ରାୟଗଡ ଜିଲ୍ଳାରେ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମକୁ ଜିଲ୍ଳାପାଳ କଲେ ଶୁଭାରମ୍ଭ

୯୬୨୬୯ଜଣ ଶିଶୁଙ୍କୁ ଦିଆଗଲା ପୋଲିଓ ବୁନ୍ଦା

ରାୟଗଡ, (ଶିବ ନାରାୟଣ ଗୈାଡ): ସାରା ଦେଶରେ ଜାନୁୟାରୀ ୩୧ ତାରିଖ ରବିବାର ଦିନ ଜନ୍ମରୁ ୫ବର୍ଷର ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯାଉଥିବା ବେଳେ ରାୟଗଡ଼ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରାୟଗଡ଼ ଜିଲ୍ଳାରେ ଚଳିତ ବର୍ଷ ୧ଲକ୍ଷ ୧୭ହଜାର ୬୧୫ ଜଣ ଜନ୍ମରୁ ୫ବର୍ଷ ମଧ୍ୟରେ ରହିଥିବା ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଦିଆଯିବାର କାର୍ଯ୍ୟକ୍ରମ ରହିଥିବା ବେଳେ ପ୍ରଥମ ଦିନରେ ୯୬୨୬୯ଜଣ ଶିଶୁଙ୍କୁ ପ୍ରଥମ ଦିନରେ ପୋଲିଓ ବୁନ୍ଦା ଦିଆଯାଇଥିଲା । ଏ ନେଇ ଜିଲ୍ଳାରେ ୧୦୩୨ଟି ପୋଲିଓ ବୁଥ୍ କରାଯାଇଛି ।

ସେହିପରି ବସଷ୍ଟା୍‌ଣ୍ଡ, ରେଳବାଇ ଷ୍ଟେସନ ଇତ୍ୟାଦି ସ୍ଥାନରେ ବାହାରୁ ଆସୁଥିବା ଶିଶୁମାନଙ୍କୁ ମଧ୍ୟ ୨୩ଟି ଟ୍ରାନଜିଟ୍ ଟିମ୍ ଜରିଆରେ ପୋଲିଓ ବୁନ୍ଦା ଦେବାର ବ୍ୟବସ୍ଥା କରାଯାଇଥିବା ବେଳେ ୩୪ଟି ମୋବାଇଲ ଟିମ୍ ମଧ୍ୟ ପୋଲିଓ ବୁନ୍ଦା ଦେବା କାର୍ଯ୍ୟକ୍ରମରେ ନିୟୋଜିତ ହୋଇଥିବା ସୂଚନା ମିଳିଛି । ସେହିପରି ଏହି ପୋଲିଓ ବୁନ୍ଦା ଦେବା କାର୍ଯ୍ୟକ୍ରମରେ ଆଶା, ଏଏନଏମ୍‌, ଜିଏନଏମ୍ ଆଦି ସ୍ୱାସ୍ଥ୍ୟକର୍ମୀ ଓ ଅଙ୍ଗନବାଡି କର୍ମୀ ସହ ମୋଟ ୨୦୬୪ଜଣ ନିୟୋଜିତ ହୋଇଛନ୍ତି । ଜାନ୍ରୁୟାରୀ ୩୧ ତାରିଖ ଠାରୁ ଆସନ୍ତା ଫେବୃଆରୀ ୨ତାରିଖ ପର୍ଯ୍ୟନ୍ତ ୩ଦିନ ଧରି ଏହି କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ପ୍ରଥମ ଦିନରେ ଆଜି ବୁଥ୍‌ରେ ଓ ଆସନ୍ତା ଦୁଇଟି ଦିନରେ କର୍ମଚାରୀମାନେ ଘର ଘର ବୁଲି ପୋଲିଓ ବୁନ୍ଦା ଦେବେ ବୋଲି ଜଣାପଡିଛି । ଚଳିତ ବର୍ଷ ଗୋଟିଏ ଥର ହିଁ ପଲସ୍ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମ ରଖାଯାଇଛି ।

ରାୟଗଡ଼ ଜିଲ୍ଳା ମୁଖ୍ୟ ଚିକିିତ୍ସାଳୟରେ ରାୟଗଡ଼ ଜିଲ୍ଳାପାଳ ସରୋଜ କୁମାର ମିଶ୍ର ଜିଲ୍ଳାସ୍ତରୀୟ ପୋଲିଓ ବୁନ୍ଦା କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶିଶୁମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଥିଲେ । ଏହି କାର୍ଯ୍ୟକ୍ରମରେ ସିଡିଏମ୍‌ଓ ଡାକ୍ତର ଆର୍ତବନ୍ଧୁ ନାୟକ, ଡିପିଏମ୍ ରାଜେଶ ପଟ୍ଟନାୟକଙ୍କ ସମତେ ଅନ୍ୟ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ଓ କର୍ମଚାରୀମାନେ ଉପସ୍ଥିତ ରହିଥିଲେ । ପୋଲିଓ ଭଳି ମାରାତ୍ମକ ରୋଗରୁ ଶିଶୁମାନଙ୍କୁ ରକ୍ଷା କରିବାରେ ଏହି ପୋଲିଓ ବୁନ୍ଦା ରୋଗ ପ୍ରତିଷେଧକ ଭାବେ କାମ କରିଥାଏ ବୋଲି ଜିଲ୍ଳାପାଳ ଶ୍ରୀ ମିଶ୍ର ପ୍ରକାଶ କରିଥିଲେ । ତେବେ ରାୟଗଡ ଜିଲ୍ଳାରେ ପୋଲିଓ ଜନୀତ ରୋଗୀଙ୍କ ସଂଖ୍ୟା ଶୂନ ରହିଥିବା ନେଇ ଜିଲ୍ଳା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.