ମାତ୍ର ୧୭ ମାସରେ ୧୨ କୋଟି ଟଙ୍କାର ଉନ୍ନୟନ କାର୍ଯ୍ୟ
ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ପାଲଟିଛି ବିକାଶର ପ୍ରୟୋଗଶାଳା। ନୂତନ କାଉନସିଲ ଗଠନର ମାତ୍ର ୧୭ ମାସ ଭିତରେ ଖଲ୍ଲିକୋଟ ସହର ରେ ପାଖାପାଖି ୧୨ କୋଟି ରୁ ଉର୍ଦ୍ଧ ଟଙ୍କାର ବିକାଶମୂଳକ କାର୍ଯ୍ୟ ହୋଇ ପାରିଛି ବୋଲି ଖଲ୍ଲିକୋଟ ଏନଏସି ଅଧ୍ୟକ୍ଷ ଇଂ. ନିରଞ୍ଜନ ବେହେରା କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଖଲ୍ଲିକୋଟ ଏନଏସି ବିକାଶ ଖସଡ଼ା ସମ୍ପର୍କରେ ସୂଚନା ଦେଇ ଓଡିଶା ସରକାର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଖଲ୍ଲିକୋଟ ରାଣୀ ସୁଜ୍ଞାନୀ କୁମାରୀ ଦେଓ ଓ ୫-ଟି ସଚିବ ଭିକେ ପାଣ୍ଡିଆନଙ୍କ ସହ ଯୋଗଯୋଗ ଓ ସଦିଚ୍ଛା ଫଳରେ ଖଲ୍ଲିକୋଟର ବିକାଶ ଆଗେଇ ନେଇଥିବା ପ୍ରକାଶ କରିଥିଲେ। ରାସନ କାର୍ଡ, ମଧୁବାବୁ ଭତ୍ତା, ଆବାସ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ବ୍ୟାଙ୍କ ଋଣ ସମେତ ଜାତୀୟ ପରିବାର କଲ୍ୟାଣ ଯୋଜନା ଭଳି ଲୋକଙ୍କ ମୌଳିକ ସମସ୍ୟାରେ ସମାଧାନ ସାଙ୍ଗକୁ ମୁକ୍ତ ବ୍ୟାୟାମଶାଳା, ଗୋଷ୍ଠୀ ଶୌଚାଳୟ, ଆଶ୍ରୟସ୍ଥଳୀ ଓ ସମସ୍ତ ୱାର୍ଡର ରାସ୍ତା ଓ ନାଳ, ଆଦର୍ଶ ପୋଖରୀରେ ପାବଚ୍ଛ ବନ୍ଧ ଓ ମର୍ଦରାଜ ସାଗର ବନ୍ଧ ନିର୍ମାଣ, ଶିଶୁ ଉଦ୍ୟାନ ଉନ୍ନତିକରଣ ଓ ସରକାରଙ୍କ ମୁକ୍ତା ଯୋଜନାରେ ଏନଏସିର ସମସ୍ତ ମହିଳା ଗୋଷ୍ଠୀଙ୍କୁ ସାମିଲ କରି ସେମାନଙ୍କୁ ଆର୍ଥିକ ଦିଗରେ ସ୍ୱାବଲମ୍ବୀ କରିବା ସାଙ୍ଗକୁ ମିଶନ ଶକ୍ତି ଗୃହ, ବର୍ଷା ଜଳ ସଂରକ୍ଷଣ, ଜଗିଙ୍ଗ ଟ୍ରାକ ପ୍ରଭୃତି ନିର୍ମାଣ, ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ଏମସିସି ଓ ଏମଆରଏଫ ନିର୍ମାଣ ସହ ସେଲ୍ଫି ପଏଣ୍ଟ ୪ଗୋଟି ସ୍ୱାଗତ ତୋରଣ ନିର୍ମାଣ, ମୁକ୍ତା ଯୋଜନାରେ ବୃକ୍ଷରୋପଣ, ଖଲ୍ଲିକୋଟ ରାଣୀଙ୍କ ପରାମର୍ଶ କ୍ରମେ ଖଲ୍ଲିକୋଟ ଏନଏସିରେ ଏକ ବର୍ଷ ବ୍ୟାପି ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ଏନଏସିକୁ ପରଳମୁକ୍ତ କରିବା, ନେଳିଆ ବନ୍ଧ, ବଳିୟାରସିଂ, ଲାଞ୍ଜି ବନ୍ଧ, ବ୍ରାହ୍ମଣୀ ପୋଖରୀ, ଗୁଡ଼ି ବନ୍ଧ, ଦିୱାନ ବନ୍ଧ ପଭୃତି ପୋଖରୀକୁ ସ୍ମାର୍ଟ ପୋଖରୀରେ ପରିଣତ ହେବା ନେଇ ବକ୍ତବ୍ୟ ରଖିଥିଲେ। ବସଷ୍ଟାଣ୍ଡର ଉନ୍ନତିକରଣ ସମେତ ପରିଷଦର ବିଭିନ୍ନ ୱାର୍ଡରେ ପୁରୁଣା, ଭଗ୍ନ ଓ ବିପଦସଂକୁଳ ବିଜୁଳି ଖୁଣ୍ଟି ଗୁଡିକ ହଟାଇ ନୂତନ ବିଜୁଳି ଖୁଣ୍ଟ ସାଙ୍ଗକୁ ଉଜ୍ଜଳ ଆଲୋକ ବ୍ୟବସ୍ଥା କରିବା ପାଇଁ କାମ ଚାଲିଛି। ଖଲ୍ଲିକୋଟ – ମାନା ପଲ୍ଲୀ ରାସ୍ତାକୁ ପୂର୍ତ୍ତ ବିଭାଗକୁ ଆଣି ଯେଉଁ ରାସ୍ତା ପ୍ରଶସ୍ତିକରଣ ପାଇଁ ୭କୋଟି ୭୪ଲକ୍ଷ ବରାଦ କରିଥିବା ବେଳେ ଖଲ୍ଲିକୋଟରେ ଏକ ୩୩/୧୧ କେଭି ଏ ଗ୍ରୀଡ଼ ଷ୍ଟେସନ ପ୍ରତିଷ୍ଠା ଓ ଖଲ୍ଲିକୋଟ ସହର ପୁରୁଣା କିମ୍ବଦନ୍ତୀକୁ ସ୍ମରଣ କରି ଖଲ୍ଲିକୋଟ ବସଷ୍ଟାଣ୍ଡଠାରେ ମାଗୁଣିର ଶଗଡ଼ ପ୍ରତିଷ୍ଠା କରାଯାଇଛି। ସେହିପରି ଶାଳିଆ କେନାଲରୁ ଖଲ୍ଲିକୋଟକୁ ପାନୀୟ ଜଳ, ଜଗନାଥ ମନ୍ଦିର, ନାରାୟଣୀମନ୍ଦିରର ରୂପାନ୍ତରିକରଣ, ଖଲ୍ଲିକୋଟ ଦୁଇଟି ମେଗା କଲ୍ୟାଣ ମଣ୍ଡପ ନିର୍ମାଣ ଓ ନିର୍ମାଣଧୀନ କଲ୍ୟାଣ ମଣ୍ଡପର ନିର୍ମାଣ ଶେଷ କରିବା ଓ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟରେ ପରିଣତ କରିବା ଓ ଖଲ୍ଲିକୋଟଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ମୁଖ୍ୟ ମନ୍ତ୍ରୀ ଓ ୫ଟି ସଚିବଙ୍କୁ ଲିଖିତ ଭାବେ ଜଣାଇ ଥିବା ପ୍ରକାଶ କରି ମୁକ୍ତା ଯୋଜନାରେ ପରିଷଦ କୁ ମିଳିଥିବା ୩୯୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ବଣ୍ଟନ କରାଯାଇଥିବା ଅଧକ୍ଷ ଶ୍ରୀ ବେହେରା ସାମ୍ବାଦିକମାନଙ୍କୁ ତଥ୍ୟ ପ୍ରଦାନ କରିଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପରିଷଦ କାଉନସିଲର ପ୍ରଦୀପ କୁମାର ପଟ୍ଟନାୟକ, ନାରାୟଣ ପାଢ଼ୀ, ସୁଜାତା କୁମାରୀ ସାମନ୍ତ, ଅଶୋକ ସେଠି ଓ କାଳିଆ ପରିଡା ପ୍ରମୁଖ ଉପସ୍ଥିତ ରହି ଅଂଶଗ୍ରହଣ କରିଥିଲେ।