କ୍ରୀତଦାସ ପ୍ରଥାର ଅବସାନ କେବେ

ବହୁ ବର୍ଷ ପୂର୍ବେ ବିଶ୍ୱ ଇତିହାସରେ କ୍ରୀତଦାସ ପ୍ରଥା ଏକ ସାଧାରଣ କଥା ଥିଲା । ଆରବ ଦେଶରୁ ଆରମ୍ଭ କରି ପାଶ୍ଚାତ୍ୟ ଦେଶ ପର୍ଯ୍ୟନ୍ତ କ୍ରୀତଦାସମାନଙ୍କୁ ଚାଲାଣ କରାଯାଉଥିଲା । ଯଦିଓ ବର୍ତ୍ତମାନ ଏହାକୁ ଅନେକ ଦେଶରେ ଆଇନ ଦ୍ୱାରା ନିଷେଧ କରାଯାଇଛି, ତଥାପି ଗ୍ଲୋବାଲ୍ ସ୍ଲାଭେରୀ ଇଣ୍ଡେକ୍ସ-୨୦୨୩ ଅନୁଯାୟୀ, ସମଗ୍ର ବିଶ୍ୱରେ ୫ କୋଟି ଲୋକ ଏବେ ବି କ୍ରୀତଦାସ ଭାବେ ଖଟୁଛନ୍ତି । ରିପୋର୍ଟରେ ଦର୍ଶାଯାଇଛି ଯେ, ବିଶ୍ବରେ ଏବେ ବି ଏପରି ଦେଶ ଅଛି, ଯେଉଁଠାରେ କ୍ରୀତଦାସ ପ୍ରଥା ଜାରି ରହିଛି । ଉତ୍ତର କୋରିଆରେ ଜନସାଧାରଣଙ୍କ ଉପରେ ଅତ୍ୟାଚାର ତଥା ଅଜବ ନିୟମକାନୁନ ବିଷୟରେ ଆପଣ ଶୁଣିଥିବେ । ସୂଚକାଙ୍କରେ ଉତ୍ତର କୋରିଆ ଶୀର୍ଷରେ ରହିଛି । ଆଶ୍ଚର୍ଯ୍ୟର କଥା ହେଉଛି, ଉତ୍ତର କୋରିଆରେ କ୍ରୀତଦାସମାନଙ୍କୁ ଜିନିଷପତ୍ର ପରି ରପ୍ତାନୀ କରାଯାଉଛି । ଏଠାରେ ଥିବା ଜନସଂଖ୍ୟାରୁ ୧୦ଜଣରୁ ଜଣେ କ୍ରୀତଦାସ ଅଟନ୍ତି । ଉତ୍ତର କୋରିଆରେ କ୍ରୀତଦାସ ପ୍ରଥାର ଅବସ୍ଥା ଏପରି ଯେ, ଅନ୍ୟ ଦେଶକୁ ମଧ୍ୟ କ୍ରୀତଦାସ ପଠାଯାଇଥାଏ । ୨୦୧୬ରେ ‘ଡାଟାବେସ୍ ସେଣ୍ଟର୍ ଫର୍‌ ନର୍ଥ କୋରିଆ ହ୍ୟୁମାନ୍ ରାଇଟ୍ସ’ ଏକ ତଥ୍ୟ ଦେଇଥିଲା ଯେ, ଉତ୍ତର କୋରିଆର ଶ୍ରମିକମାନଙ୍କୁ ଅନ୍ୟ ଦେଶକୁ ପଠାଇ ଦେଶ ତା’ର ସରକାରୀ ରାଜକୋଷ ବୃଦ୍ଧି କରିବାରେ ଲାଗିଛି ।‌ ୨୦୧୨ରେ କିମ୍ ଜୋଙ୍ଗ ଉନ୍ କ୍ଷମତା ଗ୍ରହଣ କରିବା ପରେ ଏଠାରେ ନାଗରିକମାନଙ୍କୁ ଦ୍ରବ୍ୟ ଭଳି ବ୍ୟବହାର କରାଯାଉଛି । ଯେଉଁମାନେ ଏଠାରୁ ଖସିଯିବାକୁ ଚେଷ୍ଟା କରୁଥିଲେ, ସେମାନଙ୍କୁ ବାନ୍ଧି ଶ୍ରମିକ ଭାବେ ଖଟା ଯାଉଥିଲା । କାହାକୁ ନିଜ ଦେଶରେ ଦାସ ଭାବେ ରଖାଯାଉଥିଲା ତ କାହାକୁ ବିଦେଶକୁ ପଠାଯାଇଥିଲା । ତାଲିକାରେ କୋରିଆ ପରେ ଏରିଟ୍ରିଆ ଓ ମୋରିତାନିଆ ପରି ଆଫ୍ରିକୀୟ ଦେଶଗୁଡିକର ନାଁ ରହିଛି । ଯଦିଓ ଏଠାରେ ଅଶୀ ଦଶକରେ କ୍ରୀତଦାସ ପ୍ରଥାକୁ ବେଆଇନ ଘୋଷଣା କରାଯାଇଥିଲା, କିନ୍ତୁ ଗୋଲାମୀ ଆଜି ବି ଏଠାରେ ଜାରି ରହିଛି । ତାଲିକାରେ ୟୁଏଇ, କୁଏତ ଓ ସାଉଦି ଆରବ ଦେଶଗୁଡ଼ିକର ନାଁ ରହିଛିି । ଏହି ଦେଶମାନଙ୍କରେ ବହୁତ ଧନୀ ଅଛନ୍ତି । ଏଥିସହ ଏଠାକାର ନାଗରିକମାନେ ଆର୍ଥିକ ଭାବେ ସ୍ବଚ୍ଛଳ । କିନ୍ତୁ ବାହାରୁ ଏଠାକୁ ଆସୁଥିବା ଶ୍ରମିକମାନଙ୍କୁ କ୍ରୀତଦାସ ପରି ରଖାଯାଇଥାଏ । ଆଧୁନିକ କ୍ରୀତଦାସ ପ୍ରଥାରେ କାମ କରିବାର କୌଣସି ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ନାହିଁ । ଏଥିସହ ସେମାନଙ୍କୁ ଦରମା ମଧ୍ୟ ଦିଆଯାଏ ନାହିଁ । ଏଠାରେ ବିବାହିତ ଲୋକଙ୍କୁ ବାହାର ଦେଶକୁ କ୍ରୀତଦାସ ଭାବେ ପଠାଯାଇଥାଏ । ଏମାନଙ୍କୁ ୧୪ରୁ ୧୬ଘଣ୍ଟା କାମ କରାଯାଇଥାଏ । ସେମାନେ କାଳେ ଖସିଯିବେ ବୋଲି ସେମାନଙ୍କ ଠାରୁ ସମସ୍ତ ପରିଚୟ ପତ୍ର ଛଡ଼େଇ ନିଆଯାଇଥାଏ । ପୂର୍ବ କିଛି ଶହ ବର୍ଷର କ୍ରୀତଦାସ କର୍ମ କେବଳ ଚର୍ମର ବର୍ଣ୍ଣ ଆଧାରରେ ହେଉଥିଲା । ଯୁକ୍ତରାଷ୍ଟ୍ର ଆମେରିକାରେ ଅନେକ କଳା ଲୋକ ସେମାନଙ୍କର ଜାତିକୁ ଭିତ୍ତି କରି କ୍ରୀତଦାସ ବିବେଚିତ ହେଉଥିଲେ; ଅନେକ କ୍ରୀତଦାସଙ୍କ ମାଲିକମାନେ କଳା ଲୋକଙ୍କୁ ନିକୃଷ୍ଟ ମାନବ ଭଳି ବ୍ୟବହାର କରୁଥିଲେ । ଆମେରିକାରେ ଦୀର୍ଘକାଳ ବ୍ୟାପୀ ରହିିଥିବା ଅତି ଅମାନବୀୟ କ୍ରୀତଦାସ ପ୍ରଥା ଓ ଗୃହଯୁଦ୍ଧର ଅବସାନ କରାଇଥିବା ଆବ୍ରାହମ୍ ଲିଙ୍କନ୍ ଆମେରିକାର ଚର୍ଚ୍ଚିତ ରାଷ୍ଟ୍ରପତିଙ୍କ ମଧ୍ୟରୁ ଅନ୍ୟତମ । ତାଙ୍କର କ୍ଷୀଣକାୟ ଶରୀର ହେଲେ ମଧ୍ୟ ମନର ବଳ ଥିଲା ଅସୀମ । ଆବ୍ରାହମ ଲିଙ୍କନଙ୍କ ଜୀବନୀ ଅନ୍ୟମାନଙ୍କ ପାଇଁ ଅନୁକରଣୀୟ ନିଶ୍ଚୟ । ଦୃଢ଼ ମନୋବଳ, କର୍ତ୍ତବ୍ୟନିଷ୍ଠା ତଥା ଅଧ୍ୟବସାୟ ବଳରେ ସବୁକିିଛି ସମ୍ଭବ ହୋଇପାରେ, ଏହା ଲିଙ୍କନ ନିଜ ଜୀବନକାଳ ମଧ୍ୟରେ ପ୍ରମାଣିତ କରିଯାଇଛନ୍ତି । ବିଶ୍ବବାସୀଙ୍କ ସମ୍ମୁଖରେ ରଖିଯାଇଛନ୍ତି ଏହାର ବଳିଷ୍ଠ ଉଦାହରଣ । ତେବେ ଆଜି ବି ବିଶ୍ବର ଅନେକ ସଭ୍ୟ ଶିକ୍ଷିତର ପଦକ ଝୁଲାଇ ରଖିଥିବା ରାଷ୍ଟ୍ରମାନଙ୍କରୁ କ୍ରୀତଦାସ ପ୍ରଥା ସମାପ୍ତ ହୋଇନାହିଁ । ହିସାବ କରି ଦେଖାଯାଇଛି ଯେ, ଆଜି ବିଶ୍ୱରେ ୫ କୋଟିରୁ ଅଧିକ ଲୋକ କ୍ରୀତଦାସ ଭାବେ ଜୀବନ କାଟୁଛନ୍ତି । ସେମାନଙ୍କୁ ବଳପୂର୍ବକ କାର୍ଯ୍ୟ କରାଇବା, ଯୌନ ବ୍ୟବସାୟ ଆଦିରେ ଲଗାଯାଉଛି । କ୍ରୀତଦାସ ପ୍ରଥାର ଅବସାନ ପାଇଁ ଅନେକ ନିୟମ ପ୍ରଣୟନ କରାଯାଇଛି । କିନ୍ତୁ ଆଜି ବି ଏହାକୁ ନମାନି ଏହି ଅମାନବୀୟ ପ୍ରଥା କବଳରେ ଅନେକ ଦେଶ ରହିଥିବା ଚିନ୍ତାର ବିଷୟ ନିଶ୍ଚୟ ।
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.