ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଆଦିବାସୀ ଅଧ୍ୟୁଷିତ କଳାହାଣ୍ଡି ଜିଲ୍ଲାରେ ଦେବାଦେବୀ ମାନଙ୍କ ପୂଜାପାଠରେ ସ୍ଵତନ୍ତ୍ରତା ରହିଛି। ଏହି ଅଞ୍ଚଳର ଲୋକମାନେ ଦେବାଦେବୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରଖନ୍ତି। ତେବେ ଭଲ ବର୍ଷା ହେବା ସହ ଗାଁ ର ମଙ୍ଗଳ କାମନା ପାଇଁ ଦୁଇଦିନ ହେବ କୋକସରା ବ୍ଲକ ଖଲିଗଡ଼ଠାରେ ମା’ ଠାକୁରାଣୀ ଦେବୀଙ୍କ ପୀଠର ଉପାସନା ଚାଲିଛି। ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ବ୍ଳକର ବିଭିନ୍ନ ଅଞ୍ଚଳରେ ଚାଷ କାର୍ଯ୍ୟ ଠିକ୍ ଭାବରେ ଆଗେଇ ପାରିନାହିଁ। ଲଘୁଚାପ ଜନିତ ବର୍ଷା ମଧ୍ୟ ଉଭାନ ହୋଇଥିବାବେଳେ ଅଣ ଜଳସେଚିତ ଅଞ୍ଚଳ ଖଲିଗଡ଼ ବାସୀଙ୍କ ଚାଷ କାର୍ଯ୍ୟ ମଧ୍ୟ ବ୍ୟାହତ ହୋଇଛି। ତେବେ ବର୍ଷାର ଆଗମନ ଓ ଗାଁର ମଙ୍ଗଳ କାମନା ଓ ରୋଗ ବ୍ୟାଧି ଦୂର ସହିତ ନିଜ ତଥା ନିଜ ପରିବାରର ମଙ୍ଗଳ କାମନା ପାଇଁ ଖଲିଗଡ଼ ନୂଆପଡା ଠାରେ ଗ୍ରାମବାସି ଓ ଚାଷୀ ମାନେ ମା’ ଠାକୁରାଣୀ ପୀଠରେ ଧରଣୀ ଦେଇଛନ୍ତି। ବିଶ୍ବାସ ରହିଛି ଦେବୀଙ୍କ ପୀଠରେ ଉପାସନା କଲେ ନିଶ୍ଚିତ ବର୍ଷା ଆସିଥାଏ ବୋଲି ଗ୍ରାମର ବରିଷ୍ଠ ବ୍ୟକ୍ତି ମାନେ କହିଛନ୍ତି। ଦେବୀଙ୍କ ପୀଠରେ ଶୁକ୍ରବାର ଠାରୁ ପୂଜାକାର୍ଯ୍ୟ ଆରମ୍ଭ ହୋଇଛି। ପ୍ରତ୍ୟହ ଶିରାଙ୍କ ଦେହରେ କାଳିଶୀ ଚଢିଥାଏ, ଏହି ସମୟ ମଧ୍ୟରେ ଉପସ୍ଥିତ ଦେବୀ ପୂଜକ ବର୍ଷା ଆଗମନର କଥା ପଚାରି ଗାଁ ର ମଙ୍ଗଳ କାମନା କରନ୍ତି। ପୁଜା କାର୍ଯ୍ୟକୁ ଶିରା ମଞ୍ଜିତ ମାଝୀ, ନିଲ ଧଙ୍ଗଡାମାଝୀ, ପୁଝାରୀ, ଧନେଶ୍ଵର ପୁଝାରୀ, ଇନ୍ଦ୍ର ଧଙ୍ଗଡାମାଝୀ ସମ୍ପାଦକ କରୁଛନ୍ତି। ଏହି ପୂଜା କାର୍ଯ୍ୟରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସାମିଲ ହୋଇ ଦେବୀଙ୍କ ନିକଟରେ ପ୍ରାର୍ଥନା କରି ଅଞ୍ଚଳ ବାସୀଙ୍କ ସୁଖ ଶାନ୍ତି କାମନା କରିଥିଲେ। ପୂଜା କାର୍ଯ୍ୟରେ ପୂଜା କମିଟି ସଭାପତି ଗଜିନ୍ଦ୍ର ଧଙ୍ଗଡାମାଝୀ, ଦୁର୍ଯ୍ୟନ ନାଏକ, କ୍ଷୀରସିନ୍ଧୁ ଲଦୁଆ, କୁଶ ଖମାରୀ, ତ୍ରିନାଥ ଶବର, ଚମାର ଠାକୁର ପ୍ରମୁଖ ସମେତ ଗ୍ରାମବାସୀ ଉପସ୍ଥିତ ଥିଲେ।