ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି: କର୍ଲାମୁଣ୍ଡା ବ୍ଲକ ବୋରପଦର ପଞ୍ଚାୟତ ଭଟାପଲାର ଲଷ୍ମୀପଡାକୁ ସଂଯୋଗ କରୁଥିବା ମାଟିରାସ୍ତା ଅଳ୍ପ ବର୍ଷାରେ ଶୋଚନୀୟ ହୋଇପଡ଼ିଛି। ଉକ୍ତ କଚ୍ଚା ସଡ଼କ ଲଷ୍ମୀପଡା ସ୍କୁଲ ପୂର୍ତ୍ତ ବିଭାଗ ରାସ୍ତାରୁ ସିଆଲପଲା ଅଲେଖ ମଠ ପର୍ଯ୍ୟନ୍ତ ଲମ୍ବିଥିବାବେଳେ ଏହି ରାସ୍ତା ବ୍ଲକ ଅଫିସ ଠାରୁ ଆରମ୍ଭ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସଂଯୋଗ ହେଉଛି। ବିଶେଷ କରି ସ୍କୁଲ ଓ କଲେଜ ଛାତ୍ର, ଛାତ୍ରୀ ପ୍ରତିଦିନ ଯିବା ଆସିବା ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତ ଅଧୀନରେ ଏହି ରାସ୍ତା ଥିବାବେଳେ ଏହାର ମରାମତି କରାଯାଉ ନ ଥିବାରୁ ଖାଲଖମାରେ ଭର୍ତ୍ତି ହୋଇଛି। ବର୍ଷା ହେଲେ ପଡା ବାସୀ, ଛାତ୍ରଛାତ୍ରୀ, ଅଞ୍ଚଳ ବାସି ଯମ ଯନ୍ତ୍ରଣା ଭୋଗ କରୁଛନ୍ତି। ଏନେଇ ଗ୍ରାମବାସୀ ପଞ୍ଚାୟତ ପ୍ରଶାସନଠାରୁ ଆରମ୍ଭ କରି ଜିଲା ପ୍ରଶାସନ ଯାଏଁ ଅଭିଯୋଗ କରି ଆସୁଥିଲେ ମଧ୍ୟ ରାସ୍ତା ପକ୍କା କରିବା ଦିଗରେ ଆନ୍ତରିକତା ଦେଖିବାକୁ ମିଳୁନାହିଁ। ନିର୍ବାଚନ ଆସିଲେ ନେତାମାନେ ଆସି ପ୍ରତିଶ୍ରୁତି ଦେଉଛନ୍ତି। ହେଲେ ନିର୍ବାଚନ ସରିଗଲେ କାହାରି ଦେଖା ମିଳୁନାହିଁ ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବାବଦରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ ଉକ୍ତ ସଡ଼କ ପ୍ରତି ସମସ୍ତେ ଆଖି ବୁଜି ଦେଇଛନ୍ତି। ତୁରନ୍ତ ଉକ୍ତ ଗ୍ରାମ୍ୟ ସଡ଼କକୁ ପକ୍କା କରା ନ ଗଲେ ବ୍ଲକ ଅଫିସ ଘେରାଉ କରିବାକୁ ବାଧ୍ୟହେବୁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ।