ନର୍ଲା ବ୍ଲକରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ସମ୍ମେଳନ କକ୍ଷଠାରେ ଆଜି (୨୫ ଅପ୍ରେଲ) ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋଭିଡ ପରଠୁଁ ଗତ ଦୁଇ ବର୍ଷ ଧରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ନର୍ଲାରେ ହୋଇପାରିନଥିଲା । କୋଭିଡ ପରେ ପରେ ଗତ ସୋମବାର ଜିଲ୍ଲାରେ ପ୍ରଥମ କରି ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଆଜି ସୋମବାର ନର୍ଲାରେ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରବଳ ଖରା ଓ ଝାଞ୍ଜି ପବନ ସତ୍ତ୍ୱେ ଲୋକେ ନିଜ ନିଜ ଅଭିଯୋଗ ନେଇ ନର୍ଲା ବ୍ଲକ୍ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ଆସିଥିବା ଦେଖିବାକୁ ମିଳିଥିଲା । ଜିଲ୍ଲାପାଳ ଡ଼ଃ. ଗାଭାଲି ପରାଗ ହର୍ଷଦ ନିଜେ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ମାନ ଶୁଣିବା ସହିତ ଅଭିଯୋଗ ପତ୍ର ସବୁ ଗ୍ରହଣ କରି ଏସବୁର ତୁରନ୍ତ ସମାଧାନ ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥିରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା, ବିଜୁ ପକ୍କାଘର, ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ବନ୍ୟାରେ ଚାଷୀଙ୍କ ପାଇଁ ଉଦ୍ଦିଷ୍ଟ ଉଠା ଜଳସେଚନ ପ୍ରକଳ୍ପର ମୋଟର ପମ୍ପ ଭାସିଯାଇଥିବା ସମସ୍ୟା, ଚାଷର କ୍ଷୟକ୍ଷତି ହୋଇଥିବା ବିଷୟ ସହ ବିଦ୍ୟୁତ୍ ସମସ୍ୟା ଉପରେ ବିଶେଷ ଅଭିଯୋଗ ସବୁ ଆସିଥିବା ଦେଖିବାକୁ ମିଳିଥିଲା । ଏଭଳି ବିଭିନ୍ନ ବିଷୟ ଉପରେ ୩୭୫ ଜଣ ଅଭିଯୋଗ କରିଥିବା ଅଭିଯୋଗକାରୀଙ୍କ ଗୁହାରୀ ଶୁଣିବା ସହ ବିଭାଗୀୟ ଅଧିକାରୀ ମାନଙ୍କ ସହ ବିଚାର ବିମର୍ଷ କରି କାର୍ଯ୍ୟ ତ୍ୱରାନ୍ୱୀତ ପାଇଁ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ।

କାର୍ଯ୍ୟକ୍ରମଟିକୁ ନର୍ଲା ବିଡିଓ ମାନସ ରଞ୍ଜନ ତ୍ରିପାଠୀ ପରିଚାଳନା କରିଥିବା ବେଳେ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କ୍ଷୀତିଶ ଚନ୍ଦ୍ର ନାଏକ ଓ ନର୍ଲା ବ୍ଲକ୍ ସେକ୍ସନ ଅଫିସର ଦିଗ ପଧାନ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ବ୍ଲକ୍ ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲାକୁ ନୂଆ ଭାବରେ ଆସିଥିବା ଡିଏସ୍ପି ସନ୍ଦୀପ କୁମାର ମାଝୀ, ଭବାନୀପାଟଣା ଉପ ଜିଲ୍ଲାପାଳ ପ୍ରକଳ୍ପ ନିର୍ଦ୍ଦେଶକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ସୌମେଶ ଉପାଧ୍ୟାୟ, ସିଡିଏମଓ, ଡିଏସ୍ଓ ପ୍ରମୂଖ ଉପସ୍ଥିତ ରହି ଜନସାଧାରଣଙ୍କ ଅଭିଯୋଗ ଶୁଣିଥିଲେ । ଗ୍ରାମ୍ୟ ଜଳ ଯୋଗାଣ ରେ ଅନିୟମିତତା ଉପରେ ବିଶେଷ ଅଭିଯୋଗ ମାନ ହୋଇଥିବା ଦେଖିବାକୁ ମିଳିଥିଲା । ବିଦ୍ୟୁତ ବିଭାଗ ଗୁଡିକର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଆସିଥିବା ବିଷୟ ଗୁଡିକର ତଥ୍ୟ ପ୍ରଦାନ କରିଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ନର୍ଲା ସିଡିପିଓ ନିବାସିନୀ ବିଶ୍ୱାଳ, ନର୍ଲା ବ୍ଲକ୍ ଶିକ୍ଷାଧିକାରୀ ତପିମଣି ଜାନୀ, ନର୍ଲା ବ୍ଲକ୍ କୃଷି ଅଧିକାରୀ ରଜତ ମିଶ୍ର, ନର୍ଲା ମେଡିକାଲ ଅଫିସର ସନତ କୁମାର ଶତପଥି, ବିପିଏମ୍ ସବୀର ପଧାନ, ଆରଡବ୍ଲୁଏସଏସ ବିଭାଗର କନିଷ୍ଠ ଯନ୍ତ୍ରୀ ସୁରେନ୍ଦ୍ର ସୁନାୀ, ଏମଆଇ ବିଭାଗ ନର୍ଲାର କନିଷ୍ଠ ଯନ୍ତ୍ରୀ ସୌମ୍ୟ ମାଝୀ, ଆର୍ଡି ବିଭାଗର ଅଧିକାରୀ ବୃନ୍ଦ, କ୍ଷୁଦ୍ର ଜଳସେଚନ ବିଭାଗର ଅଧିକାରୀ ବୃନ୍ଦ, ଅବକାରୀ ବିଭାଗର ଅଧିକାରୀ ମାନେ ଉପସ୍ଥିତ ରହି ଅଭିଯୋଗ ଗୁଡିକ ଉପରେ ଅବଗତ କରାଇଥିଲେ । ନର୍ଲା ବ୍ଲକରେ ଅନୁଷ୍ଠିତ ହେଉଥିବା ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଦୀର୍ଘ ଦୁଇ ବର୍ଷ ଧରି ବନ୍ଦ ହୋଇପଡିଥିଲା । ଏତେଦିନ ବ୍ୟବଧାନରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବାରୁ ଏତେ ସଂଖ୍ୟାରେ ଅଭିଯୋଗକାରୀ ଉପସ୍ଥିତ ରହିଥିବା ଜଣାପଡିଛି ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.