ଭତ୍ତା ବୃଦ୍ଧି ସହ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମିଳିଲା ସକାରାତ୍ମକ ଆଶ୍ୱାସନା
ଲୋକସେବା ଭବନରେ ବିଭାଗୀୟ ସଚିବ, ନିର୍ଦ୍ଦେଶିକା ଓ ବହୁ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଆଲୋଚନା
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ନ୍ୟାୟସଙ୍ଗତ ଦାବି ଓ ବିଭିନ୍ନ ସମସ୍ୟାର ସମାଧାନ ନେଇ ଆଜି ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ ମହିଳା ଓ ଶିଶୁ ବିକାଶ ବିଭାଗ ସହ ପଶ୍ଚିମ ଓଡ଼ିଶା ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ସଂଘର ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଭାଗର ସଚିବ ତଥା କମିଶନର ଡ. ମୃଣାଳିନୀ ଦର୍ଶୱାଲ, ନିର୍ଦ୍ଦେଶିକା ମୋନିଷା ବାନାର୍ଜୀ, ଅତିରିକ୍ତ ଶାସନ ସଚିବ ଜ୍ୟୋତି ନାୟକଙ୍କ ସମେତ ମହିଳା ଓ ଶିଶୁ ବିକାଶ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ରହି ଅଙ୍ଗନବାଡ଼ି କର୍ମୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସଂଘ ପକ୍ଷରୁ କେନ୍ଦ୍ରୀୟ ଆବାହକ ପ୍ରଶାନ୍ତ ପାଢ଼ୀ, ସଭାନେତ୍ରୀ ମୀରା ଦଳବେହେରା, ସାଧାରଣ ସମ୍ପାଦିକା ପ୍ରଭାସିନୀ ପାଢ଼ୀ, ଶୈରିନ୍ଦ୍ରୀ ମହାନନ୍ଦ, ସନ୍ତୋଷିନୀ ବାଘ ପ୍ରମୁଖ ଯୋଗଦେଇ କର୍ମୀ ଓ ସହାୟିକାମାନଙ୍କ ବିଭିନ୍ନ ସମସ୍ୟା ଓ ଦାବିଗୁଡ଼ିକୁ ଦୃଢ଼ତାର ସହ ଉପସ୍ଥାପନ କରିଥିଲେ। ବୈଠକରେ ସରକାରୀ କର୍ମଚାରୀର ମାନ୍ୟତା, ମାସିକ ସର୍ବନିମ୍ନ ୩୫ ହଜାର ଟଙ୍କା ଦରମା, ସମାନ କାମକୁ ସମାନ ଦରମା, ସୁପରଭାଇଜର ପଦବୀକୁ ୧୦୦ ପ୍ରତିଶତ ପଦୋନ୍ନତି ସୁଯୋଗ, SNP ଦର ବୃଦ୍ଧି, ୫୫ ବର୍ଷର କାର୍ଯ୍ୟଦକ୍ଷତା ସମୀକ୍ଷା ସର୍କୁଲାର ପ୍ରତ୍ୟାହାର, ୬୨ ବର୍ଷ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ସେବା, ପେନ୍ସନ୍, ଗ୍ରାଚ୍ୟୁଇଟି ଏବଂ ପୋଷଣ ଟ୍ରାକର୍ର ବୈଷୟିକ ସମସ୍ୟା ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବିଷୟ ଉପରେ ଆଲୋଚନା ହୋଇଥିଲା।
ଅଙ୍ଗନବାଡ଼ି କର୍ମୀମାନେ ଦୀର୍ଘ ୨୦ରୁ ୩୦ ବର୍ଷ ଧରି ଶିଶୁଙ୍କ ପୋଷଣ, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ପ୍ରାକ୍-ବିଦ୍ୟାଳୟ ଶିକ୍ଷା ଏବଂ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇ ଆସୁଥିବାରୁ ସେମାନଙ୍କୁ ଉପଯୁକ୍ତ ଦରମା, ସାମାଜିକ ସମ୍ମାନ ଓ ଅବସରକାଳୀନ ସୁରକ୍ଷା ପ୍ରଦାନ କରିବାକୁ ସଂଘ ଦାବି କରିଥିଲା।

ଆଲୋଚନା ସମୟରେ ବିଭାଗୀୟ ଅଧିକାରୀମାନେ ସଂଘ ପକ୍ଷରୁ ଉପସ୍ଥାପିତ ସମସ୍ତ ଯୁକ୍ତିଯୁକ୍ତ ସମସ୍ୟାକୁ ଗୁରୁତ୍ୱର ସହ ଶୁଣିଥିଲେ। ଅଙ୍ଗନବାଡ଼ି କର୍ମୀଙ୍କ ଦୀର୍ଘଦିନର ସମସ୍ୟାଗୁଡ଼ିକର ସମାଧାନ ଦିଗରେ ସକାରାତ୍ମକ ଆଲୋଚନା ହୋଇଥିବା ସହ ଖୁବ୍ ଶୀଘ୍ର ଭତ୍ତା ବୃଦ୍ଧି ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ କରାଯିବ ବୋଲି ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ସକାରାତ୍ମକ ଆଶ୍ୱାସନା ମିଳିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି। ସରକାରଙ୍କ ସହ ହୋଇଥିବା ଏହି ସକାରାତ୍ମକ ଆଲୋଚନାକୁ ସଂଘ ସ୍ୱାଗତ କରିବା ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କ ଦୀର୍ଘଦିନର ଦାବିଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବାକୁ ଆଶା ପ୍ରକାଶ କରିଛି। କେବଳ ଆଶ୍ୱାସନାରେ ସୀମିତ ନରହି ଦାବିଗୁଡ଼ିକର ଶୀଘ୍ର କାର୍ଯ୍ୟକାରୀ କରି ସମାଧାନ କରିବାକୁ ସଂଘ ପକ୍ଷରୁ ଆହ୍ୱାନ କରାଯାଇଛି। ଅଙ୍ଗନବାଡ଼ି କର୍ମୀଙ୍କ ସମ୍ମାନ, ଅଧିକାର, ନ୍ୟାୟସଙ୍ଗତ ପାରିଶ୍ରମିକ ଓ ଭବିଷ୍ୟତର ଆର୍ଥିକ ସୁରକ୍ଷା ପାଇଁ ସଂଘର ଲଢ଼େଇ ଜାରି ରହିବ ବୋଲି ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ପକ୍ଷରୁ ସ୍ପଷ୍ଟ କରାଯାଇଛି।





