ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଘଟଣାର ଫର୍ଦ୍ଦାଫାଶ କେବେ -ଜିଲ୍ଳା ଆଦିବାସୀ ମହାସଂଘ

୧୩ ବର୍ଷ ହେଲା ତଦନ୍ତକାରୀ ସଂସ୍ଥା କ୍ରାଇମ ବ୍ରାଂଚ ହାତ ଖାଲି

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳାର ବହୁଚର୍ଚ୍ଚିତ ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ଘଟଣାରେ ପୀଡିତ ପରିବାରକୁ ନ୍ୟାୟ ମିଳିବାକୁ ଆଜକୁ ୧୨ ବର୍ଷ ୮ ମାସ ତଥା ପାଖାପାଖି ୧୩ ବର୍ଷ ବିତିବାକୁ ଯାଉଥିବା ବେଳେ ଏବେ ବି ନ୍ୟାୟ ମିଳି ନ ଥିବାରୁ ଜିଲ୍ଳା ଆଦିବାସୀ ମହାସଂଘ ନ୍ୟାୟ ନ ମିଳିବା ଯାଏଁ ଚୁପ ବସିବ ନାହିଁ ବୋଲି ଆଜି ରାୟଗଡା ସହରର ହୋଟେଲ ତେଜସ୍ୱୀ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମହାଂସଘର ଆବାହକ ବସନ୍ତ କୁମାର ଉଲାକା ପ୍ରକାଶ କରିଛନ୍ତି । ରାଜ୍ୟ ପୋଲିସର ତଦନ୍ତକାରୀ ସଂସ୍ଥା କ୍ରାଇମ ବ୍ରାଂଚ ଦୀର୍ଘ ୧୩ ବର୍ଷ ଧରି ହତ୍ୟାକାରୀଙ୍କୁ ଖୋଜି ବାହାର କରିବାରେ ବିଫଳ ହୋଇଥିବା ବେଳେ କ୍ରାଇମ ବ୍ରାଂଚ ପରିବର୍ତେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାରେ ସରକାର କାହିଁକି ପଛଘୁଂଚା ଦେଉଛନ୍ତି ଏବଂ ଏହି ଘଟଣାରେ ପୂର୍ବତନ ରାଜ୍ୟସଭା ସାଂସଦ ତଥା ଶାସକ ଦଳର ବରିଷ୍ଠ ନେତା ଏନ.ଭାସ୍କର ରାଓଙ୍କ ସଂପୃକ୍ତି ଥିବା ନେଇ ମହାସଂଘ ଅଭିଯୋଗ କରି ଆସୁଥିଲେ ମଧ୍ୟ ପୋଲିସ ବିଭାଗ ପକ୍ଷରୁ କୈାଣସି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଉନାହିଁ ବୋଲି ଆଜି ସରକାରଙ୍କ ବିରୁଦ୍ଧରେ ବର୍ଷିଛନ୍ତି ଜିଲ୍ଳା ଆଦିବାସୀ ମହାସଂଘର ଆବାହକ ବସନ୍ତ କୁମାର ଉଲାକା । ଆଜି ବିଶ୍ୱ ଆଦିବାସୀ ଦିବସରେ ଆଦିବାସୀ ଯୁବ ନେତା ସ୍ୱର୍ଗତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ମାମଲାରେ ମହାସଂଘ ନ୍ୟାୟ ମାଗୁଛି ବୋଲି କହିଛନ୍ତି । ଏପରିକି ଗତବର୍ଷ ଡିସେମ୍ବର ୧୫ ତାରିଖରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କୁ ଭେଟି ହତ୍ୟା ଘଟଣାର ଫର୍ଦ୍ଦାଫାଶ କରି ନ୍ୟାୟ ପ୍ରଦାନ ପାଇଁ ଅନୁରୋଧ କରାଯାଇଥିଲେ ମଧ୍ୟ କୈାଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ ବୋଲି ଶ୍ରୀ ଉଲାକା ପ୍ରକାଶ କରିଛନ୍ତି । ରାୟଗଡାର ଆଦିବାସୀ ଯୁବ ନେତା ସ୍ୱର୍ଗତ ଭାଗିରଥୀ ମାଣ୍ଡାଙ୍ଗି ବିଜେଡି ଦଳର ଜଣେ ସକ୍ରିୟ କର୍ମୀ ତଥା ମା ମଝିଘରିଆଣୀ ମନ୍ଦିର ଟ୍ରଷ୍ଟର ସଭ୍ୟ ରହିଥିଲେ । ପୂର୍ବତନ ରାଜ୍ୟସଭା ସାଂସଦଙ୍କ ଭାଇ ମନ୍ଦିରର ଟ୍ରଷ୍ଟି ଦାୟିତ୍ୱରେ ଥିବା ବେଳେ ମନ୍ଦିରର ବିପୁଳ ପାଣ୍ଠିର ଅପବ୍ୟବହାରର କରୁଥିବା ତଥା ଦୁର୍ନିତୀ କରୁଥିବା ନେଇ ଭାଗିରଥୀ ସ୍ୱର ଉତୋଳନ କରିଥିଲେ । ଗତ ୨୦୧୦ ମସିହା ଡିସେମ୍ବର ୧୫ ତାରିଖରେ ମନ୍ଦିର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଉକ୍ତ ଦିନ ଭାଗିରଥୀଙ୍କ ମଟର ସାଇକେଲ କେବଳ ମନ୍ଦିର ପ୍ରାଙ୍ଗଣରେ ମିଳିଥିବା ବେଳେ ଭାଗିରଥୀ ଉପସ୍ଥିତ ନ ଥିଲେ । ପରେ ପଡୋଶୀ ଆନ୍ଧ୍ର ପ୍ରଦେଶର ଏକ ଡ୍ୟାମ୍ ନିକଟରୁ ଭାଗିରଥୀଙ୍କ ହାତଗୋଡ ବନ୍ଧା ହୋଇ ଅର୍ଦ୍ଧଦଗ୍ଧ ମୃତ ଶରୀରକୁ ଉଦ୍ଧାର କରାଯାଇଥିଲା । ଏ ନେଇ ମୃତ ଭାଗିରଥୀଙ୍କ ପରିବାର ସଦସ୍ୟ ଓ ମହାସଂଘ ପକ୍ଷରୁ ରାୟଗଡା ଥାନାରେ ମାମଲା ରୁଜୁ କରାଯାଇଥିଲା । ତେବେ କୈାଣସି କାର୍ଯ୍ୟାନୁଷ୍ଠାନ କରା ନ ଯିବାରୁ ମହାସଂଘ ପକ୍ଷରୁ ସରକାରଙ୍କ ଠାର ଦାବି ଉପସ୍ଥାପନା କରାଯିବା ପରେ କ୍ରାଇମ ବ୍ରାଂଚକୁ ତଦନ୍ତ ଦାୟିତ୍ୱ ପ୍ରଦାନ କରାଯାଇଥିଲା ବୋଲି ଶ୍ରୀ ଉଲାକା ପ୍ରକାଶ କରିଛନ୍ତି । ଆଦିବାସୀମାନଙ୍କ ପାଇଁ ରାଜ୍ୟ ସରକାର କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ନ୍ୟାୟ ପାଇଁ ୧୩ବର୍ଷ ଅପେକ୍ଷା କରିଲୁଣି ଆହୁରି କେତେ ବର୍ଷ ଲାଗିବ ଭାଇର ମୃତ୍ୟୁ ଘଟଣାର ଫର୍ଦ୍ଦାଫାଶ ପାଇଁ ବୋଲି ମୃତ ଭାଗିରଥୀ ମାଣ୍ଡାଙ୍ଗିଙ୍କ ଭାଇ ଜଗନ୍ନାଥ ମାଣ୍ଡାଙ୍ଗି ପ୍ରକାଶ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ତିମାନା ପୁଆଲା, ସତ୍ୟବାନ ମାଣ୍ଡାଙ୍ଗି, ଶଙ୍କର ଜିଲାକାରା, ତ୍ରିପତି କିଲାକା, ସାଙ୍ଗନା କିଲାକାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.