ବାର୍ଦ୍ଧକ୍ୟ ଭତ୍ତା ବୃଦ୍ଧି ଦାବିରେ ଆମ୍ ଆଦମୀ ପାର୍ଟି ପକ୍ଷରୁ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଦରଦାମ ହୁ ହୁ ହୋଇ ବଢ଼ୁଥିବା ବେଳେ ମାସିକ ଖର୍ଚ୍ଚ ବି ସେହିମାତ୍ରାରେ ବଢ଼ିଛି । ହେଲେ ସରକାରଙ୍କ ତରଫରୁ ବାର୍ଦ୍ଧକ୍ୟ ଭତ୍ତା ଏବେ ବି ମାସକୁ ୫ ଶହ ଟଙ୍କା ଦିଆଯାଉଛି । ୨୦୦୭ରୁ ୨୦୨୩ ହୋଇଗଲା, ହେଲେ ଭତ୍ତା ଟଙ୍କା ବଢୁନାହିଁ । ହେଲେ ଏହି ସମୟରେ ଅନ୍ୟ ରାଜ୍ୟରେ ଭତ୍ତା ଟଙ୍କା ଓଡ଼ିଶାଠାରୁ ଢେର ଅଧିକ । ଗତ ୧୫ ବର୍ଷ ଭିତରେ ବଜାର ଦର ୪ ଗୁଣା ବଢିଗଲାଣି । ସବୁ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ମହଙ୍ଗା । ଏହା ଭିତରେ ସରକାରୀ ଚାକିରିଆଙ୍କ ଦରମା ମଧ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି । ପ୍ରତିବର୍ଷ ମୁଦ୍ରାସ୍ଫୀତିକୁ ଦେଖି ମହଙ୍ଗା ଭତ୍ତା ବି ବୃଦ୍ଧି ହେଉଛି । କିନ୍ତୁ ସରକାରଙ୍କ ଭତ୍ତା ଟଙ୍କା ଉପରେ ସଂପୂର୍ଣ୍ଣ ନିର୍ଭର କରୁଥିବା ବୟସ୍କଙ୍କୁ ଆର୍ଥିକ ସହାୟତାରେ କୌଣସି ବୃଦ୍ଧି ହୋଇନାହିଁ । ତେଣୁ ଆଜି ଅଗଷ୍ଟ ୮ ମଙ୍ଗଳବାର ଦିନ ଆମ୍ ଆଦମୀ ପାର୍ଟି କଳାହାଣ୍ଡି ପକ୍ଷରୁ ଦାବି ତୀବ୍ରତର ହୋଇଛି । ଭବାନୀପାଟଣା ସହରରେ ଦଳୀୟ କାର୍ଯ୍ୟକର୍ତ୍ତା ଓ ଭତ୍ତା ପାଉଥିବା ହିତାଧିକାରୀ; ବୟସ୍କ ନାଗରିକ, ଦିବ୍ୟାଙ୍ଗ ଓ ବିଧବା ମା’ମାନେ ଏକ ଶୋଭାଯାତ୍ରାରେ ଆସି ଭତ୍ତା ବୃଦ୍ଧି ଦାବୀରେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.