ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ପରଲୋକ

କୋରାପୁଟ: କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଡ଼ୁମାଗୁଡା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକଙ୍କ ଦେହାନ୍ତ ହୋଇଯାଇଛି। ସ୍ବର୍ଗତ ପଟ୍ଟନାୟକ ଗତ କିଛି ଦିନ ହେଲା ଗଭୀର ଭାବେ ଅସୁସ୍ଥ ଥିଲେ। କୋରାପୁଟ ସ୍ଥିତ ବିକାଶ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଡାକ୍ତର ତାଙ୍କୁ ଆଜି ମୃତ ଘୋଷଣା କରିଅଛନ୍ତି। ଜଣେ କର୍ମଠ ଓ ଦାୟିତ୍ୱବାନ ପଞ୍ଚାୟତ ଅଧିକାରୀ ଭାବେ ବ୍ଲକରେ ତାଙ୍କର ସୁନାମ ଥିଲା। ଲୋକଙ୍କ ସମସ୍ୟାକୁ ସରକାରୀ ସ୍ତରରେ ଯଥା ସମ୍ଭବ ସମାଧାନ କରୁଥିଲେ। ପଞ୍ଚାୟତ ଅଧିକାରୀ ଭାବେ ସେ କୋରାପୁଟ ବ୍ଲକର ବିଭିନ୍ନ ପଞ୍ଚାୟତରେ କାର୍ଯ୍ୟ କରି ଲୋକଙ୍କ ବେଶ୍ ବିଶ୍ୱାସଭାଜନ ହୋଇ ପାରିଅଛନ୍ତି। ତାଙ୍କ ବିୟୋଗରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ମୃତ୍ୟୁ ଶର୍ଯ୍ୟା ନିକଟରେ ତାଙ୍କ ମାଁ, ପତ୍ନୀ, ପୁତ୍ର, ଝିଅ ଏବଂ ଚାରି ଭାଈ ସାଙ୍ଗକୁ ପରିବାରର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ତାଙ୍କର ଏହି ହଠାତ ଦେହାନ୍ତ ଖବର ଶୁଣି ଡ଼ୁମାଗୁଡା ଏବଂ ଜୟପୁର ସ୍ଥିତ ଉମୁରୀ ପଞ୍ଚାୟତର ଅନେକ ଲୋକ ଉପସ୍ଥିତ ରହି ସ୍ବର୍ଗତ ପଟ୍ଟନାୟକଙ୍କ ଆତ୍ମାର ଅମରତ୍ନ କାମନା କରିଥିଲେ। ଗତ କିଛି ଦିନ ତଳେ ସ୍ୱାସ୍ଥ୍ୟଗତ କାରଣରୁ ଶ୍ରୀଯୁକ୍ତ ପଟ୍ଟନାୟକ ଇଚ୍ଛାଧୀନ ଅବସର ନେଇଥିଲେ। ସ୍ବର୍ଗତ ପ୍ରତାପ ପଟ୍ଟନାୟକ ହେଉଛନ୍ତି କୋରାପୁଟ ସହରର ଗାନ୍ଧୀନଗରର ବାସିନ୍ଦା ପୂର୍ବତନ ବିଶିଷ୍ଟ ପ୍ରଧାନ ଶିକ୍ଷକ ତଥା ଭୁଦାନକର୍ମୀ ସ୍ବର୍ଗତ ଶ୍ରୀଯୁକ୍ତ ଭାସ୍କର ପଟ୍ଟନାୟକଙ୍କ ମଝିଆ ସୁପୁତ୍ର ଅଟନ୍ତି। ଏଭଳି ଏକ କର୍ମଠ ଏବଂ ଦାୟିତ୍ୱ ପରାୟଣ କର୍ମଚାରୀଙ୍କୁ ହରେଇ ବ୍ଲକର ସରପଞ୍ଚ, ପି.ଇ.ଓ. ଏବଂ କାର୍ଯ୍ୟରତ ଥିବା ଅଂଚଳର ଲୋକମାନେ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ ଅଛନ୍ତି। କୋରାପୁଟ ସ୍ବର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.