ସୁଶୀଲ ବାଗଙ୍କ ଘର ବାହୁଡ଼ା; ବିଜେଡ଼ିରେ ସାମିଲ ହେଲେ ବିଜେପି ଓ କଂଗ୍ରେସ କର୍ମୀ, ଭବାନୀପାଟଣା କାର୍ଯ୍ୟକାରିଣୀରେ ଦମ୍ ଦେଖାଇଲା ଲାଞ୍ଜିଗଡ଼ ବିଜେଡି

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବିଜୁ ଜନତା ଦଳକୁ ଫେରିଛନ୍ତି ଲାଞ୍ଜିଗଡ଼ର ଉଦୀୟମାନ ଯୁବ ନେତା ସୁଶିଲ କୁମାର ବାଗ। ଗତ ପଞ୍ଚାୟତ ନିର୍ବାଚନରେ କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ଜୋନ୍-୦୨ ଆସନରେ ସ୍ବାଧୀନ ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନାମାଙ୍କନ କରି ଚର୍ଚ୍ଚାକୁ ଆସିଥିଲେ ଯୁବ ସାମ୍ବାଦିକ ଓ ସମାଜସେବୀ ସୁଶୀଲ ବାଗ। ବିଜେଡିର ଟିକେଟ୍ ଆଶାୟୀ ଥିବା ଶ୍ରୀ ବାଗଙ୍କୁ ଦଳ ନିରାଶ କରିବା ପରେ ସେ ବାଧ୍ୟ ହୋଇ ଦଳ ଛାଡ଼ି ସ୍ବାଧୀନ ଭାବେ ପ୍ରାର୍ଥୀ ହୋଇଥିଲେ। ସେଇଦିନଠାରୁ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଥିବା ଶ୍ରୀ ବାଗ ମନ ପରିବର୍ତ୍ତନ କରିବା ସହିତ ଭବାନୀପାଟଣାରେ ଅନୁଷ୍ଠିତ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଉପସ୍ଥିତିରେ ପୁଣି ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରବାଦ ପୁରୁଷ ବିଜୁ ବାବୁ ଓ ରାଜ୍ୟର ଯଶସ୍ବୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନିଜର ଆଦର୍ଶ ବୋଲି ଭାବୁଥିବା ଶ୍ରୀ ବାଗ ଗତ ୨୦୦୯-୧୦ରୁ ବିଜୁବାବୁଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ଦିଆଯିବାକୁ ନେଇ ଦାବି କରିଆସୁଛନ୍ତି। ସେହିପରି କଳାହାଣ୍ଡି ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରିବାରେ ସେ ସଫଳ ହୋଇପାରିଛନ୍ତି। ଜଣେ ଲେଖକ, ସାମ୍ବାଦିକ ଓ ସମାଜସେବୀ ଭାବେ ରାଜ୍ୟର ଜଣେ ଆଗଧାଡ଼ିର ଯୁବପ୍ରତିଭା ଦଳକୁ ପୁଣି ଫେରିବା ପରେ ଦଳ ଆହୁରି ମଜବୁତ୍ ହେବ ଏବଂ ଦଳର ଯୁବ ସଂଗଠନକୁ ତ୍ରୁଣମୂଳ ସ୍ତରରେ ଦ୍ରୁଢ଼ କରିବାରେ ଶ୍ରୀ ବାଗ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ସେହିପରି ଶ୍ରୀ ବାଗଙ୍କ ଅନୁଭବକୁ ଦଳ କାର୍ଯ୍ୟରେ ଲଗାଇବାକୁ ଯାଇ ଜିଲ୍ଲାସ୍ତରୀୟ ସାଂଗଠନିକ ଦାୟିତ୍ବ ଦେଇପାରେ ବୋଲି ଚର୍ଚ୍ଚା ହେଉଛି। ଶ୍ରୀ ବାଗ ଦଳରେ ଆନୁଷ୍ଠାନିକ ଭାବେ ସାମିଲ ହୋଇଥିବାବେଳେ ଦଳର ପର୍ଯ୍ୟବେକ୍ଷକ ଶ୍ରୀ ବଳବନ୍ତରାୟଙ୍କ ସମେତ ରାଜ୍ୟସଭା ସାଂସଦ ସୁଜିତ କୁମାର, ଦଳର ଜିଲ୍ଲା ସଭାପତି ପୁଷ୍ପେନ୍ଦ୍ର ସିଂହଦେଓ, ଦଳର କାର୍ଯ୍ୟକାରୀ ସଭାପତି ତଥା ଜୁନାଗଡ଼ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର, ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ କୁମାର ଦିଶାରୀ, ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶିବାଜୀ ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ ପ୍ରମୁଖ ତାଙ୍କୁ ଦଳୀୟ ଉତ୍ତରୀୟ ସହିତ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଏହି ଅବସରରେ ଲାଞ୍ଜିଗଡ଼ ବ୍ଲକରୁ ୩୦ରୁ ଅଧିକ ବିଜେପି ଓ କଂଗ୍ରେସ କର୍ମକର୍ତ୍ତା ଦଳ ଛାଡ଼ି ବିଜେଡିରେ ସାମିଲ ହୋଇଥିଲେ। ପୂର୍ବତନ ବନ୍ଧପାରି ସରପଞ୍ଚ ତଥା ଆଦିବାସୀ ମହିଳା ନେତ୍ରୀ ଫୁଲମେ ମାଝୀ, ଜଗନ୍ନାଥପୁର ସରପଞ୍ଚ ମୁଗାନା ମାଝୀ, ଲାଞ୍ଜିଗଡ଼ରୋଡ଼ ସମିତିସଭ୍ୟା ମୁକ୍ତା ଭୋଇ,ତରଣୀସେନ ନାଏକ, ସୁରେନ୍ଦ୍ର ନାଗ, ସୁନ୍ଦରା ମାଝୀ, ବିକ୍ରମ ଛତ୍ରିଆ, ଜଳଧର ସାଗର, କାହ୍ନୁ ସୁନାଙ୍କ ସମେତ ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଅଞ୍ଚଳରୁ ବିଜେପି ଓ କଂଗ୍ରେସ କର୍ମୀ ଦଳରେ ସାମିଲ ହୋଇଥିବା ଜଣାପଡ଼ିଛି। ଏହି ମିଶ୍ରଣ ପର୍ବରେ ଲାଞ୍ଜିଗଡ଼ ବିଧାୟକଙ୍କ ପ୍ରତିନିଧି ପ୍ରଦୀପ କୁମାର ଘଡ଼େଇ, ବିଜେଡି ଜୋନ୍ ସଭାପତି ଚନ୍ଦ୍ରଶେଖର ମହାପାତ୍ର, ଯୁବନେତା ହିମାଦ୍ରୀ ପେସନିଆ, ଜିଲ୍ଲା ସଂପାଦକ ଜଗଦୀଶ ବେନିଆଁ ପ୍ରମୁଖ ଭୂମିକା ଗ୍ରହଣ କରିଥିବାବେଳେ ବରିଷ୍ଠ ବିଜେଡି ନେତା ଶ୍ରୀଧର ପେସନିଆ, ହରିଶ୍ଚନ୍ଦ୍ର ବୁଦ୍ଧିଆ, ଲାଞ୍ଜିଗଡ଼ ବ୍ଲକ ଅଧ୍ୟକ୍ଷା କମଳା ପାତ୍ର, ଉପାଧ୍ୟକ୍ଷ ସଞ୍ଜୀବ କୁମାର ନାୟକ, ଯୁବନେତା ହିମାଦ୍ରୀ ପେସନିଆ, ମହେନ୍ଦ୍ର କରୁଆଁ, ଜିଲ୍ଲା ପରିଷଦ ସଭ୍ୟ ପରିକ୍ଷୀତ ନାଏକ, ଅଞ୍ଜଳି ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.