ରାୟଗଡ,୨୫/୧୦ : ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାୟଗଡ ଜିଲ୍ଲାରେ ଗତ ବୁଧବାର ଓ ଗୁରୁବାର ଦୁଇ ଦିନ ଧରି ଲଗାଣ ବର୍ଷା ଲାଗିରହିଛି । ତେବେ ଗୁରୁବାର ଦିନ ସକାଳ ସାଢେ ଆଠଟା ରୁ ଅପରାହ୍ନ ପାଂଚଟା ମଧ୍ୟରେ ଜିଲ୍ଲାର ୧୧ଗୋଟି ବ୍ଲକରେ ୩୫୧.୬ମିଲିମିଟର ସର୍ବମୋଟ ୩୧.୯୬ ପ୍ରତିଶତ ବର୍ଷା ହୋଇଥିବା ରେକର୍ଡ କରାଯାଇଥିବା ସୂଚନା ମିଳିଛି । ରାୟଗଡ ବ୍ଳକରେ ୨୭ମିମି, କୋଲନରାରେ ୨୧.୨ମିମି,
କଲ୍ୟାଣସିଂହପୁରରେ ୧୬ମିମି, କାଶିପୁରରେ ୩୧.୪ମିମି, ଗୁଣପୁରରେ ୧୦ମିମି, ପଦ୍ମପୁରରେ ୧୧.୨ମିମି, ଗୁଡାରୀରେ ୨୯ମିମି, ରାମନାଗୁଡାରେ ୪୦ମିମି, ବିଷମକଟକରେ ୯.୪ମିମି, ମୁନିଗୁଡାରେ ୬୪ମିମି ଓ ଚନ୍ଦ୍ରପୁର ବ୍ଳକରେ ୪୨ମିମି ବର୍ଷା ହୋଇଥିବା ସୂଚନା ମିଳିଛି । ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନର ଜରୁରୀକାଳୀନ ବିଭାଗ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଥିବା ବେଳେ ଗୁଣପୁର ଉପଖଣ୍ଡରେ ପ୍ରବାହିତ ବଂଶଧାରା ଓ ରାୟଗଡ ଉପଖଣ୍ଡରେ ପ୍ରବାହିତ ନାଗାବଳୀ ନଦୀରେ ଜଳସ୍ତର ବୃଦ୍ଧି ହେଲେ ଆବଶ୍ୟକ ସ୍ଥଳେ ତଟବର୍ତ୍ତୀ ଅଂଚଳରେ ବସବାସ କରୁଥିବା ଗ୍ରାମଗୁଡିକର ବାସିନ୍ଦାମାନଙ୍କୁ ନିକଟସ୍ଥ ବାତ୍ୟାସ୍ଥଳୀଗୁଡିକକୁ ସ୍ଥାନାନ୍ତର କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ସେହିପରି ରାୟଗଡ ବ୍ଳକର ଶେଷଖାଲ, ବିଷମକଟକର କୁଟ୍ରାଗଡ ଓ ଗୁଣପୁ୍ରର ବିକ୍ରମପୁର ଠାରେ ଥିବା ବାତ୍ୟା ଆଶ୍ରୟ ସ୍ଥଳୀ ସହ ପ୍ରଭାବିତ ଅଂଚଳରେ ଅଙ୍ଗନବାଡି କେନ୍ଦ୍ର ଓ ବିଭିନ୍ନ ସ୍କୁଲଗୁଡିକରେ ଅସ୍ଥାୟୀ ଅାଶ୍ରୟସ୍ଥଳି ବ୍ୟବସ୍ଥା କରାଯାଇଛି । ତେବେ ଜିଲ୍ଲାରେ ପ୍ରବାହିତ କୈାଣସି ନଦୀନାଳରେ ଜଳସ୍ତର ବୃଦ୍ଧି ହୋଇ ନ ଥିବା ଜଣାପଡିଛି ।