‘ଫକୀରମୋହନଙ୍କ ଶିଶୁ ସାହିତ୍ୟ’ ଶୀର୍ଷକ ଆଲୋଚନାଚକ୍ର

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଫକୀରମୋହନ ଫାଉଣ୍ଡେସନ ପକ୍ଷରୁ ‘ଫକୀରମୋହନଙ୍କ ଶିଶୁ ସାହିତ୍ୟ’ ପ୍ରସଙ୍ଗରେ ଏକ ନଭସଞ୍ଚାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପ୍ରଥମେ ଫାଉଣ୍ଡେସନର ମହାସଚିବ ଡ. ରବୀନ୍ଦ୍ର କୁମାର ଦାସ ସୂଚନା ଦେଇଥିଲେ ଏବଂ ମହାନିର୍ଦ୍ଦେଶିକା ଡ. ହିରଣ୍ମୟୀ ମିଶ୍ର ଅତିଥିମାନଙ୍କୁ ଆହ୍ବାନ କରିବା ସହିତ ଫକୀରମୋହନ ବକ୍ତୃତାମାଳାର ଆଭିମୁଖ୍ୟ ବିଷୟରେ ସୂଚନା ଦେଇଥିଲେ। କଣ୍ଠଶିଳ୍ପୀ ଅନିନ୍ଦିତା ଦାସ ଫକୀରମୋହନ ସେନାପତିଙ୍କ ରଚିତ ସଙ୍ଗୀତ ଗାନ କରିଥିଲେ। ଫାଉଣ୍ଡେସନର ମ୍ୟାନେଜିଂ ଟ୍ରଷ୍ଟି ଡ. ମନିକା ଦାସ ଫାଉଣ୍ଡେସନ ସହିତ ଯୁବପିଢିଙ୍କୁ କିଭଳି ସଂଯୁକ୍ତ କରାଯାଇପାରିବ ସେ ସମ୍ପର୍କରେ ସୂଚନା ଦେବା ସହିତ ସେଞ୍ଚୁରିଆନ୍ ବିଶ୍ବବିଦ୍ୟାଳୟରେ ଫକୀରମୋହନ ଷ୍ଟଡି ସେଣ୍ଟର ଖୋଲିବା ପାଇଁ ଉଦଘାଟକ ମହାଶୟଙ୍କୁ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଉଦଘାଟକ ଭାବରେ ଯୋଗ ଦେଇଥିଲେ ପ୍ରଫେସର ଦେବୀପ୍ରସନ୍ନ ପଟ୍ଟନାୟକ। ସେ ତାଙ୍କ ଅଭିଭାଷଣରେ ଫକୀରମୋହନଙ୍କ ଶିଶୁ ସାହିତ୍ୟ ତଥା କଥାସାହିତ୍ୟ ସମ୍ପର୍କରେ ଆଲୋକପାତ କରିବା ସହିତ ଫକୀରମୋହନ କିପରି ଲୋକତୁଣ୍ଡ ଏବଂ ଦାଣ୍ଡର ଭାଷାକୁ ସାହିତ୍ୟିକ ମର୍ଯ୍ୟାଦା ପ୍ରଦାନ କରିଥିଲେ ତଥା ସାମ୍ପ୍ରତିକ ଓଡ଼ିଆ ଭାଷାସାହିତ୍ୟର ଅଭିବୃଦ୍ଧି ପାଇଁ ବିଭିନ୍ନ ଗ୍ରନ୍ଥ କିଭଳି ପ୍ରସ୍ତୁତ କରି ଉତ୍ତର ପିଢ଼ିଙ୍କୁ ପ୍ରଭାବିତ କରିହେବ, ସେ ସମ୍ବନ୍ଧରେ ବିଶଦ ଚର୍ଚ୍ଚା କରିଥିଲେ। ମୁଖ୍ୟବକ୍ତା ଭାବରେ ଯୋଗ ଦେଇଥିଲେ ଫକୀରମୋହନ ସାହିତ୍ୟ ପରିଷଦ, ବାଲେଶ୍ଵରର ସଭାପତି ଡ. ଲକ୍ଷ୍ମୀକାନ୍ତ ତ୍ରିପାଠୀ। ସେ ତାଙ୍କ ବକ୍ତବ୍ୟରେ ଫକୀରମୋହନ କିଭଳି ନଣ୍ଡା ଗୋସାଇଁ ପ୍ରମୁଖଙ୍କ ନିକଟରେ ବିଦ୍ୟାଧ୍ୟୟନ କରିଥିଲେ ଏବଂ ଶିଶୁମାନଙ୍କ ପାଇଁ ବିବିଧ କିସମର ସାହିତ୍ୟ ରଚନା କରିଥିଲେ ତାହା ସଦୃଷ୍ଟାନ୍ତ ଗବେଷକୀୟ ଦୃଷ୍ଟିଭଙ୍ଗୀ ନେଇ ଆଲୋଚନା କରିଥିଲେ। ଉତ୍ତର ଓଡ଼ିଶା ବିଶ୍ଵବିଦ୍ୟାଳୟ କେନ୍ଦୁଝର କ୍ୟାମ୍ପସର ଆସିଷ୍ଟାଣ୍ଟ ପ୍ରଫେସର ଡ. ଶିଶିର ବେହେରା କାର୍ଯ୍ୟକ୍ରମ ପରିଚାଳନା କରି ଶେଷରେ ତାଙ୍କର ସମାଲୋଚକୀୟ ଅଭିମତ ପ୍ରଦାନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ବିଶ୍ଵଭାରତୀର ଓଡ଼ିଆ ସ୍ନାତକୋତ୍ତର ଶ୍ରେଣୀର ଦ୍ବିତୀୟ ବର୍ଷର ଛାତ୍ରୀ ନିରୁପମା ପଧାନ। ଏହି ସମ୍ପାନରେ ଡ. କ୍ଷୀରୋଦ କୁମାର ବେହେରା, ଅଧ୍ୟାପକ ବିଶ୍ବନାଥ ସାହୁ ଏବଂ ବହୁ ସଂଖ୍ଯକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ପରିଶେଷରେ ଡ. ମନିକା ଦାସ ସଭା ସମାପ୍ତି ଘୋଷଣା କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.