ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ଯୋଡବନ୍ଧ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ “ମା’ ବସ୍ତରେନ”ଙ୍କ ପୀଠର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ୧୫୦ ବର୍ଷ ଧରି ମା’ ବସ୍ତରେନ ଦେବୀ ଯୋଡବନ୍ଧ ଗ୍ରାମରେ ପୂଜା ପାଇ ଆସୁଛନ୍ତି। ଗ୍ରାମର ଅନ୍ତିମ ମୁଣ୍ଡରେ ଅବସ୍ଥିତ ବିରାଟକାୟ ନିମ୍ବଗଛ ମୂଳରେ ମା’ଙ୍କ ପୀଠ ରହିଛି। “ମା’ ବସ୍ତରେନ” ଗ୍ରାମ ବସତି କାଳରୁ ଗ୍ରାମବାସୀଙ୍କୁ ପଣତ ଘୋଡେଇ ଦୁଃଖ କଷ୍ଟ ଓ ରୋଗ ଶୋକରୁ ସୁରକ୍ଷା ଦେଇ ଆସୁଛନ୍ତି। ଆରମ୍ଭରୁ ମା’ ଡାଳ କୁଡିଆ କୁଟୀରରେ ରହି ପୂଜା ପାଉଥିଲେ। ୨୦୨୩/୨୪ ଆର୍ଥିକ ବର୍ଷରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ କଳାହାଣ୍ଡି ତରଫରୁ ୨୦୨୫ ରେ ୨ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଛି ମା’ ବସ୍ତରେନଙ୍କ ପକ୍କା ପୀଠ। ଗ୍ରାମର ଗୌନ୍ତିଆ ବିଦ୍ୟାଧର ମାଝୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ପ୍ରତିଷ୍ଠା ଉତ୍ସବରେ ପୂଜା କର୍ତ୍ତା ଭାବରେ ଆଦିକନ୍ଧ ସମାଜର ବରିଷ୍ଠ ନାଗରିକ ଡୁଳାଧର ଜାନୀ ଓ ତାଙ୍କ ଧର୍ମପତ୍ନୀ ବୈଦେହୀ ଜାନୀ ଯଜ୍ଞାହୂତି ପ୍ରଦାନ କରିଥିବା ବେଳେ ପୂଜକ ଭାବରେ ଆଦିସ୍କନ୍ଦ ସମାଜର ପୂଜକ ରାଜୁ ଜାନୀ ପୂଜନ କର୍ମ ବିଧି ପରିଚାଳନା କରିଥିଲେ। କନ୍ଧ ସଂସ୍କୃତି ଓ ପରମ୍ପରା ଅନୁଯାୟୀ ମା ବସ୍ତରେନଙ୍କ ପୂଜା ଅନୁଷ୍ଠିତ ହୋଇଥିଲା। ଏଥିରେ ଅତିଥି ଭାବରେ ନର୍ଲା ସରପଞ୍ଚ ସଂଘର ସଭାପତି ତଥା ଭାନପୁର ସରପଞ୍ଚ ଅନ୍ତରାମ ମାଝୀ, ନର୍ଲା ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ନୀଳମଣି ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସରୋଜ ମାଝୀ, ଆଦିସ୍କନ୍ଦ ସମାଜର ଜିଲ୍ଲା ସଭାପତି ପ୍ରକାଶ ମାଝୀ, ବରିଷ୍ଠ ନାଗରିକ ପ୍ରହଲ୍ଲାଦ ଗଡତ୍ୟା, ନୃପରାଜ ଜାନୀ, ଝସକେତନ ମାଝୀ, ଗଣାଧର ଜାନୀ ପ୍ରମୁଖ ଉପସ୍ଥିତ ଥିଲେ। ପୀଠ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଗ୍ରାମର ଶତାଧିକ ମହିଳା, ଜନସାଧାରନ ଉପସ୍ଥିତ ରହିଥିଲେ। ଆଦିସ୍କନ୍ଦ ସମାଜର ମାଝୀ ପୂଜକଙ୍କ ମନ୍ତ୍ରପାଠରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ। ପୂଜା ଓ ହୋମ ଯଜ୍ଞ ପରେ ଅପରାହ୍ନ ୩ ଟା ବେଳେ ପୀଠ ପ୍ରତିଷ୍ଠା ସମାପନ ହୋଇଥିଲା। ମା ବସ୍ତରେନ ପୀଠରେ ବିରାଜମାନ କରି ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ଭକ୍ତଙ୍କ ଭୋଗ ରାଗ ଗ୍ରହଣ କରିଥିଲେ। ଗ୍ରାମର ବରିଷ୍ଠ ନାଗରିକ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟା କମଳିନୀ ଜାନୀ, ସୀମାନ ମାଝୀ, ଖଗେଶ୍ୱର କୁମାର, ସୁଦାମ କୁମାର, ଡିଙ୍ଗର ମାଝୀ, ଗଣ୍ଡାଧର ଜାନୀ, ମଦନ କୁମାର, ଇତିଶ୍ରୀ କୁମାର, ଜଗଦିଶ ଗଡତ୍ୟା, ଗଣେଶ ଗଡତ୍ୟା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ସାମୁହିକ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।





