ମେଧାବୃତ୍ତି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ଅନ୍ତର୍ଗତ ସାଗରପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟଠାରେ ଜାତୀୟ ଆୟଭୀତିକ ମେଧାବୃତ୍ତି ପରୀକ୍ଷା ସମର୍ଦ୍ଧନା ଉତ୍ସବ ପାଳିତ ହୋଇଛି। ଡୁଙ୍ଗୁରିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାବୁଲାଲ ସାହୁ ମୁଖ୍ୟ ଅତିଥି ଓ ସାଗରପାଲି ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନିଷ ପଣ୍ଡା ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ  ଦିଗଦର୍ଶନ ଦେଇଥିଲେ। ସଭା କାର୍ଯ୍ୟକୁ ବିଦ୍ୟାଳୟର ସହକାରୀ ଶିକ୍ଷକ ଅଲେଖ ସାହୁ ପରିଚାଳନା କରିଥିଲେ। ଗତ ବର୍ଷ ବିଦ୍ୟାଳୟର ଛାତ୍ରୀ ପଦ୍ମାଳୟା ବାରିକ ଓ ଛାତ୍ର ଆନନ୍ଦ ବାରିକ ଜାତୀୟ ଆୟଭୀତିକ ମେଧାବୃତ୍ତି ପରୀକ୍ଷାରେ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଥିବାରୁ ସେମାନଙ୍କୁ ପୁରସ୍କାର ଅର୍ପଣ କରାଯାଇ ଥିଲା। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୂର୍ଯକାନ୍ତି ନାଏକ ନିଜର ବକ୍ତବ୍ୟରେ ଏହି ପରୀକ୍ଷାର ସଫଳତାର ମୁଖ୍ୟ ଶ୍ରେୟ ସହକାରୀ ଶିକ୍ଷକ ତରଣୀ ସେନ ମେହେର ଓ ଅଲେଖ ସାହୁଙ୍କୁ ଦେଇଥିଲେ ଓ ସୋନପୁର ବ୍ଲକରେ ଓଡ଼ିଆ ସରକାରୀ ଉଚ୍ଚ ବିଦ୍ୟାଳୟରେ କେବଳ ଆମର ବିଦ୍ୟାଳୟକୁ ଏହି ସଫଳତା ମିଳିଛି ବୋଲି କହି ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ବର୍ଷର ପରୀକ୍ଷାର୍ଥୀ ମାନଙ୍କ ମଧ୍ୟରେ ସର୍ବଶ୍ରେଷ୍ଠ ଦୁଇ ଜଣଙ୍କୁ ବାଛି ବିଦ୍ୟାଳୟ ପକ୍ଷରୁ ଦୁଇଟି ଜାତୀୟ ଆୟଭୀତିକ ମେଧାବୃତ୍ତି ପରୀକ୍ଷା ଗାଇଡ଼ ପ୍ରଦାନ କରା ଯାଇଥିଲା। ଅନ୍ୟ ସହକାରୀ ଶିକ୍ଷକ ତୃପ୍ତିବାଳା ପୁରୋହିତ, ସୁବାଶିନୀ ମେହେର, ମାମି ପଧାନ, ନିରୁପମା କର ଓ ତରଣୀ ସେନ ମେହେର ସଭାରେ ଉପସ୍ଥିତ ଥିଲେ। ଏଠାରେ ଏହା କହିବା ପ୍ରାସଙ୍ଗିକ ଯେ, ଏହି ଶିକ୍ଷା ଅନୁଷ୍ଠାନଟି ନିଜ ଅଞ୍ଚଳରେ ଉଚ୍ଚାମାନର ଶିକ୍ଷାଦାନ ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ଏହି ଅନୁଷ୍ଠାନର ଶିକ୍ଷକ ମାନଙ୍କର ଉତ୍ସର୍ଗୀକୃତ ମନୋଭାବ ଓ ଆନ୍ତରିକତା ହିଁ ଏହି ସଫଳତାର ଚାବିକାଠି ବୋଲି ସେମାନେ ପ୍ରମାଣ କରି ପାରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.