ସମ୍ପୂର୍ଣ୍ଣ ମରୁଡି ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକର ୨୨ ଗୋଟି ଗ୍ରାମ ପଞ୍ଚାୟତକୁ ମରୁଡ଼ି ଘୋଷଣା କରିବା ସହିତ କୃଷି ଋଣ ଛାଡ, ସମସ୍ତ ଚାଷୀଙ୍କୁ ଶସ୍ୟବୀମା ପ୍ରଦାନ କରିବା ଆଦି ଦାବି ନେଇ କୋକସରା ବ୍ଲକ ଉପାଧ୍ୟକ୍ଷ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରକାଶ ଯେ’ ଚଳିତ ବର୍ଷ କୋକସରା ବ୍ଲକରେ ସ୍ବଳ୍ପ ବୃଷ୍ଟିପାତ ଯୋଗୁଁ ଚାଷ କାର୍ଯ୍ୟରେ ବ୍ୟାହତ ସୃଷ୍ଟି ହୋଇ ଅଧିକାଂଶ ଚାଷ ଜମିରେ ବର୍ତ୍ତମାନ ସୁଦ୍ଧା ଋଆ ଓ ବେଉଷଣ ହୋଇ ପାରିନାହିଁ। ଅନେକ ସ୍ଥାନରେ ଜମି ସୁଖିଲା ପଡ଼ିଛି, ଏବଂ ଅଭାବୀ ବର୍ଷା କାରଣରୁ ଚାଷ ମରିବାକୁ ବସି ମରୁଡି ସ୍ଥିତି ଦେଖାଦେଇଛି। ଏ ନେଇ ବିଭିନ୍ନ ପଞ୍ଚାୟତର ଚାଷୀ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରି ମରୁଡ଼ି ଘୋଷଣା ପାଇଁ ଦାବି କରି ଆସୁଥିବାବେଳେ କୋକସରା କୃଷକ ସଚେତନ ମଞ୍ଚ ପକ୍ଷରୁ ବ୍ଳକର ୨୨ ପଞ୍ଚାୟତକୁ ସମ୍ପୂର୍ଣ ମରୁଡ଼ି ଘୋଷଣା କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି। କୃଷି ବିଭାଗର ସୂଚନା ଅନୁସାରେ, ଚଳିତ ବର୍ଷ କୋକସରା ବ୍ଲକର ୨୨ ପଞ୍ଚାୟତରେ ୧୯ ହଜାର ୫ଶହ ୩୦ ହେକ୍ଟର ଧାନ ଚାଷର ଲକ୍ଷ ରହିଛି। ସେଥି ମଧ୍ୟରୁ ୬ ହଜାର ୫ଶହ ୮୫ ହେକ୍ଟର ଜମିରେ ଧାନବୁଣା ଯାଇଥିବାବେଳେ ୧୧ ହଜାର ୯ଶହ ୨୦ ହେକ୍ଟର ଜମିରେ ରୁଆ କାର୍ଯ୍ୟ ସରିଛି। ଅବଶିଷ୍ଟ ୭୨୫ ହେକ୍ଟର ଜମିରେ ପାଣି ଅଭାବ ଯୋଗୁଁ ବର୍ତ୍ତମାନ ସୁଦ୍ଧା ଚାଷ କାର୍ଯ୍ୟ ହୋଇ ପାରିନାହିଁ। ବ୍ଳକର ଅଣ ଜଳସେଚିତ ଅଞ୍ଚଳର ଚାଷୀଙ୍କ ଜମି ଫାଟି ଆଁ କରିଥିବାବେଳେ ଜଳସେଚନ ଥିବା ଅଞ୍ଚଳରେ ମଧ୍ୟ କମ୍ ବର୍ଷା ହେତୁ ସ୍ଥିତ ସଙ୍ଗୀନ ହୋଇଛି। କେତେକ ସ୍ଥାନରେ ଚାଷୀ ଚାଷ ହେବା ଆଶା ଛାଡି ଧାନ କ୍ଷେତରେ ଗୋରୁ ପଳ ଛାଡିଥିବା ମଧ୍ୟ ନଜର ଆସିଲାଣି। ଏହାକୁ ଦୃଷ୍ଟିରେ ରଖି କୋକସରା ବ୍ଲକ ଅଧ୍ୟକ୍ଷା ରୀତା ଅଗ୍ରୱାଲ ମରୁଡ଼ି ଘୋଷଣା କରିବା ସହିତ କୃଷି ଋଣ ଛାଡ, ସମସ୍ତ ଚାଷୀଙ୍କୁ ଶସ୍ୟବୀମା ପ୍ରଦାନ କରିବା ପାଇଁ ଚିଠି ଲେଖିଛନ୍ତି। ଏହାକୁ ନେଇ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡୀଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିବା ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.