ବେଦାନ୍ତକୁ ଖଣି ଓ କଞ୍ଚାମାଲ ଯୋଗାଇବା ଦାବି କରି ବେଦାନ୍ତ ସପକ୍ଷରେ ପଦଯାତ୍ରା କଲେ ଲାଞ୍ଜିଗଡ଼ ଅଞ୍ଚଳବାସୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାର ଏକମାତ୍ର ବୃହତ ଶିଳ୍ପ ପ୍ରକଳ୍ପ ଲାଞ୍ଜିଗଡ଼ସ୍ଥିତ ବେଦାନ୍ତ ଲିମିଟେଡ୍ ଗତ ୨୦୦୩ ମସୀହାରୁ ଲାଞ୍ଜିଗଡ଼ଠାରେ ରିଫାଇନେରୀ ସ୍ଥାପନ ସହିତ ଆଲୁମିନା ଉତ୍ପାଦନ ଆରମ୍ଭ କରିଥିଲା ସତ କିନ୍ତୁ ପ୍ରାୟ ୨୦ ବର୍ଷ ପୁରିବାକୁ ବସିଥିବାବେଳେ କମ୍ପାନୀକୁ ନିୟମଗିରି ଖଣି ଓ କଞ୍ଚାମାଲ ମିଳିନାହିଁ। ଯାହା ଫଳରେ କମ୍ପାନୀ ବାହାରୁ କଞ୍ଚାମାଲ ଆଣି ଲାଞ୍ଜିଗଡ଼ରେ ରିଫାଇନେରୀ ଚଳାଇଥିବା ବେଳେ ଇତିମଧ୍ୟରେ ପ୍ରକଳ୍ପର ସଂପ୍ରସାରଣ ମଧ୍ୟ କରିସାରିଛି। ତେବେ ବାହାରୁ କଞ୍ଚାମାଲ ଆଣି କଂପାନୀ ଚଳାଇବା ଦିନକୁ ଦିନ ମୁସ୍କିଲ ହୋଇ ପଡ଼ୁଥିବାବେଳେ ଶେଷରେ କମ୍ପାନୀ ହାତ ଟେକିଦେବାକୁ ବସିଛି। ଏପରିକି କଞ୍ଚାମାଲ ଅଭାବ ଓ ଉତ୍ପାଦନ ଅପେକ୍ଷା ବ୍ୟୟଭାର ବୃଦ୍ଧି ପାଇଥିବାବେଳେ ଏଥିଯୋଗୁଁ କମ୍ପାନୀ ଉପରେ ଆର୍ଥିକ ବୋଝ ବଢ଼ିଚାଲିଛି। ଏହି ପରିପ୍ରେକ୍ଷୀରେ କମ୍ପାନୀ ଉପରେ ନିର୍ଭର କରୁଥିବା ଲାଞ୍ଜିଗଡ଼, ଜଗନ୍ନାଥପୁର, ବସନ୍ତପଡ଼ା, ବାତେଲିମା, ଛତ୍ରପୁର, ଚମ୍ପାଦେଇପୁର ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିବା ସହିତ ନିଜର ଜୀବନ ଜୀବିକା ବିପନ୍ନ ହେବା ଆଶଙ୍କାରେ ଆଜି ତିନି ହଜାରରୁ ଉର୍ଦ୍ଧ୍ବ ଲୋକେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଲାଞ୍ଜିଗଡ଼ ହାଇସ୍କୁଲ ପଡ଼ିଆରୁ ୩ ହଜାରରୁ ଅଧିକ ଲୋକେ ସମବେତ ହେବା ସହିତ ଏକ ବିଶାଳ ଶୋଭାଯାତ୍ରାରେ ବିଶ୍ବନାଥପୁର ବ୍ଲକ କାର୍ଯ୍ୟାଳୟକୁ ଯିବା ସହିତ ଲାଞ୍ଜିଗଡ଼ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। କମ୍ପାନୀକୁ ଓଡ଼ିଶା ଖଣି ନିଗମ ଜରିଆରେ ସ୍ଥାୟୀ ଖଣି କିମ୍ବା କଞ୍ଚାମାଲ ଯୋଗାଇଦେଲେ କମ୍ପାନୀ ପୂର୍ବବତ୍ କାର୍ଯ୍ୟକ୍ଷମ ରହିବ ଏବଂ କମ୍ପାନୀ ଉପରେ ନିର୍ଭରଶୀଳ ହଜାର ହଜାର ଲୋକେ ଉପକୃତ ହେବେ ବୋଲି ସେମାନେ ଦର୍ଶାଇଛନ୍ତି।

ଏଥିରେ ଲାଞ୍ଜିଗଡ଼ ଶ୍ରମିକ ସଂଘ, ଲାଞ୍ଜିଗଡ଼ ବଣିକ ସଂଘ, ଲାଞ୍ଜିଗଡ଼ ଡ୍ରାଇଭର ସଂଘ, ମୋଟର ଗାଡ଼ି ମାଲିକ ସଂଘ, ବିଭିନ୍ନ ରାଜନୈତିକ, ସାମାଜିକ ସଂଗଠନର ଲୋକେ ସ୍ବତଃ ପ୍ରବୃତ୍ତ ଭାବେ ଆଜିର ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ବିଡିଓଙ୍କ ଅନୁପସ୍ଥିତିରେ ଏବିଡିଓ ବିଭୁତିଭୂଷଣ ଶତପଥୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଲାଞ୍ଜିଗଡ଼ ଅଞ୍ଚଳ ବିକାଶ ପରିଷଦର ସଭାପତି ଶ୍ରୀଧର ପେସନିଆ, କାମରାଜ ଦଳବେହେରା, ଚନ୍ଦ୍ରଧ୍ବଜ ପେସନିଆ, ଅଶୋକ ପଟ୍ଟନାୟକ, ସଞ୍ଜୀବ କୁମାର ନାୟକ, ରାଜେନ୍ଦ୍ର ପ୍ରତାପ ସିଂହଦେଓ, ଅଶୋକ ପଟ୍ଟନାୟକ, ସୁବାସ ଅଗ୍ରବାଲ, ଶ୍ରୀବତ୍ସ ତାଣ୍ଡି, ଲକ୍ଷ୍ମୀଧର ସନ୍ତୋଷରାୟ, ସୁବାସ ମହାପାତ୍ର, ଶ୍ରୀମୁଖ ଅଗସ୍ତି, ଲିଙ୍ଗରାଜ ମାଝୀ, ହିମାଦ୍ରୀ ପେସନିଆ, ପ୍ରଦୀପ ଘଡ଼େଇ, ତରୁଣ କୁମାର ଦାସ, ମନୋରଞ୍ଜନ ବିଶି, ଅନନ୍ତ ପାଲ, ସେନାପତି ନାଏକ, ତରଣୀସେନ ନାଏକ, ମୁଗାନା ମାଝୀ, ଚାଞ୍ଚେର ମାଝୀ, ନରେନ୍ଦ୍ର ମାଝୀ, ପୁଙ୍ଗରି ମାଝୀ, ପାତ୍ର ମାଝୀ, ଫକୀର ବିଶି, ମନୋହର ହରପାଲଙ୍କ ସମେତ ସାତଟି ପଞ୍ଚାୟତରୁ ବହୁସଂଖ୍ୟାରେ ଲୋକେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.