ଟ୍ରେନ ଲାଇନକୁ ବସ ଖସି ୨୧ ମୃତ

ଓଡ଼ିଆ ବାର୍ତ୍ତା/ ଭେନିସ: ଇଟାଲି ଭେନିସରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା ବସ । ଅକାଳରେ ଚାଲିଗଲା ୨୧ ଜୀବନ । ମୃତକଙ୍କ ମଧ୍ୟରେ ୨ ଶିଶୁ ରହିଥିବା ସୂଚନା ରହିଛି । ଦୁର୍ଘଟଣାରେ ପାଖାପାଖି ୨୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣାର କାରଣ ଅସ୍ପଷ୍ଟ ରହିଥିବା ବେଳେ ତଦନ୍ତ ଜାରି ରହିଛି । ସୂଚନା ଅନୁଯାୟୀ, ଗତକାଲି ଏକ ପର୍ଯ୍ୟଟକ ଭର୍ତ୍ତି ବସ ଇଟାଲି ଭେନିସ ସହର ଦେଇ ଯାଉଥିବା ସମୟରେ ହଠାତ୍ ବସ୍‌ଟି ବିପରୀତ ଦିଗକୁ ବୁଲିପଡ଼ି ବ୍ରିଜ ତଳେ ଥିବା ରେଳଲାଇନକୁ ଖସିପଡ଼ିଲା। ପ୍ରାୟ ୫୦ ଫୁଟ୍‌ ଉପରୁ ବସ୍‌ଟି ଖସି ବିଜୁଳି ତାର ଉପରେ ପଡ଼ିବାରୁ ଏଥିରେ ନିଆଁ ଲାଗିଯାଇଥିଲା। ଫଳରେ ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୨୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇଛନ୍ତି । ଏହି ବସରେ ଥିବା ଯାତ୍ରୀ ଫ୍ରାନ୍ସ , ଜର୍ମାନ, ୟୁକ୍ରେନର ବାସିନ୍ଦା ବୋଲି ଜଣାପଡ଼ିଛି । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରିଥିଲା । ଉଦ୍ଧାର କାର୍ଯ୍ୟରେ ୨୦ରୁ ଅଧିକ ଆମ୍ବୁଲାନ୍ସ ନିୟୋଜିତ ହୋଇଥିଲା । ସମସ୍ତ ଗୁରୁତର ମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ଏହି ଭୟଙ୍କର ଦୁର୍ଘଟଣାରେ ମୃତାହତଙ୍କୁ ସମବେଦନା ଜଣାଇଛନ୍ତି ଇଟାଲୀ ପ୍ରଧାନମନ୍ତ୍ରୀ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.