ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ୍ ରୁପ୍ରାରୋଡ ଅଞ୍ଚଳର ଜଣାଶୁଣା ବ୍ୟବସାୟୀକ ପେଣ୍ଠସ୍ଥଳି । ଏଠାରେ ସାଧାରଣ ଦୋକାନ ସାଙ୍ଗକୁ ହୋଲସେଲ ସାମଗ୍ରୀର ବଡବଡ ଦୋକାନ ମାନ ରହିଛି । ହୋଲସେଲ ଦୋକାନୀ ମାନଙ୍କ ଅର୍ଡର ମୁତାବକ ସୁଦୁର ରାୟପୁର, କଣ୍ଟାବାଞ୍ଜି, କେସିଙ୍ଗା ଏପରିକି ରାଜସ୍ଥାନରୁ ମଧ୍ୟ ବଡବଡ ଟ୍ରକ ଯୋଗେ ବିଭିନ୍ନ ସାମଗ୍ରୀ ଆସି ପହଂଚିଥାଏ ରୁପ୍ରାରୋଡରେ । ଅନ୍ୟପକ୍ଷେ ରୁପ୍ରାରୋଡ ବସ୍ତି ଦେଇ ଯାଇଛି ନର୍ଲାରୁ କେସିଙ୍ଗା ପିଡବ୍ଲୁଡି ରାସ୍ତା । ରୁପ୍ରାରୋଡ ଆଗରୁ ଓ ରୁପ୍ରାରୋଡ ବସ୍ତି ଡେଇଁବା ପରେ ଆବଶ୍ୟକ ଅନୁଯାୟୀ ରାସ୍ତା ପ୍ରଶସ୍ଥ ରହିଥିବା ବେଳେ ରୁପ୍ରାରୋଡ ଷ୍ଟେଟ ବ୍ୟାଙ୍କ୍ ଆରମ୍ଭରୁ ଷ୍ଟେସନ ଛକ ଡେଇଁ ଜଗନ୍ନାଥ ମନ୍ଦିର ଯାଏଁ ରାସ୍ତା ସଂକୀର୍ଣ୍ଣ ହୋଇଯାଇଛି । ଏହାର ଏକମାତ୍ର କାରଣ ହେଉଛି ରାସ୍ତା ଜବରଦଖଲ । ରାସ୍ତା ଦୁଇ କଡରେ ବିଭିନ୍ନ ଦୋକାନ ଷ୍ଟଲ କରିଥିବା ଦୋକାନୀ ମାନେ ଧିରେ ଧିରେ ରାସ୍ତା କଡର ଡ୍ରେନକୁ ପୋତିଦେବା ସହ ଷ୍ଟଲ ଆଗକୁ ବଢାଇ ରାସ୍ତାକୁ ଅନଧିକାର କବ୍ଚା କରିନେଇଛନ୍ତି । ଅନ୍ୟପକ୍ଷେ ଦୋକାନୀ ମାନେ ରାୟପୁର, କେସିଙ୍ଗା, କଣ୍ଟାବାଞ୍ଜି ଓ ରାଜସ୍ଥାନରୁ ମଗାଉଥିବା ବିଭିନ୍ନ ସାମଗ୍ରୀ ନେଇ ରୁପ୍ରାରୋଡ ଆସୁଥିବା ବଡବଡ ଟ୍ରକ ସବୁ ଜିନିଷ ଅନଲୋଡିଙ୍ଗ ପାଇଁ ଦୋକାନ ସମ୍ମୁଖରେ ଠିଆ ହେଲେ କଥା ସରିଲା । ଏଭଳି ପରିସ୍ଥିତିରେ ଚାରି ଚକିଆ ଛୋଟଯାନ କଥା ଛାଡନ୍ତୁ, ଦୁଇ ଚକିଆ ବାଇକ ମଧ୍ୟ ସେହି ରାସ୍ତା ଦେଇ ଯିବା ଅସମ୍ଭବ ହୋଇ ପଡୁଥିବା ନିତିପ୍ରତି ଘଟଣାରେ ପଡିଗଲାଣି । ବିଶେଷ କରି ରୁପ୍ରାରୋଡ ବସ୍ତି ମଧ୍ୟସ୍ଥ ଷ୍ଟେସନ ଛକରେ ପ୍ରତ୍ୟହ ଟ୍ରାଫିକ ଜାମ ସମସ୍ୟା ସବୁ ସମୟରେ ଦୃଶ୍ୟମାନ ହେଉଛି । ଗତ ୮ ବର୍ଷ ତଳେ ନର୍ଲା ଚାରିଛକରୁ ଲାଖପଦର ଛକ ଯାଏଁ ପିଡବ୍ଲୁଡି ବିଭାଗ ପକ୍ଷରୁ ରାସ୍ତାକାମ କରାଯାଇଥିଲା । ବ୍ୟବସାୟୀମାନେ ରୁପ୍ରାରୋଡ ବସ୍ତି ମଝିରେ ରାସ୍ତାକୁ ଜବରଦଖଲ କରି ରଖିଥିବାରୁ ରାସ୍ତା ନିର୍ମାଣରେ ସମସ୍ୟା ଯୋଗୁଁ ରୁପ୍ରାରୋଡର ତତ୍କାଳୀନ ସରପଞ୍ଚଙ୍କ ନେତୃତ୍ୱରେ ନର୍ଲା ତହସିଲଦାର ରାସ୍ତା ମାପ କରି ଜବରଦଖଲ କରିଥିବା ଦୋକାନ ଷ୍ଟଲ ଗୁଡିକୁ ଚିହ୍ନଟ କରାଯାଇ ମାର୍କିଂ ମଧ୍ୟ କରାଯାଇଥିଲା । ଏବଂ ଦୋକାନୀ ମାନଙ୍କୁ ରାସ୍ତା ଉପରେ ତିଆରି କରିଥିବା ଘର ଓ ଦୋକାନ ଷ୍ଟଲ ଗୁଡିକ ଭାଙ୍ଗିବା ପାଇଁ ୧୫ ଦିନ ସମୟ ଅବଧି ଦିଆଯାଇଥିଲା । ସେହି ସମୟ ଅବଧି ମଧ୍ୟରେ ରାସ୍ତା ଜବରଦଖଲ କରିଥିବା ଘର ଏବଂ ଦୋକାନ ଷ୍ଲଲ ଗୁଡିକ ନଭାଙ୍ଗିଲେ ପ୍ରଶାସନ ତରଫରୁ ଭାଙ୍ଗି ଦିଆଯିବ ବୋଲି ରୁପ୍ରାରୋଡର ତତ୍କାଳୀନ ସରପଞ୍ଚ ସୂଚିତ ମଧ୍ୟ କରିଥିଲେ । ହେଲେ ପର ମୁହୂର୍ତ୍ତରେ ସେସବୁ ଫୁସ୍ ହୋଇଯାଇଥିଲା । ଏବେ ରାସ୍ତା ଜବର ଦଖଲ ଯଥା ବୂର୍ବଂ ତଥା ପରଂ ସ୍ଥିତିରେ । ରୁପ୍ରାରୋଡରେ ଟ୍ରାଫିକ ସମସ୍ୟା ଯୋଗୁଁ ପ୍ରବଳ ଭିଡ ସୃଷ୍ଟି ହୋଇ ସରକାରଙ୍କ ନିୟମ ଭଙ୍ଗ ହେଉଥିବା ଦୃଶ୍ୟମାନ ହେଉଛି । ବଡ ବଡ ଭାରିଯାନ ଗୁଡିକ ରାସ୍ତାରେ ଛିଡା ହେଲେ ଆଉ କାର, ବାଇକ ଗୁଡିକ ଘଣ୍ଟା ଘଣ୍ଟା ଅଟକ ରହୁଥିବା ଦୃଶ୍ୟମାନ ହେଉଛି । ଏହା ଆଜିକାର ସମସ୍ୟା ନୁହଁ । ଦୀର୍ଘ ଦିନରୁ ରୁପ୍ରାରୋଡ ରେ ଏଭଳି ଟ୍ରାଫିକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଏଥିପ୍ରତି ପ୍ରଶାସନିକ ଅଧିକାରୀ ଦୃଷ୍ଟି ନ ଦେବା ପରିତାପର ବିଷୟ ବୋଲି ସାଧାରଣରେ ମତ ପ୍ରକାଶ ପାଉଛି । ହୋଲସେଲ ଦୋକାନ ଗୁଡିକ ସମ୍ମୁଖରେ ଛିଡା ହେଉଥିବା ଭାରିଯାନ ବାହନ ଭିଡକୁ ପ୍ରତିହତ କରିବା ଓ ଟ୍ରାଫିକ ସମସ୍ୟା ଦୁର କରିବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ରୁପ୍ରାରୋଡ ଜନସାଧାରଣ ପ୍ରଶାସନକୁ ବିଶେଷ କରି ଜିଲ୍ଲାପାଳଙ୍କୁ ନିବେଦନ କରିଛନ୍ତି ।