ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଚାଲିଛି ପାର୍ବଣ ଋତୁ। ବିଭିନ୍ନ ଶକ୍ତିପୀଠ ଓ ପୂଜା ମଣ୍ଡପରେ ଆଧାରିତ ହେଉଛନ୍ତି ଜଗତଜନନୀ। ଗ୍ରାମ୍ୟ ଦେବାଦେବୀ ପୀଠ ମଧ୍ୟ ଦଶହରାକୁ ନେଇ ମୁଖରିତ ହୋଇ ଉଠିଛି। ଏହାରି ଭିତରେ ଜମି ଉଠିଛି ହଜାରେ ବର୍ଷର ବୁଢିପଦର ଭାଲୁଡୁଙ୍ଗରି ହାଟ। କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ବୁଢିପଦରର ପ୍ରସିଦ୍ଧ ଦେବଗିରି ମଠ ପାର୍ଶ୍ଵରେ ସପ୍ତାହର ଶନିବାର ଦିନ ଏହି ହାଟ ବସେ। ରାଜାରାଜୁଡ଼ା ଅମଳର ଭାଲୁଡୁଙ୍ଗରି ହାଟ ଦଶହରାକୁ ନେଇ ବେଶ୍ ଗହଳ ଚହଳ ହୋଇଥିଲା। ଶନିବାର ଓ ରବିବାର ଦୁଇ ଦିନ ଭାଇ ଜିଉନ୍ତିଆ ପଡୁଥିବା ବେଳେ ଅଞ୍ଚଳର ରାକ୍ସି ସ୍ଥିତ ଭୈରବ, ବିମଳା, କଳାପାହାଡ଼, ସମଲେଇ, ବୁଢ଼ାରଜା ଆଦି ପୀଠ ମାନଙ୍କ ସହ ଶବରପଡାର ଦୁଆରସୁନୀ, ବୁଢିପଦରର ମାଣିକେଶ୍ବରୀ ଓ ଅର୍ଜୁନଗାଁର ବାରମୁନୀ ପୀଠରେ ଝାମୁଯାତ୍ରା ଆୟୋଜିତ ହେଉଛି। ଏସବୁ ଦୃଷ୍ଟିରୁ ବୁଢିପଦର ଭାଲୁଡୁଙ୍ଗରି ହାଟରେ ଫଳମୂଳ, ପନିପରିବା ଓ ବୋଦା ବିକ୍ରୀ ଜୋରଦାର ହୋଇଥିବା ଦେଖାଯାଇଛି। ଭାଇ ଜିଉନ୍ତିଆ ପାଇଁ ଫଳମୂଳ ଦର ଅପେକ୍ଷାକୃତ ଭାବେ ଅଧିକ ଥିବାବେଳେ ପନିପରିବା ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ସ୍ବଭାବିକ ଥିଲା। ତେବେ ଐତିହାସିକ ବୁଢିପଦର ଗାଁ ପଶ୍ଚିମ ଓଡ଼ିଶାର ଏକମାତ୍ର ଗ୍ରାମ ଯେଉଁଠି ଭାଇ ଜିଉନ୍ତିଆ ପର୍ବ ପାଳିତ ହୋଇନଥାଏ। ଏହି ଗ୍ରାମର ଦେବୀମାନେ ବାରଣ କରିଥିବାରୁ ଏଠାରେ ଭାଇ ଜିଉନ୍ତିଆ ପାଳିତ ହେଉନଥିବା କିମ୍ବଦନ୍ତୀ ରହିଛି। ତେବେ ଅଞ୍ଚଳର ପ୍ରାୟ ୩୦ ଖଣ୍ଡ ଗ୍ରାମର ଲୋକେ ଭାଲୁଡୁଙ୍ଗରି ହାଟରୁ ଭାଇ ଜିଉନ୍ତିଆ ଓ ଦଶରା ସଉଦା ପତ୍ର କିଣାବିକା କରିଥିଲେ। ଏଠାରେ ଫଳମୂଳ ଦର ଅଧିକ ଥିବାବେଳେ ବୋଦା ଦର ଅନ୍ୟାନ୍ୟ ହାଟ ଅପେକ୍ଷାକୃତ ଭାବେ କମ୍ ରହିଥିଲା, ଯାହାକୁ ନେଇ ଗ୍ରାହକମାନେ ଖୁସି ଥିବା ଦେଖାଯାଇଛି।