ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ଗୀତାମୃତ ପଠନ ଶ୍ରବଣ କାର୍ଯ୍ୟକ୍ରମ ଗୁରୁବାର (୨୧ ଅପ୍ରେଲ) ସନ୍ଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ, ପରିବାରର ବରିଷ୍ଠ ଉପଦେଷ୍ଟା ରତିନାରାୟଣ ରାଉତଙ୍କର ପୌରହିତ୍ୟରେ ଏହା ଆଭାସୀ ମାଧ୍ୟମରେ ସଂପନ୍ନ ହୋଇଛି ।ସମ୍ପାଦିକା ପ୍ରଣତି ମହାପାତ୍ର ସମସ୍ତଙ୍କୁ ସୁସ୍ଵାଗତ କରି କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ, ଆଲୋଚକ ପଣ୍ଡିତ ପ୍ରଦୀପ୍ତ କୁମାର ମିଶ୍ର ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ସାମାନ୍ୟ ଅଶାନ୍ତି ଶରୀରକୁ ଅଚଳ କରିଦିଏ । ବିଫଳତା ହିଁ ସଫଳତାକୁ ଟାଣି ଆଣେ । ଜୀବନ କେବଳ ବର୍ଷ, ମାସ, ଦିନ, ଦଣ୍ଡରେ ଗଣାହୁଏ ନାହିଁ । ଭଗବତ୍ ଚେତନାରେ ସ୍ବଛତା ଆସେ । କର୍ମ ହିଁ ଜୀବନ, କର୍ମ ହିଁ ଶ୍ରେଷ୍ଠ । ଧର୍ମ ଏକ ଚେତନା । ଧଳା ଲୁଗା, ଚନ୍ଦନ ଫୁଲ ଭିତରେ ଧର୍ମ ଆବଦ୍ଧ ନୁହେଁ ବୋଲି ପ୍ରବଚକ ମହାଶୟ କର୍ମଯୋଗର ଦଶଟି ଶ୍ଲୋକର ମହତ୍ ବ୍ୟାଖ୍ୟାରେ ବର୍ଣ୍ଣନା କରିଥିଲେ । ସମସ୍ତେ ମନ୍ତ୍ରମୁଗ୍ଧ ହୋଇ ଶ୍ରୀମଦ୍ ଭଗବଦ୍ ଗୀତାର ତୃତୀୟ ଅଧ୍ୟାୟ, କର୍ମଯୋଗର ପ୍ରଥମ ଶ୍ଲୋକରୁ ଦଶମ ଶ୍ଲୋକ ପର୍ଯ୍ୟନ୍ତ ଦଶଟି ଶ୍ଲୋକର ବ୍ୟାଖ୍ୟା ଶ୍ରବଣ କରି ପ୍ରୀତ ହୋଇଥିଲେ । ରଞ୍ଜନ କୁମାର ମହାନ୍ତି, ଡ଼. ପ୍ରିୟମ୍ବଦା ସାମଲ, ଗୀତାଞ୍ଜଳି ପୃଷ୍ଟି, ବନଲକ୍ଷ୍ମୀ ମହାନ୍ତି, ସ୍ନେହ ମିଶ୍ର ଦଶଟି ଶ୍ଲୋକ ପାଠ କରିବା ସହ ଅନ୍ଵୟ ମଧ୍ୟ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାର ସାରସ୍ଵତ ଗୀତାମୃତ ପ୍ରେମୀ ଯୋଗ ଦେଇଥିଲେ । ସଂଯୁକ୍ତା ରାଉତ ସାଂଖ୍ୟଯୋଗର ଦଶଟି ଶ୍ଲୋକର ଚୁମ୍ବକରେ ସାରତତ୍ତ୍ଵ ବର୍ଣ୍ଣନା କରିଥିଲେ । ଶେଷରେ ସଭାପତିଙ୍କ ଅନୁମୋଦନ କ୍ରମେ ରତିନାରାୟଣ ରାଉତ ଧନ୍ୟବାଦ ଓ ଶାନ୍ତିପାଠ ସହ କାର୍ଯ୍ୟକ୍ରମ ସାଙ୍ଗ କରିଥିଲେ ।