ଟମାଟୋ କ୍ଷେତରେ ଲାଗିଲା ସିସିଟିଭି କ୍ୟାମେରା

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଟମାଟୋ ଦର ଏବେ ଆକାଶ ଛୁଆଁ ରହିଛି । ଦର ଦିନକୁ ଦିନ ବଢି ବଢି ଚାଲିଛି । ଯାହାକି ଗ୍ରାହକଙ୍କ ହାଣ୍ଡିଶାଳ ଉପରେ ସିଧାସଳଖ ପ୍ରଭାବ ପକାଉଛି । ଦର ଏବେ କିଲୋ ପିଛା ୨୦୦ ଟଙ୍କା ପାର୍ କରିଛି । ଏଭଳି ସ୍ଥିତିରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି । ଟମାଟୋ ଚୋରି ହୋଇଯିବା ଭୟରେ ମହାରାଷ୍ଟ୍ର ଔରଙ୍ଗାବାଦ ଠାରୁ ୨୦ କିଲୋମିଟର ଦୂରରେ ଶାହାପୁର ବନଜେରରେ ଜଣେ ଚାଷୀ ନିଜ ଟମାଟୋ କ୍ଷେତକୁ ସିସି ଟିଭି ନଜରରେ ରଖିଥିବା ଦେଖିବାକୁ ମିଳିଛି ।

ଗତ ୧୦ ଦିନରେ ତାଙ୍କ କ୍ଷେତରୁ ପ୍ରାୟ ୨୦ରୁ ୨୫ କେଜି ଟମାଟୋ ଚୋରି ହେବା ପରେ ସେ ଏଭଳି ପଦକ୍ଷେପ ନେଇଛନ୍ତି । ଚାଷୀ ଶରତ ରାଓ୍ବଟେ କହିଛନ୍ତି ଗୋଟେପଟେ ଟମାଟୋ ରେଟ୍ ବଢୁଛି , ଅନ୍ୟପଟେ ଲଗାତାର ତାଙ୍କ ଟମାଟୋ କିଆରୀରୁ ଟମାଟୋ ଚାରି ଯୋଗୁଁ ସେ ବହୁ କ୍ଷତି ସହୁଛନ୍ତି ।

ଆଗରୁ ଟମାଟୋ ୨୦ରୁ ୨୫ ଟଙ୍କାରେ ବିକ୍ରି ହେଉଥିବାବେଳେ ଏବେ କିଲୋ ପିଛା ୨୦୦ ଟଙ୍କା ପାର୍ କରିଛି । ତାଙ୍କର ୫ ଏକର ଜମିରୁ ସେ ପ୍ରାୟ ଦେଢ ଏକର ଜମିରେ ଟମାଟୋ ଚାଷ କରିଛନ୍ତି । ତେବେ ବର୍ତ୍ତମାନ ଯେଭଳି ପରିସ୍ଥିତି ସୃଷ୍ଟି ହୋଇଛି , ସେ ଏହି ଟମାଟୋ ଗୁଡିକୁ ବିକ୍ରି କରି ୬ରୁ ୭ ଲକ୍ଷ ଟଙ୍କା ଆୟ କରିପାରିବେ ।

ତେଣୁ ୨୨ ହଜାର ଟଙ୍କା ଖର୍ଚ୍ଚ କରି ସେ ନିଜ କ୍ଷେତକୁ ସିସି ଟିଭି କ୍ୟାମେରାରେ ନଜରବନ୍ଦୀ କରିଛନ୍ତି । ଏହି କ୍ୟାମେରା ସୌରଶକ୍ତିରେ ଚାଲୁଥିବାବେଳେ ସେ ତାଙ୍କ ଫୋନ୍ ଯୋଗେ ସେ ନିଜ କ୍ଷେତ ଉପରେ ନଜର ରଖିଛନ୍ତି । ପୂର୍ବରୁ ନାସିକ ମଧ୍ୟ ଜଣେ ଚାଷୀ ନିଜ କ୍ଷେତରେ ୩ଟି ସିସି ଟିଭି କ୍ୟାମେରା ଲଗାଇଥିବା ଦେଖିବାକୁ ମିଳିଥିଲା ।

ତେବେ  ସିସିଟିଭି ସିଷ୍ଟମ କେବଳ ରାଓ୍ବଟେ ଙ୍କ ଟମାଟୋ ଫସଲର ସୁରକ୍ଷାକୁ ସୁନିଶ୍ଚିତ କରେ ନାହିଁ ବରଂ ସାରା ଦେଶରେ କୃଷକଙ୍କ ଜୀବିକା ରକ୍ଷା ପାଇଁ ଡିଜିଟାଲ ସମାଧାନର ସମ୍ଭାବନାକୁ ମଧ୍ୟ ଦର୍ଶାଏ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.