ରାୟପୁର (ଉମେଶ ଯାଦବ): ଛତିଶଗଡରେ ମୈନପାଟ ନାମକ ଏକ ଜାଗା ଅଛି ଯାହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ । ମୈନପାଟ ତାହାର ପ୍ରାକୃତିକ ସୁନ୍ଦରତା, ତିବ୍ବତୀ ଏବଂ ଜନଜାତୀୟ ସଂସ୍କୃତି ପାଇଁ ପରିଚିତ ଅଟେ । ତେବେ ସେଠାରେ ଏକ ସ୍ଥାନ ଅଛି ଯାହାର ନାମ “ଉଲଟା ପାନି” । ଏହି ଜାଗାରେ ପାଣି ଓଲଟା ଚାଲିଥାଏ । ତେବେ ଏହି ଜାଗାରେ ପାଣି କାହିଁକି ଓଲଟା ପ୍ରବାହିତ ହୋଇଥାଏ ତାହାର ରହସ୍ୟ ବୈଜ୍ଞାନିକମାନେ ମଧ୍ୟ ଭେଦ କରିପାରି ନାହାନ୍ତି । ଉଲଟା ପାନି ନାମକ ଏହି ଜାଗା ଅମ୍ବିକାପୁର ଠାରୁ ୫୬ କିଲୋମିଟର ଦୂରରେ ବିସରପାଣି ନାମକ ଗ୍ରାମରେ ଅବସ୍ଥିତ । ସେଠିକାର କ୍ଷତ୍ରିୟ ଭାଷାରେ ବିସରପାଣିର ଅର୍ଥ ପାଣି ଝରିବା । ଏଠାରେ ପାଣି ରାସ୍ତାର କଡରେ ଥିବା ଚାଷ ଜମିର ଗୋଟିଏ କୋଣରୁ ଝରି ବିପରୀତ ଘାଟ ଆଡକୁ ପ୍ରବାହିତ ହୋଇଥାଏ । ପାଣିର ଏହି ଓଲଟା ଧାରା ପ୍ରାୟତଃ ୨ କିଲୋମିଟର ଲମ୍ବାରେ ପ୍ରବାହିତ ହୋଇଥାଏ । ଏଠି ଏହିଭଳି ପାଣି ପ୍ରବାହିତ ହେବା ଏକ ଆଶ୍ଚର୍ଯ୍ୟଜନକ କଥା ଅଟେ । ଭୌଗିଳିକବିଦ ମାନଙ୍କର ଅନୁସାରେ ଏଠାରେ ଏପରି ହେବାର କାରଣ ଗୁରୁତ୍ୱାକର୍ଷଣ ଏବଂ ଚୁମ୍ବକୀୟ ଅଟେ ।