କାଉଡିଆଙ୍କ ସେବା ପାଇଁ ଆଠଗୋଟି ଅନୁଷ୍ଠାନକୁ ଭୋଳା ଶଙ୍କର ସେବା ସମ୍ମାନ-୨୦୨୨ ପ୍ରଦାନ

ଓଡ଼ିଆ ବାର୍ତ୍ତା/ କଟକ: ବାବା ଧବଳେଶ୍ଵର ସାରସ୍ବତ ପରିଷଦ ତରଫରୁ କାଉଡିଆଙ୍କ ସେବା ପାଇଁ ବିଭିନ୍ନ ଅନୁଷ୍ଠାନକୁ ସମ୍ମାନିତ କରା ଯାଇଥିବା ବେଳେ ଶିବ ମହିମାର ପ୍ରଚାର ପ୍ରସାର ପାଇଁ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି। କଟକ ସ୍ଥିତ ଧବଳେଶ୍ଵର ଘାଟ ଠାରେ ହଜାର ହଜାର କାଉଡିଆଙ୍କ ଉପସ୍ଥିତିରେ ରାମେଶ୍ବର ଜୀଉ ସେବାସଂଘ କଟକ, ମହାକାଳ କାଉଡ଼ିଆ ସେବା ସଂଘ, ଭୁଆସୁଣୀ ବୋଲବମ ସେବା ସଂଘ, କଲ୍ୟାଣୀ ଚାରିଟେବୁଲ ଟ୍ରଷ୍ଟ, କାଉଡ଼ିଆ ସେବା ସଂଘ ନୂଆପଡ଼ା, ପଲ୍ଲୀଶ୍ରୀ କାଉଡ଼ିଆ ସଂଘ, କାଉଡ଼ିଆ ସେବା ସଂଘ ପରିଷଦ ଓ କାଉଡ଼ିଆ ସେବା ସଂଘ ଛତ୍ରବଜାରର ସଭାପତି ଓ ସଂପାଦକ ମାନଙ୍କୁ ଭୋଳା ଶଙ୍କର ସେବା ସମ୍ମାନରେ ବିଭୁଷିତ କରାଯାଇଥିଲା।

ସେହିପରି ଭାବରେ ଭୋଳା ଶଙ୍କରଙ୍କ ମହିମାକୁ ସାହିତ୍ୟ ଏବଂ ସଙ୍ଗୀତ ମାଧ୍ୟମରେ ପ୍ରଚାର ପ୍ରସାର କରିଥିବାରୁ ବିପିନ ବିହାରୀ ବାରିକଙ୍କୁ ଭୋଳା ଶଙ୍କର ସାହିତ୍ୟ ସମ୍ମାନ ଏବଂ ବିରେନ୍ଦ୍ର କୁମାର ଜେନାଙ୍କୁ ଭୋଳା ଶଙ୍କର ସଙ୍ଗୀତ ସମ୍ମାନ ପ୍ରଦାନ କରାଯାଇଛି। ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ବିଶ୍ୱଜିତ ସୂର୍ଯ୍ୟବଂଶୀ, ପ୍ରଫେସର ନୀଳକଂଠ ରାଉତ, ବିପିନ ବିହାରୀ ବାରିକ, ସାଗର କୁମାର ସାମନ୍ତରାୟ, ବିରେନ୍ଦ୍ର କୁମାର ଜେନା, ଭରତ ମିଶ୍ର, ଏବଂ ଡଃ ସଂଗ୍ରାମ କେଶରୀ ସାମନ୍ତରାୟ ଉପସ୍ଥିତ ରହି ସମସ୍ତ ଯୁବ ବ୍ୟକ୍ତିତ୍ଵ ମାନଙ୍କୁ ଅନୁଷ୍ଠାନର ଫଳକ, ଉତ୍ତରୀୟ, ଫୁଲତୋଡ଼ା ସହିତ ପ୍ରେରଣାଦାୟୀ ଶବ୍ଦରେ ଉତ୍ସାହିତ କରିଥିଲେ। ଏହା ଏକ ନିଆରା ପରମ୍ପରା ସୃଷ୍ଟି କରିଛି ବୋଲି ହଜାର ହଜାର ଯୁବ ପ୍ରତିଭାମାନେ ମତବ୍ୟକ୍ତ କରିଥିଲେ।

ଏଠାରେ ପ୍ରକାଶଯୋଗ୍ୟ ଯେ, ଶ୍ରାବଣ ମାସରେ ବାବା ଧବଳେଶ୍ଵର ପୀଠରେ ପ୍ରବଳ ଜନସମାଗମ ଲାଗି ରହିଥାଏ। କାଉଡ଼ିଆମାନେ ଦୂର ଦୁରନ୍ତରୁ ଖାଲି ପାଦରେ ନିଷ୍ଠା କାଷ୍ଠାର ସହ ଜଳଧରି ମହାଦେବଙ୍କ ନିକଟକୁ ଆସି ଜଳଲାଗି କରିଥାନ୍ତି। ଅନେକ ସେବକ ସଂଗଠନ କାଉଡିଆମାନଙ୍କ ସେବା କରିବା ସହିତ ବିଧି ମୁତାବକ ଭୋଜନ ପ୍ରଦାନ କରିଥାଆନ୍ତି। ସନାତନ ଧର୍ମ ଧାରାରେ ମହାଦେବଙ୍କ ସେବକଙ୍କ ସେବାକରୀଙ୍କୁ ଶ୍ରେଷ୍ଠ ବୋଲି ବିବେଚନା କରାଯାଇଥାଏ। ତେଣୁ ଏହି ସେବାକାରୀ ଅନୁଷ୍ଠାନମାନଙ୍କର ଉତ୍ସାହ ବୃଦ୍ଧି କରିବା ପାଇଁ ଭୋଳା ଶଙ୍କର ସେବା ସମ୍ମାନ-୨୦୨୨ ପ୍ରଦାନ କରାଯାଇଥିବା ବାବା ଧବଳେଶ୍ଵର ସାରସ୍ବତ ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.