ପ୍ରଶାସନର ଚିଠି ପାଇ ବିକାଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପଠାଇଥିଲେ ପ୍ରିନ୍ସିପାଲ; ପୋଲିସ ପଡ଼ିଆରୁ ଷ୍ଟାଡିୟମ ଯାଏଁ ଚାଲିଲେ ପିଲା
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ‘ସେବା ସଙ୍କଳ୍ପ ଅଭିଯାନ–ସେବା ଜ୍ୟୋତି ଯାତ୍ରା’କୁ ନେଇ ଏବେ ପ୍ରଶାସନିକ ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠିଛି। କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବିକାଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ପୋଲିସ ପଡ଼ିଆରୁ ଷ୍ଟାଡିୟମ ପର୍ଯ୍ୟନ୍ତ ଚାଲି ଚାଲି ଯିବାକୁ ପଡ଼ିଥିବା ସୂଚନା ସାମ୍ନାକୁ ଆସିଛି। ତାତିରେ ଛୋଟ ଛୋଟ ପିଲାଙ୍କୁ ଦୀର୍ଘ ସମୟ ଅପେକ୍ଷା କରାଯାଇଥିବା, ପାନୀୟ ଜଳର ଯଥେଷ୍ଟ ବ୍ୟବସ୍ଥା ନଥିବା ଏବଂ ଫେରିବା ସମୟରେ ମଧ୍ୟ ଅସୁବିଧା ହୋଇଥିବା ଅଭିଯୋଗ ଘଟଣାକୁ ଆହୁରି ଗୁରୁତର କରିଛି। ଏହି ଘଟଣା ସମ୍ପର୍କରେ ବିକାଶ ବିଦ୍ୟାଳୟର ଶିକ୍ଷୟିତ୍ରୀ ସାଗରିକା କହିଛନ୍ତି ଯେ, ପ୍ରଶାସନ ପକ୍ଷରୁ ବିଦ୍ୟାଳୟକୁ ଚିଠି କରାଯାଇଥିବାରୁ ପ୍ରିନ୍ସିପାଲଙ୍କ ନିର୍ଦ୍ଦେଶରେ ଛାତ୍ରଛାତ୍ରୀଙ୍କୁ କାର୍ଯ୍ୟକ୍ରମକୁ ପଠାଯାଇଥିଲା। ତେବେ ପୋଲିସ ପଡ଼ିଆରୁ ଷ୍ଟାଡିୟମ ପର୍ଯ୍ୟନ୍ତ ପିଲାମାନେ ଚାଲି ଚାଲି ଯାଇଥିବା ସେ କହିଛନ୍ତି।
ଏଠି ହିଁ ଉଠୁଛି ମୁଖ୍ୟ ପ୍ରଶ୍ନ—ଯଦି ପ୍ରଶାସନ ଚିଠି କରି ସ୍କୁଲ ପିଲାଙ୍କୁ ଡାକିଥିଲା, ତେବେ ପିଲାମାନଙ୍କ ଯାତାୟାତର ବ୍ୟବସ୍ଥା କାହାର ଦାୟିତ୍ୱ ଥିଲା? ପିଲାମାନଙ୍କୁ କେଉଁଠାରୁ କେଉଁଠାକୁ ନେବାକୁ ପଡ଼ିବ, କେତେ ସମୟ ଅପେକ୍ଷା କରିବେ ଏବଂ ସେମାନଙ୍କ ପାଇଁ ପାଣି ଓ ବିଶ୍ରାମର ବ୍ୟବସ୍ଥା କ’ଣ ରହିବ—ଏସବୁ ପ୍ରସଙ୍ଗରେ ପୂର୍ବରୁ କୌଣସି ଯୋଜନା ହୋଇଥିଲା କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ।
ଏକପଟେ ପ୍ରଶାସନର ଚିଠି ଅନୁସାରେ ବିଦ୍ୟାଳୟ ପକ୍ଷରୁ ପିଲାଙ୍କୁ ପଠାଯାଇଥିବା କଥା ଶିକ୍ଷୟିତ୍ରୀ କହୁଛନ୍ତି, ଅନ୍ୟପଟେ କାର୍ଯ୍ୟକ୍ରମସ୍ଥଳରେ ପିଲାଙ୍କ ପାଇଁ ମୌଳିକ ସୁବିଧାକୁ ନେଇ ଅଭିଯୋଗ ଉଠିବା ଘଟଣାର ବ୍ୟବସ୍ଥାକୁ କାଠଗଡ଼ାରେ ଠିଆ କରିଛି।
ସୋସିଆଲ ମିଡିଆରେ ଭାଇରାଲ ଭିଡିଓକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ତାତିରେ ପିଲାମାନେ ହଇରାଣ ହୋଇଥିବା, ଦୀର୍ଘ ସମୟ ଅପେକ୍ଷା କରିଥିବା ଏବଂ ପାଣିର ସୁବିଧା ନଥିବା ନେଇ ଅଭିଯୋଗ ହୋଇଛି। ଏହା ସହିତ ଫେରିବା ପାଇଁ ଆବଶ୍ୟକ ଯାତାୟାତ ବ୍ୟବସ୍ଥା ନମିଳିବାରୁ ପିଲାମାନେ ଓ ଶିକ୍ଷୟିତ୍ରୀମାନେ ପ୍ରାୟ ୩ କିଲୋମିଟର ଚାଲି ଫେରିଥିବା ମଧ୍ୟ କୁହାଯାଉଛି।
ଏବେ ପ୍ରଶ୍ନ ହେଉଛି—ପ୍ରଶାସନ ଯେତେବେଳେ ଚିଠି କରି ପିଲାଙ୍କୁ ଡାକୁଛି, ସେତେବେଳେ ସେମାନଙ୍କ ସୁରକ୍ଷିତ ଯାତାୟାତ ଓ ମୌଳିକ ସୁବିଧାର ଦାୟିତ୍ୱ କିଏ ନେବ? କେବଳ ଚିଠି କରିଦେଲେ ଦାୟିତ୍ୱ ଶେଷ ହୋଇଯାଏ କି? ପିଲାମାନେ କେଉଁଠାରେ ଅପେକ୍ଷା କରିବେ, ପାଣି କେଉଁଠାରୁ ପାଇବେ ଓ କାର୍ଯ୍ୟକ୍ରମ ପରେ କିପରି ସୁରକ୍ଷିତ ଭାବେ ଫେରିବେ—ଏସବୁ ନିଶ୍ଚିତ କରିବା ବିନା ପିଲାଙ୍କୁ ଡାକିବା କେତେ ଦୂର ଦାୟିତ୍ୱଶୀଳ ପଦକ୍ଷେପ, ତାହା ଏବେ ଚର୍ଚ୍ଚାର ବିଷୟ।
ଘଟଣାଟି ଭାଇରାଲ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଦାୟୀ ବ୍ୟକ୍ତିଙ୍କୁ ଜବାବ ମଗାଯାଇଥିବା ସୂଚନା ମିଳିଛି। ତେବେ ପ୍ରକୃତରେ କେଉଁ ସ୍ତରରେ ଅବହେଳା ହୋଇଥିଲା, ପ୍ରଶାସନର ଚିଠିରେ କ’ଣ ନିର୍ଦ୍ଦେଶ ଥିଲା ଏବଂ ପିଲାଙ୍କ ଯାତାୟାତ ଓ ପାନୀୟ ଜଳ ପାଇଁ କି ବ୍ୟବସ୍ଥା କରାଯାଇଥିଲା—ତାହା ସ୍ପଷ୍ଟ ହେବା ଆବଶ୍ୟକ।
‘ସେବା ଜ୍ୟୋତି’ ନାଁରେ ପିଲାଙ୍କୁ ଡାକିଲା ପ୍ରଶାସନ, କିନ୍ତୁ ସେହି ପିଲାଙ୍କୁ ଯଦି ତାତିରେ ହଇରାଣ ହୋଇ ଚାଲି ଚାଲି ଫେରିବାକୁ ପଡ଼େ, ତେବେ ଚିଠିଠାରୁ ଆରମ୍ଭ କରି ଶେଷ ପର୍ଯ୍ୟନ୍ତ ସମଗ୍ର ବ୍ୟବସ୍ଥାର ଦାୟିତ୍ୱ କିଏ ନେଇଥିଲା—ଏହାର ଉତ୍ତର ପ୍ରଶାସନକୁ ଦେବାକୁ ପଡ଼ିବ।





