କଳାହାଣ୍ଡି/ଲାଞ୍ଜିଗଡ,୧୪/୧୦ : କୁଆଁର ପୁନେଇ ଜହ୍ନଲୋ ଫୁଲ ବଉଲ ବେଣୀ ……
କୁମାରୀ କନ୍ୟା ମାନଙ୍କ ମନରେ ଆଶାର କିରଣ ବିଞ୍ଛି ଚାଲି ଯାଇଛି ଶରତ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା । ଓଡିଶାରେ ପାଳିତ ହେଉଥିବା ବିଭିନ୍ନ ଓଷା ବ୍ରତ ମଧ୍ୟରେ କୁମାରୀ କନ୍ୟା ମାନଙ୍କ ଦ୍ବାରା ପାଳିତ ହେଉଥିବା କୁମାର ପୁର୍ଣ୍ଣମୀ ନିଜର ସ୍ବତନ୍ତ୍ରତା ପ୍ରତିପାଦନ କରେ । ଏହି ଦିନ ଜହ୍ନି ଓଷା ଶେଷ ହୋଇଥାଏ । କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ, ନର୍ଲା, ମ.ରାମପୁର, ଭବାନୀପାଟଣା, ଥୁଆମୁଲ ରାମପୁର, ଜୟପାଟଣା, ଧର୍ମଗଡ, ଜୁନାଗଡ, କୋକସରା, କେସିଙ୍ଗା, ଗୋଳାମୁଣ୍ଡା, କଲମପୁର ଓ କର୍ଲାମୁଣ୍ଡାର ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣମୀ ଉତ୍ସାହ ଉଦ୍ଦିପନାର ସହ ସମାପନ ହୋଇଛି ।
ଦେବଦେବ ମହାଦେବଙ୍କ ପୁତ୍ର ତଥା ଦେବତା ମାନଙ୍କ ସେନାପତି କାର୍ତ୍ତିକେୟ ସର୍ବଗୁଣ ସଂପନ୍ନ, ମହାଯୋଦ୍ଧା, ତେଜସ୍ବି ଓ ଅତି ସୁନ୍ଦର । ପୁରାଣ ପୃଷ୍ଠା ମାନଙ୍କରେ କାର୍ତ୍ତିକେୟଙ୍କ ତେଜ ପ୍ରତାପ ଓ ବୀର ଗାଥାର ବହୁଳ ବର୍ଣ୍ଣନା ଦେଖିବାକୁ ମିଳିଥାଏ । ପ୍ରତ୍ୟେକ କୁମାରୀ କନ୍ୟା ମାନଙ୍କ ଅଭିଳାଶ ଥାଏ ତାଙ୍କ ବର ସୁନ୍ଦର ତଥା ସର୍ବଗୁଣ ସଂପନ୍ନ ହୋଇଥାନ୍ତୁ, ତେଣୁ ସେମାନେ ନିଷ୍ଠା କାଷ୍ଠାର ସହ ବ୍ରତ ପାଳନ କରି ସରଦ ଚାନ୍ଦକୁ ସାଖି ରଖି କୁମାର କାର୍ତ୍ତିକେୟଙ୍କ ପରି ବର କାମନା କରିଥାନ୍ତି ।
ଏବର୍ଷ ଅକ୍ଟୋବର ୧୩ ତାରିଖ ରବିବାର ଦିନ ଆସିଥିଲା କୁମାର ପୂର୍ଣ୍ଣିମା । ଏଦିନ ମର୍ତ୍ତ୍ୟ ଲୋକକୁ ଅବତରଣ କରିଛନ୍ତି ଗଜଲକ୍ଷ୍ମୀ । ପାର୍ବଣ ଋତୁର ଏହି ଅପୂର୍ବ ସଂଗମରେ ଉଲ୍ଲସିତ ହୋଇ ଉଠିଛି ଧରା । ବିଭିନ୍ନ ସ୍ଥାନରେ କୁମାର ପୂର୍ଣ୍ଣିମା ଓ ଗଜଲକ୍ଷ୍ମୀ ପୂଜା ବେଶ ଧୁମଧାମରେ ପାଳିତ ହୋଇଛି । ଲାଞ୍ଜିଗଡ ବ୍ଲକର ବିଶ୍ବନାଥପୁର, ଲାଞ୍ଜିଗଡ, ଲାଞ୍ଜିଗଡ ରୋଡ ଆଦି ପ୍ରମୂଖ ସ୍ଥାନ ସମେତ ଅନେକ ଗ୍ରାମରେ ରବିବାର ସକାଳୁ ଉପବାସ ରହି ଓଷା ପାଳନ କରିଛନ୍ତି କୁମାରୀ କନ୍ୟା ।
ଏହା ସହ ନର୍ଲାର ଉପରପଡା, ବୁଢିପଦର, ତୁଲାପଡା, ରୁଫ୍ରା, ରୁପ୍ରାରୋଡ, ବାଲିପଡା, ଶାନ୍ତପୁର, ସର୍ଗିଗୁଡା ଆଦି ଗ୍ରାମ ମାନଙ୍କରେ କୁମାରୀ କନ୍ୟା ଓ ବିବାହିତ ମହିଳା ମାନଙ୍କ ଦ୍ବାରା ଜହ୍ନି ଓଷା ବିଧି ମୁତାବକ ପାଳିତ ହୋଇଯାଇଛି ।
ରବିବାର ସକାଳୁ ସକାଳୁ କୁମାରୀମାନେ ପାରମ୍ପାରିକ ବିଧାନ ଅନୁସାରେ ସୂର୍ଯ୍ୟଙ୍କୁ ପୂଜା କରିବା ସହ ଆଞ୍ଜୁଲି ଟେକିଥିଲେ । ଟୋକେଇରେ ଖଇ, ବିଭିନ୍ନ ପ୍ରକାରର ଫଳ, ନଡ଼ିଆ, ପିଠା, ଫୁଲ ରଖି ସନ୍ଧ୍ୟାରେ ଚଉଁରା ମୂଳରେ ପୂଜା କରି ପୂର୍ଣ୍ଣଚନ୍ଦ୍ରକୁ ବନ୍ଦାଣ କରିଥିଲେ । ଜହ୍ନି ଓଷା ନାମରେ ଖ୍ୟାତ ଏହି ଓଷାକୁ ଅତି ନିଷ୍ଠାର ସହ ପାଳନ କରି କୁମାର କାର୍ତ୍ତିକେୟଙ୍କ ପରି ସ୍ବାମୀ ମନାସିଛନ୍ତି କୁମାରୀମାନେ ।