ଆଦିବାସୀ ଯୁବକଯୁବତୀଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲକ୍ଷ୍ୟ
ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି) ତରଫରୁ ଶୁକ୍ରବାର ରାୟଗଡା ଆଦିବାସୀ ମାରାଥାନ୍ ଉପକ୍ରମରେ ‘ଆଦିରନ୍-୨୦୨୩’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଳାରେ ବସବାସ କରୁଥିବା ଜନଜାତିମାନଙ୍କ ବିକାଶରେ ସାମିଲ ପାଇଁ ଏହି ମାରାଥନ୍ରେ ୧୫ବର୍ଷ ବୟସରୁ ୪୫ବର୍ଷ ବୟସ ମଧ୍ୟରେ ଉଭୟ ପୁୁରୁଷ ଓ ମହିଳା ବର୍ଗର ବ୍ୟକ୍ତିବିଶେଷ ମାନେ ହଜାର ହଜାର ସଂଖ୍ୟାରେ ଭାଗ ନେଇଛନ୍ତି ।
ରାୟଗଡା ଜିଲ୍ଳା ସଦର ମହକୁମାର ସ୍ଥାନୀୟ ଜିସିଡି ହାଇସ୍କୁଲ ପଡିଆ ଠାରେ ଶୁକ୍ରବାର ସକାଳ ସାଢେ ୭ଟାରେ ଏହି ଆଦିରନ୍ ମାରାଥନର ଶୁଭାରମ୍ଭ କରାଯାଇଥିଲା । ରାୟଗଡା ଜିଲ୍ଳା ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ମାଝିଙ୍କ ପୈାରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଠା ସୁଧୀର ଦାସ, ଅନ୍ୱେଷା କାର୍ଯ୍ୟକ୍ରମ ଉପଦେଷ୍ଠା ଏଲିଦା ଦାସ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଜିଲ୍ଳା ପରିଷଦ ଅଧ୍ୟକ୍ଷା ସରସ୍ୱତୀ ମାଝି, ପୃଥ୍ୱୀରାଜ ସାହୁ, ଜିଲ୍ଳାପାଳ ସ୍ୱଧାଦେବ ସିଂ, ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ପିଏ ଆଇଟିଡିଏ ରାୟଗଡା ଦିଲ୍ଳୀପ କୁମାର ବେହେରା, ଗୁଣପୁର ଶାନ୍ତିପ୍ରଭା ପ୍ରଧାନ, କୋଲନରା ବ୍ଳକ ଅଧ୍ୟକ୍ଷା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ପାରା ଉଡାଇବା ସହ ସବୁଜ ପତାକା ଦେଖାଇ ମାରାଥାନର ଶୁଭ ଉଦଘାଟନ କରିଥିଲେ ।
ଉକ୍ତ ମାରାଥନଟି ଜିସିଡି ହାଇସ୍କୁଲ ପଡିଆ ଠାରୁ ଆରମ୍ଭ ହୋଇ ରାୟଗଡା ସହରର ଦୀର୍ଘ ୧୦କିଲୋମିଟର ଅତିକ୍ରମ କରି ପୁର୍ନବାର ଜିସିଡି ହାଇସ୍କୁଲ ପଡିଆ ଠାରେ ଶେଷ ହୋଇଥିଲା । ମାରାଥନରେ ଉଭୟ ପୁରୁଷ ଓ ମହିଳା ବର୍ଗର ବିଜେତାଙ୍କୁ ବିଭିନ୍ନ ଆର୍କଷଣୀୟ ପୁରସ୍କାର ସ୍ୱରୂପ ଇଲେକ୍ଟ୍ରି ସ୍କୁଟି ଠାରୁ ଆରମ୍ଭ ସାଇକେଲ୍ ଓ ଅନ୍ୟାନ୍ୟ କିଟ୍ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଥିଲା । ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ବିକାଶ ପାଇଁ ରାଜ୍ୟର ୨୩ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଳାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରି ଆଦିବାସୀ ସଂପ୍ରଦାୟର କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା, ଭାଷା, ଲେଖାକୁ ଉଦଜୀବିତ କରି ରଖିବା ଏବଂ ଘରେ ଘରେ ଆଦିବାସୀଙ୍କ ବିକାଶ ପଂହଚାଇବା ପାଇଁ ଏସଡିସି ମାଧ୍ୟମରେ ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ସଫଳ ରୂପାୟନ କରିପାରୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ସହ ଏଭଳି ମାରାଥନ୍ ଆଦିବାସୀ ଯୁବକଯୁବତୀଙ୍କୁ ଆହୁରି ମାତ୍ରାରେ ଉତ୍ସାହ କରି ନିଜ ସଂପ୍ରଦାୟକୁ ସମ୍ମାନ ଦେବା ଏବଂ ଏହାକୁ ବଂଚେଇ ରଖିବା ପାଇଁ ପ୍ରୟାସ କରିବେ ବୋଲି ଆଦିବାସୀ କଲ୍ୟାଣ ତଥା ଆଇନ ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି ।
ସେହିପରି ଆଦିବାସୀ ଯୁବକଯୁବତୀମାନେ କିଭଳି ଭାବେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ ତାହା ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଏସଡିସି ମାଧ୍ୟମରେ ସେମାନଙ୍କର ବିକାଶ ପାଇଁ ଯେଉଁ ସବୁ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ସେଥିପାଇଁ ତାଙ୍କୁ ଧନ୍ୟବାଦ ଜଣାଉଛି ବୋଲି ରାୟଗଡା ଜିଲ୍ଳା ଏସଡିସି ଅଧ୍ୟକ୍ଷା ଶ୍ରୀମତି ଅନୁସୂୟା ପ୍ରକାଶ କରିଥିଲେ । ଆଜିର ଏହି ମିନି ମାରାଥନ୍ ଆଦିରନ୍ କାର୍ଯ୍ୟକ୍ରମରେ ୩୨୪୫ଜଣ ଯୁବକଯୁବତୀ ଅନଲାଇନ୍ ପଂଜୀକୃତ ହୋଇଥିବା ବେଳେ ପୁରୁଷ ବର୍ଗରେ ବିଡିକା ସିଦ୍ଧୁ ଓ ମହିଳା ବର୍ଗରେ ନିଳେନ୍ଦ୍ରୀ ମାଝି ପ୍ରଥମ ସ୍ଥାନ ଅଧିକାର କରି ଇଲେକ୍ଟ୍ରି ସ୍କୁଟି ପୁରସ୍କାର ପାଇଥିଲେ । ସେହିପରି ମହିଳା ବର୍ଗରେ ବିନୋଦିନୀ ବିଡିକା ଓ ପୁରୁଷ ବର୍ଗରେ ନେତ୍ରାମଣି ଶବର ଦ୍ୱିତୀୟ ସ୍ଥାନ ଅଧିକାର କରି ସାଇକେଲ ପୁରସ୍କାର ପାଇଥିଲେ ।
ଏହି ମିନି ମାରାଥନ୍ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳାପାଳ ରାମେଶ୍ୱର ପ୍ରଧାନ, ଭାସ୍କର ରଇତ, ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିହାର ରଂଜନ କହଁର , ଉପଜିଲ୍ଳାପାଳ କଲ୍ୟାଣୀ ସଂଘମିତ୍ରା ଦେବୀ, ଜିଲ୍ଳା କ୍ରୀଡା ଅଧିକାରୀ ଶେଖ ଅଲିନୁର, ଜିଲ୍ଳା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା, ଆଇପିଇ ହରିହର ପାତ୍ରଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିବା ବେଳେ ବିଦ୍ୟାଳୟ କ୍ରୀଡା ଶିକ୍ଷକଶିକ୍ଷୟତ୍ରୀମାନେ ପରିଚାଳନାରେ ସହଯୋଗ କରିଥିଲେ । ଘୋଷିକା ବିଦିଶା ଶତପଥି ମଂଚ ପରିଚାଳନା କରିଥିବା ବେଳେ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।