ବାରିଝୋଲା ମୈାଜାରେ ତହସିଲଦାରଙ୍କ ରାଜସ୍ୱ ଆଦାୟ ଶିବିର 

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ଜିଲ୍ଳା ସଦର ତହସିଲ ଅନ୍ତର୍ଗତ ହାଲୁଆ ଗ୍ରାମ ପଂଚାୟତର ବାରିଝୋଲା ମୈାଜାର ସଦର ବାରିଝୋଲା ଗ୍ରାମ ଠାରେ ଆଜି ରାୟଗଡା ତହସିଲଦାର ତଥା ନିର୍ବାହୀ ଦଣ୍ଡାଧିକାରୀ ପ୍ରୀୟଦର୍ଶନୀ ସ୍ୱାଇଁଙ୍କ ରାଜସ୍ୱ ଆଦାୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଘରବାରି ଖଜଣା, ଜଳକର ସହ ଜବରଦଖଲ ଜମିର ଜୋରିମାନା ଆଦାୟ କରାଯାଇଥିଲା । ସରକାରୀ ଜମିକୁ ଜବରଦଖଲ କରି ବ୍ୟବହାର କରୁଥିବା ଗ୍ରାମର ୩୨ ଜଣ ଗ୍ରାମବାସୀଙ୍କ ଠାରୁ ଜୋରିମାନା ବାବଦକୁ ୩୦,୯୦୦ ଟଙ୍କା ଆଦାୟ ହୋଇଥିବା ବେଳେ ଜଳକର ଓ ଘରବାରି ଖଜଣା ବାବଦକୁ ଗ୍ରାମବାସୀଙ୍କ ଠାରୁ ୪୧୦୦ଟଙ୍କା ଆଦାୟ କରାଯାଇଥିଲା । ଏହି ଶିବିରରେ ସର୍ବମୋଟ ୩୫ ହଜାର ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା । ଏଭଳି ଶିବିର ଅନୁଷ୍ଠିତ ହେବା ଦ୍ୱାରା ଗ୍ରାମବାସୀମାନଙ୍କୁ ଆଉ ତହସିଲ କାର୍ଯ୍ୟାଳୟକ ଯିବାକୁ ପଡିବ ନାହିଁ । ସେମାନଙ୍କ ସୁବିଧା ନିମନ୍ତେ ଗ୍ରାମରେ ଶିବିର ଅନୁଷ୍ଠିତ ହେବା ଦ୍ୱାରା ଗ୍ରାମବାସୀମାନେ ସୁବିଧାରେ ଗାଁରେ ରହି ଖଜଣା,ଜଳକର ସହ ଜବରଦଖଲ ଜମି ଜୋରିମାନା ଟଙ୍କା ଏକାଥରକେ ତହସିଲ କର୍ତୁପକ୍ଷଙ୍କ ଠାରେ ଜମା ଦେଇପାରିବେ ବୋଲି ତହସିଲଦାର ପ୍ରିୟଦର୍ଶନୀ ସ୍ୱାଇଁ ପ୍ରକାଶ କରିଛନ୍ତି । ପୂର୍ବରୁ ରାଜସ୍ୱ ଅଧିକାରୀମାନେ ଗ୍ରାମକୁ ଆସି ଘରବାରି ଖଜଣା,ଜଳକର ଆଦି ନେଇ ଯାଉଥିବା ବେଳେ ଏହା ଗତ ୨ବର୍ଷ ହେଲା ବନ୍ଦ ହୋଇ ରହିଥିଲା । ଯାହାକୁ ନେଇ ଗ୍ରାମବାସୀମାନେ ରାୟଗଡା ତହସିଲ କାର୍ଯ୍ୟାଳୟକୁ ଯାଇ ନିଜ ନିଜ ଖଜଣା,ଜଳକର ଆଦି ପୈଠ କରି ଆସୁଥିଲେ । ତେବେ ରାୟଗଡା ତହସିଲଦାର ଶ୍ରୀମତି ସ୍ୱାଇଁଙ୍କ ତତ୍ୱାବଧାନରେ ଦୀର୍ଘ ୨ ବର୍ଷ ପରେ ପୁଣି ଥରେ ଗ୍ରାମକୁ ତହସିଲ କର୍ତୁପକ୍ଷମାନେ ଆସି ଏଭଳି ଖଜଣା ଆଦାୟ ଶିବିର ଅନୁଷ୍ଠିତ କରିଥିବାରୁ ଗ୍ରାମବାସୀମାନେ ବହୁତ ଖୁସି ଅଛନ୍ତି ବୋଲି ଗ୍ରାମର ଲକ୍ଷ୍ମଣ ମିଣିଆକା, ଶ୍ୟାମ ସୁନ୍ଦର ବିଡିକାଙ୍କ ସମେତ ଅନ୍ୟମାନେ ପ୍ରକାଶ କରିଥିବା ବେଳେ ହାଲୁଆ ଗ୍ରାମ ପଂଚାୟତ ସରପଂଚ ତାମାରାଓ ବିଡିକା ଏଭଳି ଶିବିର କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି । ତହସିଲଦାରଙ୍କ ଏହି ରାଜସ୍ୱ ଆଦାୟ ଶିବିରରେ ରାୟଗଡ ତହସିଲ ସୁପରଭାଇଜର ଦେବୀପ୍ରସାଦ ମଲ୍ଳିକ, ରାଜସ୍ୱ ନିରୀକ୍ଷକ ବାଳକୃଷ୍ଣ ରଥ, ସହକାରୀ ରାଜସ୍ୱ ନିରୀକ୍ଷକ ରଜିଂତା ବେହେରା, କେ.ଶାନ୍ତି କୁମାରୀ ପ୍ରମୁଖ ଯୋଗ ଦେଇ ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.