ଚାଷ ସମୟରେ ଓଲଟିଲା ଟ୍ରାକ୍ଟର; ଯୁବକ ଗୁରୁତର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା) : କୋକସରା ଥାନା ଡହଗାଁ ପଞ୍ଚାୟତ ନୂଆଗୁଡା ଗ୍ରାମରେ ବୁଧବାର ବିଲରେ କାଦୁଅ କରୁଥିବାବେଳେ ଟ୍ରାକ୍ଟର ଓଲଟି ଡ୍ରାଇଭର ଗୁରୁତର ହୋଇଛନ୍ତି। ଗୁରୁତର ଡ୍ରାଇଭରକୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଜଣକ ନୂଆଗୁଡା ଗ୍ରାମର ଡିସମ୍ବର ବନ୍ଦୀଛୋଡଙ୍କ ପୁଅ ମତିରାମ ବନ୍ଦୀଛୋଡ (୨୦) ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ମତିରାମ ସକାଳୁ ଟ୍ରାକ୍ଟର ଯୋଗେ ନୂଆଗୁଡ଼ା ଗ୍ରାମର ଜନୈକ ଚାଷୀଙ୍କ ବିଲରେ କାଦୁଅ କରୁଥିବାବେଳେ ହଠାତ୍ ଟ୍ରାକ୍ଟର ଓଲଟି ପଡିଥିଲା। ଫଳରେ କାଦୁଅରେ ଜୁଡୁବୁଡୁ ହୋଇ ଅଣ ନିସ୍ବାସୀ ହୋଇଥିବାବେଳେ ମତିରାମଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ପ୍ରଥମେ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନା ଓ ପରେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗୁରୁତର ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି। ଏପଟେ ଟ୍ରାକ୍ଟର ମାଲିକ ଗୁରୁତରଙ୍କୁ ସହଯୋଗ କରିବା ପରିବର୍ତ୍ତେ ଟ୍ରାକ୍ଟର କେମିତି ଉଦ୍ଧାର ହେବ ସେ ଚିନ୍ତାରେ ବ୍ୟସ୍ତ ରହି ଘଟଣାକୁ ଚପେଇ ଦେବା ପାଇଁ ଲୋକଙ୍କୁ ତାଗିଦ୍ କରୁଥିବା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ତେବେ ବର୍ତ୍ତମାନ ମତିରାମଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସମ୍ପର୍କୀୟ ପକ୍ଷରୁ ସୂଚନା ମିଳିଛି। ଏନେଇ ମୋଟେର ଫାଣ୍ଡି ଅଧିକାରୀ ମନୋରଞ୍ଜନ ଆଚାର୍ଯ୍ୟଙ୍କୁ ପଚାରିବାରୁ ଆମେ ଘଟଣାସ୍ଥଳକୁ ଯାଇଥିଲୁ। ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ଅଭିଯୋଗ ହୋଇନି। ଗାଡିକୁ ଉଦ୍ଧାର କରି ଗ୍ରାମରକ୍ଷୀକୁ ଜିମା ଦିଆହେଇଛି। ମାମଲା ରୁଜୁ ହେଲେ ଜବତ କରିବୁ ବୋଲି କହିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.