ନର୍ସିଂ ହୋମର ନର୍ସଙ୍କୁ ଦୁଷ୍କର୍ମ ପରେ ହତ୍ୟା; ଡାକ୍ତର ଓ କମ୍ପାଉଣ୍ଡର ଫେରାର

ଓଡ଼ିଆ ବାର୍ତ୍ତା/ ପାଟଣା: ବିହାରର ଏକ ଘରୋଇ ନର୍ସିଂ ହୋମରେ ନର୍ସଙ୍କୁ ଗଣ ଦୁଷ୍କର୍ମ ପରେ ହତ୍ୟା। ଅଭିଯୁକ୍ତ ଡାକ୍ତର ଓ କର୍ମଚାରୀ ଫେରାର।ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ଏକ ଘରୋଇ ନର୍ସିଂ ହୋମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ନର୍ସଙ୍କୁ ଡାକ୍ତର ଓ କମ୍ପାଉଣ୍ଡରମାନେ ଗଣଦୁଷ୍କର୍ମ ପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ବିହାର ପୁଲିସ ଜଣେ ଅଭିଯୁକ୍ତ କମ୍ପାଉଣ୍ଡରକୁ ହେପାଜତକୁ ନେଇଥିବା ବେଳେ ସମ୍ପୃକ୍ତ ଥିବା ଅନ୍ୟ ଡାକ୍ତର ଓ କର୍ମଚାରୀ ଏବେ ଫେରାର ରହିଛନ୍ତି।ପୋଲିସ ପକ୍ଷରୁ ନର୍ସିଂହୋମକୁ ସିଲ୍ କରି ତୁରନ୍ତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉଛି। ସୂଚନାଯୋଗ୍ୟ, ପୀଡ଼ିତା ୩୦ ବର୍ଷୀୟା ବିଧବା ମହିଳା ଓ ୪ ବର୍ଷର ଶିଶୁର ମା’ ଥିଲେ ଯାହାଙ୍କର ମୃତ୍ୟୁ ଘଟିଛି। ଏହି ନର୍ସିଂ ହୋମ ପ୍ରତିଷ୍ଠାନର ପରିଚାଳନା କରୁଥିବା ଡାକ୍ତର ଜୟପ୍ରକାଶ ଦାସ ଓ ମନତୋଷ କୁମାରଙ୍କ ପ୍ରସ୍ତାବ କ୍ରମେ ମହିଳା ଜଣଙ୍କ ନର୍ସିଂହୋମରେ କାମ କରୁଥିଲେ। ପୀଡ଼ିତାଙ୍କ ମା’ କହିଛନ୍ତି ଯେ ପ୍ରଥମେ ତାଙ୍କ ଝିଅକୁ ରୋଜଗାରର ପ୍ରତିଶ୍ରୁତି ଦେଇ ପ୍ରଲୋଭିତ କରାଯାଇଥିଲା।ଏହାପରେ ଡାକ୍ତର ଓ ତାଙ୍କ ସହଯୋଗୀଙ୍କ ସନ୍ଦେହଜନକ କାର୍ଯ୍ଯକଳାପ ଓ ନିର୍ଯାତନା ଅଭିଯୋଗରେ ପୀଡ଼ିତା ଆଉ କାମ କରିବେ ନାହିଁ ବୋଲି କହିଥିଲେ। ତେବେ ପରେ ସେମାନେ ପୁଣିଥରେ ଘରକୁ ଯାଇ କ୍ଷମା ପ୍ରାର୍ଥନା କରିବା ସହ ତାଙ୍କୁ କାମକୁ ଫେରିବା ପାଇଁ ବୁଝାସୁଝା କରିଥିଲେ। ହେଲେ ତାଙ୍କ ଝିଅ ଅଗଷ୍ଟ ୮ ତାରିଖରେ ନର୍ସିଂହୋମକୁ ଯାଇଥିଲେ ମଧ୍ୟ ଆଉ ଫେରିନଥିଲେ। ମା’କୁ ଖବର ଦିଆଯାଇଥିଲା ଯେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଛି ଏବଂ ସେ ମୁଜାଫରପୁରରେ ଚିକିତ୍ସିତ ହେଉଛନ୍ତି। ତେବେ ବହୁ ଖୋଜାଖୋଜି ପରେ ପୀଡ଼ିତାଙ୍କ ମୃତଦେହ ଆମ୍ବୁଲାନ୍ସରୁ ମିଳିଥିଲା। ପୀଡିତାଙ୍କ ମା’ଙ୍କ ବୟାନ ଆଧାରରେ ପୁଲିସ ପାଞ୍ଚ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ବାକି ସନ୍ଦିଗ୍ଧମାନଙ୍କୁ ଖୋଜିବା ପାଇଁ ସକ୍ରିୟ ଉଦ୍ୟମ ଜାରି ରହିଛି ଏବଂ ଏହି ମାମଲାରେ ସମ୍ପୃକ୍ତ ସମସ୍ତ ଲୋକଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ ବୋଲି ମୋତିହାରୀର ଏସପି ଆଶ୍ୱାସନା ଦେଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.