ଚନ୍ଦ୍ରରେ ତ୍ରିରଙ୍ଗା ପୋଷ୍ଟ ଓ ଶିବଶକ୍ତି

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଜହ୍ନରେ ଯେଉଁ ସ୍ଥାନରେ ଚନ୍ଦ୍ରଯାନ ତାର ପ୍ରଥମ ପାଦ ରଖିଥିଲା ତାର ନାମକରଣ କରାଯାଇଛି । ନାମକରଣ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ସ୍ଥାନର ନାମ ଶିବଶକ୍ତି ରଖାଗଲା ବୋଲି ପ୍ରଧାନମନ୍ତ୍ରୀ ନିଜେ ଘୋଷଣା କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦେଶ ଭ୍ରମଣ ପରେ ଭାରତ ଫେରିଛନ୍ତି । ଭାରତ ଫେରି ସିଧା ବେଙ୍ଗାଲୁର ବିମାନବନ୍ଦରରେ ଅବତରଣ କରିଥିଲେ ।  ସେଠାରୁ ସିଧା ଇସ୍ରୋ କାର୍ଯ୍ୟାଳୟକୁ ଯାଇଥିଲେ । ଚନ୍ଦ୍ରଯାନ-୩ର ସଫଳତା ପାଇଁ ଇସ୍ରୋ ବୈଜ୍ଞାନିକଙ୍କୁ ପ୍ରଶଂସା କରିବାବେଳେ ଭାବପ୍ରବଣ ହୋଇ ପଡିଥିଲେ ମୋଦି। ଏହି ଅବସରରେ ବୈଜ୍ଞାନିକମାନଙ୍କୁ ମୋଦି କହିଥିଲେ, କୌଣସି ବିଫଳତା କେବେ ଶେଷ ନୁହେଁ। ତେଣୁ ଯେଉଁଠି ଚନ୍ଦ୍ରଯାନ-୨ ତାର ପାଦଚିହ୍ନ ରଖିଥିଲା ତାର ନାମ ଆଜିଠାରୁ ତ୍ରିରଙ୍ଗା ପଏଣ୍ଟ ରହିବ । ସେହିପରି ଚନ୍ଦ୍ରଯାନ ୩ ଯେଉଁଠି ପାଦ ରଖିବ ତାହାର ନାମ ଶିବ ଶକ୍ତି ରହିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ, ଏହି ତ୍ରିରଙ୍ଗା ପଏଣ୍ଟ ଭାରତର ପ୍ରତ୍ୟେକ ଚେଷ୍ଟାର ପ୍ରେରଣା ହୋଇ ରହିବ । ଏହି ତ୍ରିରଙ୍ଗା ପଏଣ୍ଟ ଆମକୁ ସବୁବେଳେ ମନେ ପକେଇଦେବ ଯେ କୌଣସି  ବିଫଳତା କେବେ ଲକ୍ଷ୍ୟର ଶେଷ ନୁହେଁ । ମୋଦି କହିଛନ୍ତି, ଆମେ ସେହି ଜାଗାରେ ପହଞ୍ଚିଛେ ଯେଉଁଠି କେହି ପହଞ୍ଚି ନାହାନ୍ତି । ଆମେ ଏମିତି କାମ କରିଛୁ ଯାହା କେହି କେବେ କରି ନାହାନ୍ତି । ପ୍ରଧାନମନ୍ତ୍ରୀ ଭାବପ୍ରବଣ ହୋଇ କହିଛନ୍ତି, ମୋ ଆଖି ସାମ୍ନାରେ ୨୩ ଅଗଷ୍ଟର ସେହି ଦିନ ସେଇ ଗୋଟିଏ ଗୋଟିଏ ସେକେଣ୍ଡ ବାରମ୍ବାର ନାଚି ଯାଉଛି । ଯେତେବେଳେ ଚନ୍ଦ୍ରଯାନ ଭୂପୃଷ୍ଠ ଛୁଇଁବା ନିଶ୍ଚିତ ହେଲା ସେତେବେଳେ ଇସ୍ରୋ ସେଣ୍ଟରରେ, ପୁରା ଦେଶରେ ଲୋକ ଯେମିତି ଖୁସିରେ  ନାଚି ଉଠୁଥିଲେ ସେ ଦୃଶ୍ୟ କ’ଣ କେହି କେବେ ଭୁଲିପାରେ  ! କିିଛି ସ୍ମୃତି ଅମର ହୋଇ ରହଯାଏ । ଏହି ମୁହୂର୍ତ୍ତ ବି ଅମର ହୋଇ ରହିଗଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.