ବିସିସିଆଇ ଅଧ୍ୟକ୍ଷ ରୋଜର ବିନ୍ନିଙ୍କୁ ନୋଟିସ୍

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ବିସିସିଆଇ ବସ ତଥା ସଭାପତି ରୋଜର ବିନ୍ନିଙ୍କୁ ନୋଟିସ୍ ହୋଇଛି। ବୋହୂ ମୟନ୍ତି ଲଙ୍ଗେର ଷ୍ଟାର ସ୍ପୋର୍ଟସରେ ନିଯୁକ୍ତ ଅଛନ୍ତି। ଏପରି ସ୍ଥିତିରେ ବୋର୍ଡର ସ୍ବାର୍ଥକୁ ଆଞ୍ଚ ଆସିପାରେ। ତେଣୁ ଏହାଉପରେ ଜବାବ ମଗାଯାଇଥିବା ସୂଚନା ରହିଛି। ବିସିସିଆଇର ନୈତିକ ଅଧିକାରୀ ବିନିତ ସରିନ ଏହି ଦ୍ୱନ୍ଦ୍ୱ ଉପୁଜିବା ପରେ ବିନ୍ନିଙ୍କୁ ନୋଟିସ ପଠାଇଛନ୍ତି। ୧୯୮୩ର ବିଶ୍ୱକପ ବିଜେତା ଦଳର ଏକ ଅଂଶ ଥିଲେ ବିନ୍ନି। ଏବଂ ଗତ ମାସରେ ସୌରଭ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସେ ବୋର୍ଡର ଅଧ୍ୟକ୍ଷ ହୋଇଥିଲେ। ଗତ ୨୧ ତାରିଖରେ ଏଥିକ୍ସ କମିଟି ଜାରି କରିଥିବା ନୋଟିସରେ ସରିନ କହିଛନ୍ତି, ବୋହୂ ଷ୍ଟାର ସ୍ପୋର୍ଟସରେ ନିଯୁକ୍ତ ରହିଛନ୍ତି। ତେଣୁ ଘରୋଇ କମ୍ପାନୀକୁ ସୁହାଇଲା ଭଳି କୌଣସି ପଦକ୍ଷେପ ଆପଣ ପଦରେ ଥିବା ବେଳେ ନେଇପାରନ୍ତି। ଏପରି ଏକ ଅଭିଯୋଗ ଆସିବା ପରେ ବିସିସିଆଇ ତାର ସ୍ୱାର୍ଥର ସମ୍ପର୍କିତ ନିୟମ ୩୮(୧)(କ) ଏବଂ ନିୟମ ୩୮(୨)ର ଉଲ୍ଲଙ୍ଘନର ଅଭିଯୋଗର ଲିଖିତ ଜବାବ ଆବଶ୍ୟକ କରିଛି। ଅଭିଯୋଗ ଉପରେ ବୋର୍ଡର ଏଥିକ୍ସ କମିଟି ବିନ୍ନିଙ୍କୁ ଲିଖିତ ଭାବରେ ଡିସେମ୍ବର  ୨୦ ପୂର୍ବରୁ ଜବାବ ଦେବାକୁ ନିର୍ଦ୍ଦେଶ ରହିଛି। ବିନ୍ନିଙ୍କ ବିରୋଧରେ ସଞ୍ଜୀବ ଗୁପ୍ତା ଅଭିଯୋଗ ଆଣିବା ପରେ ଏଥିକ୍ସ କମିଟି ଲିଖିତ ଜବାବ ମାଗିଛି। ଅଭିଯୋଗକାରୀ କହିଛନ୍ତି, ତାଙ୍କ ବୋହୂ ଷ୍ଟାର ସ୍ପୋର୍ଟସରେ କାମ କରୁଛନ୍ତି, ଯେଉଁଥିରେ ଭାରତୀୟ କ୍ରିକେଟର ଘରୋଇ ମ୍ୟାଚ ପ୍ରସାରଣ ପାଇଁ ମିଡିଆ ରାଇଟ୍ସ ବା ଅଧିକାର ରହିଛି। ଉଲ୍ଲେଖଯୋଗ୍ୟ, ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଅନେକଙ୍କୁ ବିସିସିଆଇ ଏପରି ଜବାବ ମାଗିସାରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.