ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ଦାବୀରେ ଆଜିଠୁ ଗଣ ଆନ୍ଦୋଳନ

● ଅକ୍ଟୋବର ମାସ ସାରା ହେବ ଗଣଧାରଣା

● ପ୍ରଶାସନ ନଶୁଣିଲେ ଦୋକାନ, ବଜାର ବନ୍ଦ ଓ ବିଧାନସଭା ଘେରାଉ

କଳାହାଣ୍ଡି, (ହେମନ୍ତ ସାହୁ): ଦୀର୍ଘ ଛବିଶ ବର୍ଷରୁ ଉର୍ଦ୍ଧ୍ୱ ସମୟଧରି ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ମାନ୍ୟତା ପାଇଁ ବିଭିନ୍ନ ସମୟରେ ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବୀ ହେଇଆସୁଛି । କିନ୍ତୁ ସରକାରଙ୍କ ଉଦାସୀନତା ତଥା ସ୍ଥାନୀୟ ନେତୃତ୍ୱର ଅଭାବ ଯୋଗୁଁ ଏହି ନାର୍ଯ୍ୟଦାବୀରୁ ବଂଚିତ ହେଇଛନ୍ତି ଅଂଚଳବାସୀ । ତେବେ ମ.ରାମପୁରକୁ ରାଜସ୍ୱ ଉପଖଣ୍ଡ ଦାବୀ ନେଇ ଆଜିଠାରୁ ଆରମ୍ଭ ହେଇଛି ଗଣ ଆନ୍ଦୋଳନ । ଏଥିସହିତ ଆଜି ଅନ୍ଦୋଳନ ସମୟରେ ଏକମାସ କାଳ ହେବାକୁ ଥିବା ଏହି ଗଣଧାରଣାରେ ଯଦି କିଛି ସୁଫଳ ମିଳିବ ନାହିଁ ତେବେ ନଭେମ୍ବର ପ୍ରଥମ ସପ୍ତାହ ବେଳକୁ ମ.ରାମପୁର ଅଂଚଳର ସମସ୍ତ ଦୋକାନ, ବଜାର ସମେତ ସବୁକୁ ବନ୍ଦ କରିଦିଆଯିବ ତାପରେ ବି ଯଦି କେହି ଶୁଣିବେନି ତେବେ ଆଗାମୀ ଦିନରେ ବିଧାନସଭା ଘେରାଉ ମଧ୍ୟ କରାଯିବ ବୋଲି ଆନ୍ଦୋଳନରେ ଯୋଗଦେଇ ଆନ୍ଦୋଳନକାରୀ ମାନେ ମତବ୍ୟକ୍ତ କରିଛନ୍ତି । ଆଜି ସଂଗ୍ରାମ ମଂଚ ତରଫରୁ ଏକ ବିରାଟ ଶୋଭାଯାତ୍ରା ମ.ରାମପୁରର ଇଷ୍ଟଦେବୀ ମାଁ ଡ଼ୋକରକୀଙ୍କ ପାଖରେ ପୂଜାର୍ଚ୍ଚନା ପରେ ମାନ୍ୟଗଣ୍ୟବ୍ୟକ୍ତିଙ୍କ କରକମଳରେ ମଶାଲ ଶୋଭାଯାତ୍ରା ଜେନାବୁଢା ମନ୍ଦିର ପର୍ଯ୍ୟନ୍ତ ଯାଇଥିଲା ଏବଂ ପୁନର୍ବାର ସେଠାରୁ ଫେରି ମ.ରାମପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଥିଲା । ପ୍ରାରମ୍ଭରେ ପୂର୍ବତନ ଶିକ୍ଷକ ତଥା ବରିଷ୍ଠ ନାଗରିକ ମଂଚର ସଭାପତି ବୃନ୍ଦାବନ ପ୍ରହରାଜଙ୍କ କରକମଳରେ ଗାନ୍ଧିଜୀଙ୍କ ପ୍ରତିକୃତିରେ ପୂଜାର୍ଚ୍ଚନା କରାଯାଇ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା । ସଂଗ୍ରାମ ମଂଚର ସଭାପତି ପ୍ରକାଶଚନ୍ଦ୍ର ମାଝୀ ଗଣଧାରଣାର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ସଂପର୍କରେ ସୂଚନା ପ୍ରଦାନ କରିବା ପରେ ଆଦିବାସୀ ଶକ୍ରି ମାଝୀ, ହିମାଦ୍ରି ସ୍ୱାଇଁ, ରୁଦ୍ର ପ୍ରତାପ ସିଂ, ସତ୍ୟଜିତ ଚାଟାର୍ଜୀ, ପଦ୍ମଲୋଚନ ମିଶ୍ର, ଗଂଗାଧର ପ୍ରହରାଜ, ଗୋକୁଳାନନ୍ଦ ବିଶ୍ୱାଳ, ଶୁକଦେବ ସାହୁ, ଚମରା ବଗର୍ତ୍ତୀ, ହଳଧର ରଣା, ସ୍ବରାଜ ସେଠ୍‌, ହେମ ସାଗର ସାହୁ, ବିଭୂତି ଭୂଷଣ ମହାଖୁଡ଼, କର୍ଲାମୁଣ୍ଡା ପଂଚାୟତ ସମିତି ଅଧ୍ୟକ୍ଷ ଅରବିନ୍ଦ ଚୌଧୁରୀ, ଧୋବା ପନ୍ଦର, ଭଗବାନ ହାତୀ, ଲିଙ୍ଗରାଜ ପାତ୍ର, ଉଗ୍ରେ ବାରିକ୍‌, ବିଶ୍ୱଜିତ ଚାଟାର୍ଜୀ, ଲଳିତା ପାତ୍ର ପ୍ରମୁଖ ଉଦବୋଧନ ଦେଇଥିଲେ । ମଂଚ ପରିଚାଳନା କରିଥିଲେ ପଦ୍ମନ ପାତ୍ର । ଆଜିର ଏହି ଶୋଭାଯାତ୍ରା ଏବଂ ଗଣ ଧାରଣାରେ ବିଭିନ୍ନ ବର୍ଗ, ବିଭିନ୍ନ ସମାଜ, ଅନୁଷ୍ଠାନ, ବ୍ୟକ୍ତିବିଶେଷ ଯୋଗଦେଇଥିଲେ । ତେବେ ଏହି ଗଣଧାରଣା ଚଳିତ ମାସ ସାରା ଚାଲୁରହିବ ବୋଲି ସଂଗ୍ରାମ ମଂଚ ତରଫରୁ ସୂଚନା ଦିଆଯାଇଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.