅନୁପ କୁମାର ସ୍ୱାଇଁ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ବିଜୟ କୁମାର ମହାନ୍ତି ଓ ଦେବଦତ୍ତ ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ, ସେବାଦଳର ଜିଲ୍ଲା ସଭାପତି ବିଦ୍ୟାଧର ମହାନ୍ତିଙ୍କ ସମେତ ପଶୁପତି ଉପାଧ୍ୟାୟ, ହର୍ଷ ଖନ୍ଦେଲୱାଲ, ବୈରୁଦ୍ୟ ଦାସ, ଜ୍ଞାନେନ୍ଦ୍ର ମହାନ୍ତି ଓ ଲୋକନାଥ ରାଉଳ ପ୍ରମୁଖ ଉପସ୍ଥିତ ଥିଲେ। ବକ୍ତାମାନେ ନିଜ ଅଭିଭାଷଣରେ ଆଧୁନିକ ଭାରତର ନିର୍ମାଣ ଓ ଦେଶର ବିକାଶରେ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମତବ୍ୟକ୍ତ କରିଥିଲେ। ଦେଶ ଓ ଦେଶବାସୀଙ୍କ ପାଇଁ ତାଙ୍କର ତ୍ୟାଗ, ନେତୃତ୍ୱ ଓ ଅବଦାନ ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.