ନର୍ମଦା ବଚାଓ ଭଳି ଏବେ କଳାହାଣ୍ଡି ଜିଲ୍ଲା ମ.ରାମପୁର ସହରର ପ୍ରାଣକେନ୍ଦ୍ର ତଥା ଦିନେ ଜୀବନ ରକ୍ଷା କରିଥିବା ହରିହରସାଗର ନିମନ୍ତେ ଲୋଡ଼ା ହେଲାଣି ହରିହର ବଚାଓ ଆନ୍ଦୋଳନ । ସ୍ୱଚ୍ଛ ତଥା କଳା ମଚ ମଚ ପାଣି, ଯାହାକୁ ନେଇ ମ.ରାମପୁରର ଏକ ସ୍ୱତନ୍ତ୍ର ପରିଚୟ ରହିଆସିଛି ଦୂରଦୂରାନ୍ତରେ । ସେହି ହରିହର ସାଗର ଏବେ କଳୁଷିତ ଏବଂ ବିଷାକ୍ତ ପ୍ରାୟ । ଯାହାର ପାଣି ଆଜକୁ ପ୍ରାୟ ପଚିଶ ବର୍ଷ ତଳେ ରନ୍ଧନ ଉପଯୋଗୀ ଥିଲା ସେହିପାଣି ଆଜି ଗାଧେଇବା ବେଳେ ବି ନାକ ଟେକିବାକୁ୍ ପଡ଼ୁଛି । ବିଭିନ୍ନ ଇଲାକାର ଡ଼୍ରେନ୍ପାଣି,ହୋଟେଲ୍ର ମଇଳାପାଣି ଭଳି ବିଭିନ୍ନ ପଦାର୍ଥର ସମାଗମ ଆଜି ଏହି ସ୍ୱଚ୍ଛପାଣିର ଗୁଣବତ୍ତାକୁ ନଷ୍ଟକରିବାରେ ଲାଗିଛି । ଉନବିଂଶ ଶତାବ୍ଦୀରେ ଜନସାଧାରଣଙ୍କ ଜଳକଷ୍ଟକୁ ଦୂରକରିବା ଉଦ୍ଦେଶ୍ୟରେ ଖନନ ହେଇଥିବା ହରିହର ସାଗରର ଅବସ୍ଥା ଏବେ ଶୋଚନୀୟ ।
କିଛି ବର୍ଷ ତଳେ (ପ୍ରାୟ କୋଡ଼ିଏ) ମରାଳମାଳିନୀ ନୀଳାମ୍ବୁ ଚିଲିକା ପରି ଏହି ସାଗରରେ ଶହ ଶହ ପକ୍ଷୀଙ୍କର ସମାଗମ ଓ ବିଭିନ୍ନ କିସମର ସ୍ୱନ ଅଂଚଳବାସୀଙ୍କୁ ଯେତିକି ଆମୋଦ ଦେଉଥିଲା ସେତିକି ଭାବବିହ୍ୱଳିତ ବି କରୁଥିଲା । ସକାଳର ପହିଲି କିରଣ ସହିତ ପକ୍ଷୀଙ୍କ କଳରବରେ ଲୋକେ ଉଲ୍ଲସିତ ହେଉଥିଲେ । ସୂଚନା ମୁତାବକ ହରିହର ସାଗର ହେଉଛି ଉନବିଂଶ ଶତାବ୍ଦୀରେ ମ.ରାମପୁର ଅଂଚଳରେ ରାଜୁତି କରୁଥିବା ରାଜା ସ୍ୱର୍ଗତ ହରିହର ସିଂହଦେଓଙ୍କ ଅବଦାନ । ସେ ନିଜେ ଏହି ସାଗରଟିକୁ ଖୋଳାଇ ଥିବାରୁ ତାଙ୍କ ନାମରେ ଉକ୍ତ ସାଗରଟିକୁ ନାମିତ କରାଯାଇଥିଲା । ୧୮୬୬ ମସିହା ନଅଙ୍କ ଦୁର୍ଭିକ୍ଷକଥା ଆଜି ବି ଓଡିଶା ଇତିହାସରେ ଏକ ଅଭିଷପ୍ତ ସମୟ ବୋଲି ଲିପିବଦ୍ଧ ହୋଇ ରହିଛି ସେହି ଅକାଳ ମରୁଡି କଥା । ଲୋକେ ଖାଇବାକୁ ନପାଇ ପିଇବାକୁ ପାଣିନପାଇ କେମିତି ଛଟପଟ ହୋଇ ପୋକମାଛି ଭଳି ମରିଥିଲେ ଆଜି ବି ସେ କଥା ଭାବିଲେ ଲୋମ ଟାଙ୍କୁରି ଉଠେ । ଏହିଭଳି ପରିସ୍ଥିତିରେ ଯୋଜନା ପ୍ରସ୍ତୁତ ହୋଇଥିଲା ମ.ରାମପୁରରେ ଏକ ବିଶାଳ ସାଗରଟିଏ ନିର୍ମାଣ କରିବା ପାଇଁ ସ୍ୱର୍ଗତ ରାଜା ହରିହର ସିଂହଦେଓଙ୍କ ମନରେ । ନଅଙ୍କ ଦୁର୍ଭି କ୍ଷର ପରିଣାମ ସ୍ୱରୂପ ୧୦୦ ଏକର ପରିମାଣିତ ଜମିରେ ଖୋଳା ଯାଇଥିଲା ଉକ୍ତ ସାଗରଟିକୁ । ଯାହା ବିଗତ ଶତାବ୍ଦିରେ ଉକ୍ତ ସାଗରଟି ଗୋଟାଏ କ୍ଷୁଦ୍ର ନାଳ ସଦୃଶ ବର୍ତମାନର କଲାଖୁଂଟା ଅଂଚଳରୁ ପ୍ରବାହିତ ହୋଇ ତଳିସାଗର, ପାଇକବାହାଲ ଏବଂ କୁସୁମଦେଇ ପାହାଡତଳେ ତଳେ ଯାଇ ଉତେଇ ଅବବାହିକାରେ ସଂଲଗ୍ନ ହେଉଥିଲା । ଉକ୍ତ ଛୋଟିଆ ନାଳକୁ ଶହ ଶହ ସଂଖ୍ୟାରେ ଶ୍ରମିକ ମାନଙ୍କର ଅପ୍ରାଣ ପ୍ରଚେଷ୍ଟା ଫଳରେ ଏକ ବିରାଟ ସାଗରରେ ପରିଣତ କରାଯାଇଥିଲା । ଏହା ନିଶ୍ଚିତ ଭାବରେ ଅନେକ ବର୍ଷର ପରିଶ୍ରମର ଫଳ ସ୍ୱରୂପ ଭାବେ ଆଜିବି ପରିଲକ୍ଷିତ ହୁଏ ।
ସ୍ୱାଧୀନତା ପରେ ୧୯୫୧ ମସିହାଠାରୁ ଉକ୍ତ ସାଗର ଟି ସରକାରଙ୍କ ହସ୍ତଗତ ହେଲାପରେ ବିଭିନ୍ନ ସମୟରେ ସାଗରର ଉନ୍ନତିକରଣ ପାଇଁ କାର୍ଯ୍ୟମାନ ହୋଇଥିଲେ ସୁଦ୍ଧା ଆଶାନୁରୂପ ଉଦ୍ଧାର କାଯ୍ୟ ହୋଇପାରିନଥିବା ସାଗରଟିକୁ ଦେଖିଲେ ସ୍ପଷ୍ଟ ଅନୁମେୟ । ଉକ୍ତ ସାଗର ଭରସାରେ ମ.ରାମପୁର ସହରର ପାଇକପଡା, ଶୁଣ୍ଢିପଡା, ତଳସାଗରପଡା, ଗୌଡପଡା, ବସ୍ତିପଡା, ଓ ଜଗନ୍ନାଥମନ୍ଦିର ବାସିନ୍ଦାମାନେ ସିଧାସଳଖ ନିର୍ଭରଶୀଳ ଥିବାବେଳେ ପଂଚାୟତକୁ ମାଛଚାଷ ବାବଦକୁ ବର୍ଷକୁ ପ୍ରାୟ ତିନି ଲକ୍ଷଟଙ୍କାର ରାଜସ୍ୱ ଆସୁଛି ।୧୯୯୩-୯୪ମସିହା ବେଳକୁ ଏହି ସାଗରର ପାଣି କଟା ଯାଇ ପଙ୍କୋଦ୍ଧାର ସହିତ ମାଟି କାମ କରାଯାଇଥିଲା । ପରେ ପରେ ବିଭିନ୍ନ ସମୟରେ ପଂଚାୟତ ତରଫରୁ ଗାଧୁଆତୁଠ ନିର୍ମାଣ କରାଯାଇଥିବାବେଳେ ପଂଚାୟତ ତରଫରୁ ଗତ ତିନିବର୍ଷ ଭିତରେ ୬ଲକ୍ଷ ଟଙ୍କା ବିନିମୟରେ ତିନୋଟି ଗାଧୁଅତୁଠ କରାଯାଇଛି । ପଟୁମାଟି ଓ ସହରର ଗଳିକନ୍ଦିର ନିଷ୍କାସିତ ଆବର୍ଜନାରେ ପୋତି ହୋଇ ପଡୁଥିବା ଉକ୍ତ ଐତିହ୍ୟ ସମ୍ପନ୍ନ ହରିହର ସାଗରର ପୁନଃରୁଦ୍ଧାର ପାଇଁ ସରକାରଦୃଷ୍ଟି ଦେବା ସହିତ ଏହି ସାଗରର ସୌନ୍ଦର୍ଯ୍ୟୀକରଣ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି ।