ଘୋଟିଆ ମଣ୍ଡିର ଛାତ ଭାଙ୍ଗି ନଷ୍ଟ ହେଲାଣି, ପ୍ରଶାସନର ନିଘାନାହିଁ

କଳାହାଣ୍ଡି, ୨୮|୮ (ସୁଶାନ୍ତ କୁମାର ଦଳେଇ): ଜୁନାଗଡ଼ ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ତରଫରୁ ଗୋଲାମୁଣ୍ଡା ବ୍ଲକ ଘୋଟିଆ ଠାରେ ମଣ୍ଡି ଏବଂ ଗୋଦାମ ଗୃହ ନିର୍ମାଣ କରାଯାଇଛି । ଏହି ମଣ୍ଡି ଉପରେ ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ବୃନ୍ଦାବାହାଲ, ଗଣ୍ଡାମେର, ଖମାରହଲଦୀ ଗ୍ରାମପଞ୍ଚାୟତର ହଜାର ହଜାର ଚାଷୀ ନିର୍ଭର କରି ସିଧାସଳଖ ଖରିପ ଋତୁରେ ଧାନ ବିକ୍ରି କରିଥାନ୍ତି । ମଣ୍ଡି ନିର୍ମାଣ ହୋଇ ଦୀର୍ଘ ଦିନ ବିତିଯାଇଛି ଏବଂ ମଣ୍ଡି ପରିସରରେ ଦିନକୁ ଦିନ ନୂତନ କୋଠା ମାନ ଗଢି ଉଠୁଛି ସତ ହେଲେ ପୂର୍ବରୁ ନିର୍ମାଣ ହୋଇଥିବା ଗୋଦାମ ଗୃହର ଛାତ ସବୁ ଭାଙ୍ଗି ନଷ୍ଟ ହୋଇ ମୁକୁଳା ହୋଇ ପଡ଼ିଲାଣି । ଯାହାରି ଫଳରେ ଅନେକାଂଶ ଜାଗାରେ ଛାତ ମୁକୁଳା ହୋଇ ପଡିଛି ଓ ବର୍ଷା ଦିନରେ ପାଣି ସବୁ ସିଧାସଳଖ ଗୋଦାମ ଭିତରେ ପଡୁଛି । ପାଣି ପଡି ଗୋଦାମ ଗୃହ ମଧ୍ୟ ନଷ୍ଟ ହେବାକୁ ବସିଲାଣି । ଏହି ମଣ୍ଡିକୁ ଦେଖାରେଖା କରିବା ପାଇଁ ମଧ୍ୟ କୌଣସି କର୍ମଚାରୀଙ୍କୁ ନିୟୋଜିତ କରାଯାଇନାହିଁ ଯାହାରି ଫଳରେ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଳିଟିଛି । କିଛି ଲୋକେ ବ୍ୟକ୍ତିଗତ ଘର ପରି ଅନେକ ଜିନିଷ ମଧ୍ୟ ରଖୁଛନ୍ତି । ଧର୍ମଗଡ଼ ଗୋଲାମୁଣ୍ଡାକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା କଡରେ ଏହି ମଣ୍ଡିଟି ଅବସ୍ଥିତ । ଦୈନନ୍ଦିନ ଏହି ରାସ୍ତାରେ ଉଚ୍ଚ ପଦାଧିକାରୀ ମାନେ ଯିବାଆସିବା କରୁଛନ୍ତି ହେଲେ କାହାରି ମଧ୍ୟ ଏହି ନଜର ପଡୁନି । ଯେକୌଣସି ଲୋକ ମଧ୍ୟ ରାସ୍ତାରେ ଗଲେ ମଣ୍ଡିର ଛାତ ଭାଙ୍ଗି ଯିବାର ଦୃଶ୍ୟ ଦେଖାଯାଉଛି ହେଲେ ସରକାରୀ ବାବୁ ଙ୍କୁ ଦେଖାଯାଉନି କାହିଁକି ? ଏହି ମଣ୍ଡିରେ ସାଧାରଣତଃ ରାଜନୈତିକ ସଭା ସମିତି ମଧ୍ୟ ଅନେକ ଥର ହେଉଛି ହେଲେ ଏହି ମଣ୍ଡି ପ୍ରତି କାହା ନଜର ହି ନାହିଁ । ଜୁନାଗଡ଼ ନିୟନ୍ତ୍ରିତ ବଜାର ତରଫରୁ ପ୍ରତିବର୍ଷ ଭତ୍ତିିଭୂମିର ବିକାଶ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି ହେଲେ କର୍ମଚାରୀଙ୍କ ଦାୟିତ୍ୱହୀନତା ଯୋଗୁଁ ଛାତଟି ମୁକୁଳା ହୋଇ ପଡିଛି । ଏଥିପ୍ରତି ଆର୍‌ଏମ୍‌ସି ଓ ପ୍ରଶାସନିକ ଅଧିକାରୀ ମାନେ ତୁରନ୍ତ ଦୃଷ୍ଟି ଦେଇ ମରାମତି କରିବା ପାଇଁ ଦାବୀ ହେଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.