‘ସ୍କୁଲକୁ କେବଳ ଅର୍ଥ ନୁହେଁ, ଜ୍ଞାନ ଓ କଳା ପ୍ରଦାନ କରିବାର ଆବଶ୍ୟକତା ରହିଛି’

ମୋ ସ୍କୁଲ ଅଭିଯାନ କଳାହାଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ବିତରଣ ଉତ୍ସବ

ଭବାନୀପାଟଣା: ପୂର୍ବତନ ଛାତ୍ରଛାତ୍ରୀମାନେ ମୋ ସ୍କୁଲ ଅଭିଯାନରେ କେବଳ ଆର୍ଥିକ ଅନୁଦାନ ନୁହେଁ, ପିଲାଙ୍କୁ ସ୍ବଅର୍ଜିତ ଜ୍ଞାନ ଓ କଳା ପ୍ରଦାନ କଲେ ଶିକ୍ଷା ବ୍ୟବସ୍ଥାର ସାମଗ୍ରିକ ବିକାଶ ହୋଇପାରିବ ବୋଲି ମୋ ସ୍କୁଲ ଅଭିଯାନ କଳାହାଣ୍ଡି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ବିତରଣ ଉତ୍ସବରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ସ୍ଥାନୀୟ ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ ଉତ୍ସବରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ଶ୍ରୀଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୋ ସ୍କୁଲ୍ ଅଭିଯାନ, କଳାହାଣ୍ଡିର ଆବାହକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ସୁଶାନ୍ତ କୁମାର ଚୋପଦାର ଅଧ୍ୟକ୍ଷତା କରିଥିଲେ।


ସମ୍ମାନିତ ଅତିଥି ଭାବେ ମୋ ସ୍କୁଲ୍ ଅଭିଯାନ କଳାହାଣ୍ଡି ଜିଲ୍ଲା ସଦସ୍ୟ ଡ. ଅଜୟ କୁମାର ମିଶ୍ର ଓ ପ୍ରଭାସ ଚନ୍ଦ୍ର ମିଶ୍ର, ବ୍ରଜମୋହନ ସରକାରୀ ଉଚ୍ଚ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ସୁଶ୍ରୀ ସବିତା ପଟ୍ଟନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପୂର୍ବତନ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ବରିଷ୍ଠ ବିଜ୍ଞାନ ଶିକ୍ଷକ ସନ୍ତୋଷ କୁମାର କର ପ୍ରଶଂସା ପତ୍ର ବିତରଣରେ ସହଯୋଗ କରିଥିଲେ। ମୋ ସ୍କୁଲ୍ ଅଭିଯାନର କଳାହାଣ୍ଡି ଜିଲ୍ଲା ସଂଯୋଜକ ସୁକାନ୍ତ ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ମୋ ସ୍କୁଲ୍ ଅଭିଯାନ କେମ୍ପେନିଂ ଟିମ୍ ସଦସ୍ୟ ସୁଧୀର କୁମାର ଧଙ୍ଗଡ଼ାମାଝୀ ମଂଚ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ବିଇଓ ତଥା ଶିକ୍ଷା ବିଭାଗର ଅଧିକାରୀ ଓ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.