ବିଦର୍ଭ ଦେଶର ରାଜା ଭିଷ୍ମକଙ୍କ ପାଞ୍ଚ ପୁଅ ରୁକ୍ମ, ରୁକ୍ମରଥ, ରୁକ୍ମବାହୁ, ରୁକ୍ମକେଶ ଓ ରୁକ୍ମମାଳି ଏବଂ ରୁକ୍ମଣୀ ନାମକ ଏକ ଝିଅ ଥିଲେ । ରୁକ୍ମଣୀ ଗୁଣବତୀ ତଥା ବହୁତ ସୁନ୍ଦରୀ ଥିଲେ । ତାଙ୍କ ପିତାମାତା ଚାହୁଁଥିଲେ ଯେ ସେ କୃଷ୍ଣଙ୍କୁ ବିବାହ କରନ୍ତୁ କିନ୍ତୁ ରୁକ୍ମ (ରୁକ୍ମିଣୀଙ୍କ ବଡ଼ ଭାଇ) ଚାହୁଁଥିଲେ ଯେ ତାଙ୍କ ଭଉଣୀ ଚେଦିରାଜ ଶିଶୁପାଳଙ୍କୁ ବିବାହ କରନ୍ତୁ । ରୁକ୍ମଣୀ କିନ୍ତୁ କୃଷ୍ଣଙ୍କ ପ୍ରତି ଆକର୍ଷିତ ହୋଇଥିଲେ, ତେଣୁ ସେ ଜଣେ ବିପ୍ରଙ୍କ ହାତରେ କୃଷ୍ଣଙ୍କୁ ଏକ ବାର୍ତ୍ତା ପଠାଇଲେ । ବାର୍ତ୍ତା ଆଣିଥିବା ବିପ୍ରଙ୍କୁ କୃଷ୍ଣ କହିଛନ୍ତି, “ରୁକ୍ମିଣୀ ମୋତେ ଯେତିକି ଭଲ ପାଆନ୍ତି ମୁଁ ମଧ୍ୟ ତାଙ୍କୁ ଭଲ ପାଏ । ମୁଁ ଜାଣେ ଯେ ରୁକ୍ମଣୀଙ୍କ ପିତାମାତା ଚାହୁଁଛନ୍ତି ଯେ ରୁକ୍ମଣୀମୋତେ ବିବାହ କରନ୍ତୁ, କିନ୍ତୁ ମୋ ସହିତ ତାଙ୍କର ଶତ୍ରୁତା ହେତୁ ଭାଇ ରୁକ୍ମ ତାଙ୍କୁ ଏପରି କରିବାକୁ ବାରଣ କରୁଛନ୍ତି । ତୁମେ ଯାଇ ରାଜକୁମାରୀ ରୁକ୍ମଣୀଙ୍କୁ କୁହ ଯେ ମୁଁ ନିଶ୍ଚିତ ଭାବେ ତାଙ୍କୁ ବିବାହ କରିବି ।” ଏଣେ, ଶିଶୁପାଳ ରୁକ୍ମଣୀଙ୍କୁ ବିବାହ କରିବା ପାଇଁ ନିର୍ଦ୍ଧାରିତ ତିଥି ଅନୁଯାୟୀ ବିଦର୍ଭ ନଗରରେ ବର ବେଶରେ ଉପସ୍ଥିତ ହେଲେ । କିନ୍ତୁ, ଶ୍ରୀକୃଷ୍ଣ ବଳରାମଙ୍କ ସହିତ ବିଦର୍ଭରେ ପହଞ୍ଚିଲେ। ଶିଶୁପାଳଙ୍କ ସମେତ ବିବାହ ଉପଲକ୍ଷେ ସମାଗତ ଜରାସନ୍ଧ ଆଦି ରାଜଗଣ ଶ୍ରୀକୃଷ୍ଣଙ୍କୁ ବାଧା ପ୍ରଦାନ କରିବାକୁ ଚେଷ୍ଟା କଲେ । କିନ୍ତୁ, ଶ୍ରୀକୃଷ୍ଣ ଏବଂ ବଳରାମ ସମସ୍ତଙ୍କୁ ପରାସ୍ତ କରି ରୁକ୍ମଣୀଙ୍କୁ ବଳପୂର୍ବକ ହରଣ କରିନେଲେ । ଶିଶୁପାଳ ଲଜ୍ଜିତ ହୋଇ ପ୍ରତ୍ୟାବର୍ତ୍ତନ କଲେ। ରୁକ୍ମଣୀଙ୍କୁ ଘେନି ଶ୍ରୀକୃଷ୍ଣ ଦ୍ୱାରକାରେ ପହଞ୍ଚିଲେ । ଏହାପରେ ରୁକ୍ମଣୀଙ୍କ ସଙ୍ଗେ ଶ୍ରୀକୃଷ୍ଣଙ୍କର ବିବାହ ସମ୍ପାଦିତ ହେଲା । ଭଗବାନ ଶ୍ରୀକୃଷ୍ଣଙ୍କ ସହ ଦେବୀ ରୁକ୍ମିଣୀଙ୍କ ବିବାହ ସନାତନ ଧର୍ମଧାରାରେ ରୁକ୍ମିଣୀ ବିବାହ ବା ରୁକ୍ମିଣୀ ହରଣ ଏକାଦଶୀ ନାମରେ ଖ୍ୟାତ । ଏହି ପୌରାଣିକ ଘଟଣାର ସ୍ମାରକୀ ସ୍ୱରୂପ ପ୍ରତିବର୍ଷ ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ତିଥିରେ କୃଷ୍ଣ ମନ୍ଦିର ଗୁଡ଼ିକରେ ଏହି ବିବାହ ଉତ୍ସବ ପାଳନ ହୋଇଥାଏ । ପୁରୀ ଶ୍ରୀମନ୍ଦିରରେ ମଧ୍ୟ ରୁକ୍ମିଣୀ ବିବାହ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଥାଏ । ଶ୍ରୀମନ୍ଦିରରେ ପବିତ୍ର ଜ୍ୟେଷ୍ଠ ରୁକ୍ମିଣୀ ହରଣ ଏକାଦଶୀ ତିଥିରେ ଶ୍ରୀଜଗନ୍ନାଥଙ୍କ ଚଳନ୍ତି ପ୍ରତିମା ମଦନମୋହନ ଓ ରୁକ୍ମିଣୀ (ଶ୍ରୀଦେବୀ)ଙ୍କ ବିବାହ ଉତ୍ସବ ପାରମ୍ପାରିକ ରୀତିନୀତିରେ ଅନୁଷ୍ଠିତ ହୋଇଥାଏ । ରୁକ୍ମିଣୀଙ୍କୁ ମହାଲକ୍ଷ୍ମୀଙ୍କ ଅବତାର ବୋଲି କୁହାଯାଏ । ପୂଜାପଣ୍ଡା ସେବକମାନେ ସକାଳ ଧୂପ ଶେଷ ହୋଇ ପାଣି ପଡ଼ିବା ପରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀଦେବୀଙ୍କୁ ପ୍ରଦାନ କରନ୍ତି । ଏହାପରେ ମହାଜନ ସେବକ ଶ୍ରୀଦେବୀଙ୍କୁ ହସ୍ତରେ ନେଇ ସାତ ପାହାଞ୍ଚ ନିକଟରେ ଥିବା ସୁସଜ୍ଜିତ ପାଲିଙ୍କିରେ ବିଜେ କରାନ୍ତି । ପାଲିଙ୍କିକୁ କାନ୍ଧରେ ନେଇ ବିମାନବଡୁ ସେବକମାନେ ମହାଲକ୍ଷ୍ମୀଙ୍କ ମନ୍ଦିର ନିକଟରେ ରଖନ୍ତି । ସେଠାରୁ ଶ୍ରୀଦେବୀଙ୍କୁ ସେବକମାନେ ହାତରେ ବିଜେ କରାଇ ମହାଲକ୍ଷ୍ମୀଙ୍କ ମନ୍ଦିରର ଜଗମୋହନରେ ପଡ଼ିଥିବା ଖଟ ଶେଯ ଉପରେ ବିଜେ କରାନ୍ତି । ଭଣ୍ଡାର ମେକାପ ଦେଇଥିବା ଅଳଙ୍କାର ଶ୍ରୀଦେବୀଙ୍କୁ ଅଳଙ୍କୃତ କରାଇବା ପୂର୍ବରୁ ତାଙ୍କୁ ପଞ୍ଚାମୃତରେ ମହାସ୍ନାନ, ମାଜଣା ଓ ବନଲାଗି କରାଯାଇଥାଏ । ଅଳଂକାର ଅଳଙ୍କୃତ ହେବା ପରେ ମହାଲକ୍ଷ୍ମୀଙ୍କ ବିଶ୍ୱସ୍ତ ତଢାଉ କରଣ ତାଳପତ୍ର ଓ ଲେଖନୀ ନେଇ ସେଠାରେ ପହଞ୍ଚନ୍ତି । ଭିତରଛ ମହାପାତ୍ର ଉକ୍ତ ତାଳପତ୍ର ଓ ଲେଖନୀକୁ ଶ୍ରୀଦେବୀଙ୍କ ଶ୍ରୀହସ୍ତ ସ୍ପର୍ଶ କରାଇ ତଢାଉ କରଣ ସେବକଙ୍କୁ ଦିଅନ୍ତି । ସେ ରୁକ୍ମିଣୀଙ୍କ ମନୋଭାବ ତାଳପତ୍ରରେ ଲେଖି ମହାପ୍ରଭୁଙ୍କ ନିକଟକୁ ପଠାଇଥାନ୍ତି । ଦକ୍ଷିଣ ଘରେ ମହାପ୍ରଭୁ ମଦନମୋହନଙ୍କ ବେଶ ଶେଷ ହେବା ପରେ ରତ୍ନସିଂହାସକୁ ବିଜେ କରନ୍ତି । ଏହାପରେ ଭିତରେ ଆଲଟ ଲାଗି ହୋଇ ଦ୍ୱାର ବନ୍ଦ ରହେ। ଭିତରଛ ମହାପାତ୍ର ତାଳପତ୍ରରେ ଲେଖାଥିବା ଚିଟାଉଟା ନେଇ ଚନ୍ଦନରେ ଶ୍ରୀଦେବୀଙ୍କ (ରୁକ୍ମିଣୀ) ଶ୍ରୀହସ୍ତ ମୁଦ୍ କରାନ୍ତି । ତାହାପରେ ଜଣେ ସେବକ ବିପ୍ରବ୍ରାହ୍ମଣ ରୂପେ ଚିଟାଉ ନେଇ ଘଣ୍ଟ, ଛତା ଓ କାହାଳୀ ସହ ଜୟ ବିଜୟ ଦ୍ୱାରଠାରେ ଅପେକ୍ଷା କରିଥିବା ମଦନମୋହନଙ୍କ ନିକଟରେ ପହଞ୍ଚିବା ପରେ ପୁରାଣ ପଣ୍ଡା, ପୂଜା ପଣ୍ଡା ଓ ପାଳିଆ ଖୁଣ୍ଟିଆ ସେବାୟତମାନଙ୍କ ଉପସ୍ଥିତିରେ ବଚନିକାମନ ହୋଇଥାଏ । ଦ୍ବାରିକା ଅଧିପତି ଭଗବାନ ଶ୍ରୀକୃଷ୍ଣଙ୍କର ଷୋଳ ସହସ୍ର ଏକ ଶହ ରାଣୀଙ୍କ ସହିତ ରୁକ୍ମିଣୀ ଓ ସତ୍ୟଭାମା ଆଦି ଅଧିକା ଆଠ ପାଟରାଣୀ ଥିଲେ । ଦେବୀ ରୁକ୍ମିଣୀ ଶ୍ରୀକୃଷ୍ଣଙ୍କ ରୂପ, ଗୁଣରେ ଆକୃଷ୍ଟ ହୋଇ ତାଙ୍କୁ ବିବାହ ପାଇଁ ଅଭିଳାଷ ରଖିଥିଲେ । ଶ୍ରୀକୃଷ୍ଣ ମଧ୍ୟ ଦେବୀ ରୁକ୍ମିଣୀଙ୍କ କାମନା ପୂରଣ କରି ତାଙ୍କୁ ବିବାହ କରିଥିଲେ ।